ଭୁବନେଶ୍ୱର: ଆଜି ହେଉଛି ଉତ୍କଳ ଦିବସ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମସ୍ତ ଓଡ଼ିଆଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେହିପରି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, କନକ ବର୍ଦ୍ଧନ ସିଂହ ଦେଓ, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଶୁଭେଚ୍ଛା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ଭିଡ଼ିଓବାର୍ତ୍ତା ମାଧ୍ୟମରେ ପ୍ରତ୍ୟେକ ଓଡ଼ିଆଙ୍କୁ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ସଂକଳ୍ପ ନେବାକୁ ଆହ୍ୱାନ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ଓଡ଼ିଶାର ସମସ୍ତ ବରପୁତ୍ରମାନଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଆ ଜାତି ତାର ଭାଷା, ସାହିତ୍ୟ ଓ ସଂସ୍କୃତି ପାଇଁ ସବୁବେଳେ ତାର ଅସ୍ମିତାକୁ ଅନୁଭବ କରିଆସିଛି । ଜଗନ୍ନାଥଙ୍କ ଭକ୍ତିରେ, ଓଡ଼ିଶୀ ସଙ୍ଗୀତ ରାଗରେ ଏବଂ ଓଡ଼ିଶୀ, ସମ୍ବଲପୁରୀ ଓ ବିଭିନ୍ନ ଆଦିବାସୀ ନୃତ୍ୟର ଛନ୍ଦରେ ଓଡ଼ିଆ ଜାତି ନିଜର ପରିଚୟକୁ ଉଜ୍ଜ୍ୱଳ କରିଆସିଛି ।
ସେହିପରି ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ଓଡ଼ିଆ ପୁଅ ଝିଅମାନେ ବିଶ୍ୱର ଯେଉଁ କୋଣରେ ରହିବେ ବି ମାଟି ମାଆର ସମ୍ପର୍କକୁ ଭୂଲି ନାହାଁନ୍ତି । ବିଦେଶ ମାଟିରେ ଓଡ଼ିଆ ପର୍ବପର୍ବାଣୀ ପାଳନ କରି, ଓଡ଼ିଆ ଖାଦ୍ୟର ବାସ୍ନାରେ ନିଜକୁ ହଜାଇ ଦେଇ ମୌଳିକ ସତ୍ତା ସହିତ ଯୋଡ଼ି ହୋଇ ରହିଛନ୍ତି ।
ପ୍ରତ୍ୟେକ ଓଡ଼ିଆଙ୍କୁ ମୁଖ୍ୟମନ୍ତ୍ରୀ ଆହ୍ୱାନ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ୯୦ ବର୍ଷର ଲମ୍ବା ଯାତ୍ରାରେ ଅନେକ ଘାତ ପ୍ରତିଘାତ ଦେଇ ଓଡ଼ିଶା ଆଜି ବିକାଶର ପଥରେ ଏକ ଉତ୍ସାହ ଜନକ ମୋଡ଼ରେ ପହଁଚିଛି । ଏକ ନୂଆ ଆଶା, ନୂଆ ଭରସା ଓ ବିଶ୍ୱାସର ସହିତ ଏକ ନୂଆ ଇତିହାସ ଲେଖିବାକୁ ଓଡ଼ିଶା ଅଗ୍ରସର ହେଉଛି । ଆଗାମୀ ଦଶ ବର୍ଷରେ ସ୍ୱତନ୍ତ୍ର ଓଡ଼ିଶା ୧୦୦ ବର୍ଷ ପୂରଣ କରିବ । ଯେତେବେଳେ ଓଡ଼ିଶା ସମୃଦ୍ଧ ଓଡ଼ିଶା ହେବ । ବିକଶିତ ଭାରତରେ ଦେଶର ଗ୍ରୋଥ୍ ଇଞ୍ଜିନ୍ ହେବାକୁ ଆମ ଓଡ଼ିଶା ପ୍ରସ୍ତୁତ । ଏହି ୧୦ ବର୍ଷ ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ସଂକଳ୍ପର ବର୍ଷ ହେଉ । ଆସନ୍ତୁ ଆମେ ସମସ୍ତେ ପ୍ରତ୍ୟେକ ଓଡ଼ିଆ ଯେଉଁଠି ରହିଲେ ବି ସମୃଦ୍ଧ ଓଡ଼ିଶା ଲକ୍ଷ୍ୟ ପୂରଣ ପାଇଁ ପ୍ରତିବଦ୍ଧ ହୋଇ କାମ କରିବା । ଉତ୍କଳ ଦିବସ ଅବସରରେ ସମସ୍ତ ଓଡ଼ିଆଙ୍କୁ ଆହ୍ୱାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।