ଭୁବନେଶ୍ୱର : ଓଡିଶାବାସୀଙ୍କ ପାଇଁ ୧୯୩୬ ମସିହା ଏପ୍ରିଲ୧ ତାରିଖ ଏକ ସ୍ମରଣୀୟ ଦିନ। ଆଜି ୯୦ତମ ଉତ୍କଳ ଦିବସ ପାଳନ କରୁଛି ଓଡ଼ିଶା। ଉତ୍କଳର ବରପୁତ୍ରମାନଙ୍କ ଉଦ୍ୟମରେ ଏହି ଦିନ ଓଡ଼ିଶା ଭାଷାଭିତ୍ତିକ ପ୍ରଥମ ରାଜ୍ୟର ମାନ୍ୟତା ପାଇଥିଲା। ତେଣୁ ଆଜି ରଙ୍ଗୀନ ଆଲୋକରେ ସୁସଜ୍ଜିତ ରାଜଧାନୀର ବିଭିନ୍ନ ସରକାରୀ କାର୍ଯ୍ୟାଳୟ। 'ଉତ୍କଳ ଦିବସ' ଅବ୍ୟବହିତ ପୂର୍ବରୁ ଝଲସୁଛି ରଙ୍ଗୀନ ଆଲୋକମାଳାରେ ସୁସଜ୍ଜିତ ବିଭିନ୍ନ ସରକାରୀ ସୌଧ। ଏପରିକି ଲୋକସେବା ଭବନ, କମିଶନରେଟ ପୋଲିସ, ନିର୍ମାଣ ସୌଧ, ଖାରବେଳ ଭବନ, ଜୟଦେବ ଭବନ, ବିଧାନସଭା, ବିଧାନସଭା ରାସ୍ତା, ଓଡିଶା ଖଣି ନିଗମ, ରାଜ୍ୟ ଅତିଥି ଭବନ ଭଳି ପ୍ରମୁଖ ସରକାରୀ ସୌଧଗୁଡ଼ିକ ବେଶ ସୁନ୍ଦର ଭାବେ ସୁସଜ୍ଜିତ ହୋଇଛି।
କେବେଠୁ ପାଳନ ହେବ ଏହି ଦିବସ ;
୧୯୩୬ ଏପ୍ରିଲ ୧ ତାରିଖରେ ଭାଷା ଭିତ୍ତିରେ ଆମ ଓଡ଼ିଶାକୁ ମିଳିଥିଲା ସ୍ବତନ୍ତ୍ର ପ୍ରଦେଶର ମାନ୍ୟତା। ସେହିଦିନ ଠାରୁ ଓଡ଼ିଶା ଇତିହାସରେ ସ୍ବର୍ଣ୍ଣିମ ଅକ୍ଷରରେ ବିଦିତ ହୋଇ ରହିଲା। ଯାହାକୁ ନେଇ ପ୍ରତ୍ୟେକ ଓଡ଼ିଆ ନିଜକୁ ଗର୍ବିତ ଅନୁଭବ କରନ୍ତି। ଯାହା ବୟାନ କରେ ଓଡ଼ିଶା ରାଜ୍ୟ ଗଠନର ଗୌରବମୟ ଇତିହାସ। ଭାଷା ଭିତ୍ତିରେ ଏକ ସ୍ବତନ୍ତ୍ର ରାଜ୍ୟର ମାନ୍ୟତା ପାଇବାରେ ଓଡ଼ିଶା ପାଲଟିଥିଲା ଭାରତର ପ୍ରଥମ ରାଜ୍ୟ।
ଇତିହାସ ;
୧୫୬୮ ବେଳକୁ ଓଡ଼ିଶାର ଶେଷ ସ୍ୱାଧୀନ ରାଜା ମୁକୁନ୍ଦଦେବ ଯୁଦ୍ଧରେ ପରାସ୍ତ ହେବା ସହିତ ଅସ୍ତମିତ ହୋଇଥିଲା ସ୍ବାଧୀନ ଓଡ଼ିଶାର ସୂର୍ଯ୍ୟ। ୧୮୦୩ରେ ଓଡ଼ିଶା ଦଖଲ କରିଥିଲେ ଇଂରେଜ। ସ୍ୱାଧୀନ ଓଡ଼ିଶାର ସୂର୍ଯ୍ୟୋଦୟର ସମ୍ଭାବନା ସୃଷ୍ଟି କରିଥିଲେ ମାଟିମାତୃକାର ସୁଯୋଗ୍ୟ ସନ୍ତାନ। ସେମାନଙ୍କ ଅବିରତ ନିଷ୍ଠାପର ସାଧନା-ସଂକଳ୍ପ-ସଂଗ୍ରାମ ଯୋଗୁଁ ଉନ୍ନବିଂଶ ଶତାବ୍ଦୀର ଶେଷ ଭାଗରୁ ଆରମ୍ଭ ହୋଇଥିବା ଓଡ଼ିଶାର ନବଜାଗରଣ ପର୍ବର ପୂର୍ଣ୍ଣାହୂତି ହୋଇଥିଲା ୧୯୩୬ ଏପ୍ରିଲ ୧ରେ। ସେହି ଦିନଠାରୁ ଏପ୍ରିଲ ୧କୁ ଉତ୍କଳ ଦିବସ ଭାବେ ଅବିହିତ କରାଯାଇଛି ।
ଅଧିକ ପଢନ୍ତୁ ; ଏପ୍ରିଲ ଆରମ୍ଭରୁ କଲବଲ କଲାଣି ତାତି