ଭୁବନେଶ୍ୱର: ଦୀର୍ଘ ୧୫ ବର୍ଷର ପ୍ରତୀକ୍ଷା ପରେ ଦେଶର ୧୬ତମ ଜାତୀୟ ଜନଗଣନା ଆରମ୍ଭ ହୋଇଛି। ରାଜ୍ୟପାଳଙ୍କ ଠାରୁ ରାଜ୍ୟରେ ଆରମ୍ଭ ହେଲା ଜନଗଣନା। ସମଗ୍ର ରାଜ୍ୟରେ ଏହାକୁ ନେଇ ଉତ୍ସାହ ଦେଖିବାକୁ ମିଳିଛି। ୨୦୧୧ ପରେ ଏହା ପ୍ରଥମ ଜନଗଣନା ଥିବାରୁ ଏହାର ଗୁରୁତ୍ୱ ଅଧିକ ବଢ଼ିଛି।
ଏଥର ଜନଗଣନାରେ ଅନେକ ନୂତନ ବିଶେଷତା ଯୋଡ଼ାଯାଇଛି। ସବୁଠାରୁ ଆକର୍ଷଣୀୟ ଦିଗ ହେଉଛି ଏହାକୁ ସମ୍ପୂର୍ଣ୍ଣ ଡିଜିଟାଲ ଭିତ୍ତିକ ଭାବରେ କରାଯିବ। ଲୋକମାନେ ଘରେ ବସି ନିଜେ ନିଜ ପରିବାରର ତଥ୍ୟ ଅନଲାଇନ୍ ମାଧ୍ୟମରେ ଦେଇପାରିବେ, ଯାହା ଜନଗଣନା ପ୍ରକ୍ରିୟାକୁ ଅଧିକ ସହଜ ଓ ସୁବିଧାଜନକ କରିଦେବ। ସେହିପରି, ଏଥର ପ୍ରଥମ ଥର ପାଇଁ ଜାତି ଭିତ୍ତିକ ତଥ୍ୟ ସଂଗ୍ରହ ମଧ୍ୟ କରାଯିବ, ଯାହା ଭବିଷ୍ୟତରେ ସରକାରୀ ଯୋଜନା ତିଆରିରେ ସାହାଯ୍ୟ କରିବ।
ଜନଗଣନା ଦୁଇଟି ପର୍ଯ୍ୟାୟରେ କରାଯିବ। ପ୍ରଥମ ପର୍ଯ୍ୟାୟ ଏପ୍ରିଲ ୧ରୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଚାଲିବ, ଯେଉଁଥିରେ ଘରର ଅବସ୍ଥା, ପିଇବା ପାଣି, ବିଦ୍ୟୁତ୍, ରନ୍ଧନ ଗ୍ୟାସ୍, ଇଣ୍ଟରନେଟ୍ ଓ ଶୌଚାଳୟ ସମ୍ବନ୍ଧୀୟ ତଥ୍ୟ ସଂଗ୍ରହ କରାଯିବ। ସେହିପରି ଦ୍ୱିତୀୟ ପର୍ଯ୍ୟାୟ ଆସନ୍ତା ବର୍ଷ ଫେବୃଆରୀରେ ଆରମ୍ଭ ହେବ, ଯେଉଁଥିରେ ବ୍ୟକ୍ତିଗତ ତଥ୍ୟ ଯଥା ବୟସ, ଶିକ୍ଷା ଓ ଆର୍ଥିକ ସ୍ଥିତି ବିଷୟରେ ଗଣନା କରାଯିବ।
ଏହି ବୃହତ୍ କାର୍ଯ୍ୟ ପାଇଁ ହଜାର ହଜାର ଗଣନାକାରୀ ଓ ସୁପରଭାଇଜରଙ୍କୁ ନିଯୁକ୍ତ କରାଯାଇଛି, ଯେମାନେ ଘରେ ଘରେ ଯାଇ ତଥ୍ୟ ସଂଗ୍ରହ କରିବେ। ସରକାରଙ୍କ ଏହି ପଦକ୍ଷେପ ଦେଶର ସଠିକ୍ ଜନସଂଖ୍ୟା ତଥ୍ୟ ପ୍ରଦାନ କରିବା ସହିତ ଆଗାମୀ ଯୋଜନା ପ୍ରସ୍ତୁତିରେ ମୁଖ୍ୟ ଭୂମିକା ନିଭାଇବ। ସମସ୍ତ ଗଣନାକାରୀ ଓ ସୁପରଭାଇଜର ଫିଲଡ଼ରେ ରହିବେ। ଜିଲ୍ଲାରେ ଜିଲ୍ଲାପାଳ ଓ ମହାନଗର ନିଗମରେ କମିଶନର ମାନଙ୍କ ନେତୃତ୍ୱରେ ଏହି ଗଣନା କାର୍ଯ୍ୟ ଚାଲିବ। ଜଣେ ଗଣନାକାରୀ ୨୦୦ ଘରରୁ ତଥ୍ୟ ସଂଗ୍ରହ କରିବେ। ଗଣନାକାରୀଙ୍କୁ ତାଲିମ ସହ ଆନୁଷଙ୍ଗିକ ସାମଗ୍ରୀ ବ୍ୟବସ୍ଥା ହୋଇଛି। ଏଥିପାଇଁ ଗତ ୨ ମାସ ହେଲା ତାଲିମ କାର୍ଯ୍ୟକ୍ରମ ଚାଲିଥିଲା। ସେମାନଙ୍କ ପାଇଁ ପାରିଶ୍ରମିକ ବ୍ୟବସ୍ଥା ମଧ୍ୟ ହୋଇଛି।