ଢେଙ୍କାନାଳ: ଭୁଲ ଇଞ୍ଜେକସନ ଓ ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ । ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାରେ ଅବହେଳା ପାଇଁ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମୃତକ ହେଲେ ଭୁବନ ଥାନା ଅନ୍ତର୍ଗତ ମାର୍ଥାପୁର ପଞ୍ଚାୟତ ମାଳପୁରା ଗାଁର ଆଲୋକ ସାମଲ (୧୮)।
ଗତକାଲି ଆଲୋକ ପାଇଖାନା ଟାଙ୍କି ଉପରେ ଗଳି ପଡ଼ିବାରୁ ତାଙ୍କ ତଳିପେଟରେ ଗଭୀର ଆଘାତ ଲାଗିଥିଲା। ସନ୍ଧ୍ୟାରେ ଆଲୋକଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ପ୍ରଥମେ ପ୍ରାଥମିକ ଚିକିତ୍ସା କରି ତାଙ୍କୁ ଘରକୁ ପଠାଇ ଦେଉଥିଲେ । କିନ୍ତୁ ରୋଗୀଙ୍କ ଅବସ୍ଥା ଗୁରୁତର ଥିବାରୁ ସମ୍ପର୍କୀୟମାନେ ଘରକୁ ନ ନେଇ ହସ୍ପିଟାଲରେ ଆଡମିଶନ୍ ପାଇ ଡାକ୍ତରଙ୍କୁ ବାଧ୍ୟ କରିଥିଲେ । ଏହା ପରେ ତାଙ୍କୁ ଆଡମିଶନ୍ କରାଯାଇଥିଲା। ଆଜି ସକାଳୁ ଆଲୋକଙ୍କ ଅବସ୍ଥା ଅଧିକ ଗୁରୁତର ଆଡ଼କୁ ଗତି କରିଥିବାରୁ ପରିବାର ଲୋକେ ତାଙ୍କୁ କଟକ ସ୍ଥାନାନ୍ତର କରିବାକୁ ଡାକ୍ତରଙ୍କୁ ନିବେଦନ କରିଥିଲେ । କାର୍ଯ୍ୟରତ ଡାକ୍ତର ଓ ନର୍ସମାନେ ତାଙ୍କୁ ରେଫର ବଦଳରେ ଅସହଯୋଗ କରିଥିଲେ । ଏହା ପରେ ନର୍ସ ତାଙ୍କୁ ଏକ ଇଞ୍ଜେକସ୍ନ ଦେଇଥିଲେ । ଭୁଲ ଇଞ୍ଜେକସନ ଓ ଚିକିତ୍ସାରେ ଅବହେଳା ଯୋଗୁଁ ଆଲୋକଙ୍କର ମୃତ୍ୟୁ ହୋଇଥିବା ପରିବାର ଅଭିଯୋଗ କରିଛି ।
ପରିବାର ଲୋକେ ହସ୍ପିଟାଲରେ ମୃତ ଦେହ ରଖି ପ୍ରତିବାଦ କରିଛନ୍ତି । ଏ ନେଇ ହସପିଟାଲ କର୍ତ୍ତୁପକ୍ଷଙ୍କ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ।