ଭୁବନେଶ୍ୱର: ମହିଳା ସଶକ୍ତିକରଣ ପାଇଁ ରାଜ୍ୟ ସରକାରଙ୍କ ପ୍ରମୁଖ ଯୋଜନା ସୁଭଦ୍ରା ପୁଣିଥରେ ନୂଆ ଆଶା ନେଇ ଆସୁଛି। ଆଜିଠାରୁ ଅର୍ଥାତ ଏପ୍ରିଲ ୧, ୨୦୨୬ ଠାରୁ ସୁଭଦ୍ରା ଯୋଜନାରେ ନୂତନ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ପଞ୍ଜିକରଣ ଅବଧି ଏକ ମାସ ଯାଏଁ (ଏପ୍ରିଲ ୩୦) ପର୍ଯ୍ୟନ୍ତ ଚାଲିବ। ଯୋଗ୍ୟ ବିବେଚିତ ହିତାଧିକାରୀଙ୍କୁ ୨୦୨୬- ୨୭ ଆର୍ଥିକ ବର୍ଷରୁ ଯୋଜନାର ଅବଧି ପର୍ଯ୍ୟନ୍ତ ବାର୍ଷିକ ଦୁଇଟି କିସ୍ତିରେ ମୋଟ ୧୦ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବ।
କିଏ କରିପାରିବେ ଆବେଦନ?
- ୨୧ରୁ ୬୦ ବର୍ଷ ବୟସ୍କ ମହିଳାମାନେ
- ଏପ୍ରିଲ ୧, ୨୦୨୬ ସୁଦ୍ଧା ଯୋଗ୍ୟତା ପୂରଣ କରିଥିବା
- ଯେମାନେ ପୂର୍ବରୁ ସୁଭଦ୍ରାରେ ଆବେଦନ କରିନାହାନ୍ତି
କିନ୍ତୁ ଯେଉଁ ମହିଳା ପୂର୍ବରୁ ସୁଭଦ୍ରା ଯୋଜନା ପାଇଁ ଆବେଦନ କରି ନାହାଁନ୍ତି, କେବଳ ସେମାନେ ହିଁ ଏହି ଅବଧି ମଧ୍ୟରେ ନୂତନ ଭାବେ ଆବେଦନ କରିପାରିବେ।
କେମିତି କରିବେ ପଞ୍ଜିକରଣ?
ନୂତନ ଆବେଦନ ‘ସୁଭଦ୍ରା ପୋର୍ଟାଲ’ ମାଧ୍ୟମରେ ଗ୍ରହଣ କରାଯିବ।
ସହାୟତା ପାଇଁ:
- ସାଧାରଣ ସେବା କେନ୍ଦ୍ର (CSC)
- ଆମ ସେବା କେନ୍ଦ୍ର (ASK)
ଏହା ସହ:
- ଅଙ୍ଗନୱାଡ଼ି କେନ୍ଦ୍ର (AWC)
- CDPO କାର୍ଯ୍ୟାଳୟ
- ଏଠାରେ ନିଶୁଳ୍କ ଆବେଦନ ଫର୍ମ ମିଳିବ।
ସୁଭଦ୍ରା ଯୋଜନା ମହିଳାଙ୍କ ପାଇଁ ଆର୍ଥିକ ସୁରକ୍ଷା ଓ ସଶକ୍ତିକରଣର ଏକ ବଡ଼ ପଦକ୍ଷେପ। ଯେମାନେ ଏପର୍ଯ୍ୟନ୍ତ ଆବେଦନ କରିପାରିନାହାନ୍ତି, ସେମାନଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ।
ସୂଚନାଯୋଗ୍ୟ, ଗତ ମାର୍ଚ୍ଚ ୮ ତାରିଖ ଅନ୍ତର୍ଜାତୀୟ ମହିଳା ଦିବସରେ ସୁଭଦ୍ରାର ଚତୁର୍ଥ କିସ୍ତି ପ୍ରଦାନ କରିଥିଲେ ମୁଖ୍ୟମନ୍ତ୍ରୀ। ପୁରୀଠାରେ ଆୟୋଜିତ ଏକ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ୧ କୋଟିରୁ ଊଦ୍ଧ୍ୱର୍ ସୁଭଦ୍ରା ହିତାଧିକାରୀଙ୍କୁ ୫ ହଜାର ଟଙ୍କା ଲେଖାଏ ପ୍ରଦାନ କରିଥିଲେ। ମୋଟ ୫,୧୦୬ କୋଟି ୩୩ ଲକ୍ଷ ୨୫ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଥିଲା।