ଭୁବନେଶ୍ୱର: ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ହେଲା ଓଡ଼ିଶା ବିଧାନସଭା। ମଙ୍ଗଳବାର ବିଳମ୍ବିତ ରାତିରେ ସାଇନ୍-ଡାଇ ଘୋଷଣା କରାଯାଇଛି। ନିର୍ଦ୍ଧାରିତ ସମୟରୁ ୫ ଦିନ ପୂର୍ବରୁ ଏହାର ଅଧିବେଶନ ଶେଷ କରାଯାଇଛି। ୧୭ତମ ବିଧାନସଭାର ଷଷ୍ଠ ଅଧିବେଶନ ଫେବୃଆରୀ ୧୭ରୁ ଆରମ୍ଭ ହୋଇ ଏପ୍ରିଲ ୮ ପର୍ଯ୍ୟନ୍ତ ଚାଲିବାକୁ ଥିଲା। ଦୁଇଟି ପର୍ଯ୍ୟାୟରେ ହେବାକୁ ଥିବା ଏହି ଅଧିବେଶନରେ ମୋଟ ୨୮ଟି କାର୍ଯ୍ୟଦିନ ରହିଥିଲା, କିନ୍ତୁ କେବଳ ୨୨ଟି କାର୍ଯ୍ୟଦିନ ପରେ ଏହା ଶେଷ କରାଯାଇଛି।
ଏଥର ଗୃହରେ ବିପକ୍ଷ ଦଳଙ୍କ ପକ୍ଷରୁ ୫ଟି ଅଜର୍ଣ୍ଣମେଣ୍ଟ ମୋଶନ୍ ଉପରେ ଆଲୋଚନା ହୋଇଥିଲା ଓ ୨ଟି ସରକାରୀ ବିଲ୍ ପାସ୍ କରାଯାଇଛି। ପୂର୍ବ ଅଧିବେଶନରେ ପାସ୍ ହୋଇଥିବା ବେତନ ଓ ଭତ୍ତା ବୃଦ୍ଧି ସମ୍ବନ୍ଧୀୟ ବିବାଦିତ ବିଧେୟକକୁ ମଧ୍ୟ ଏଥର ଅଧିବେଶନରେ ପ୍ରତ୍ୟାହାର କରାଯାଇଛି।
ଦୀର୍ଘ ୯ ଦିନ ଧରି ଅଚଳାବସ୍ଥା ଲାଗି ରହିବା ପରେ ଗତକାଲି ବିଳମ୍ବିତ ରାତ୍ରୀ ପର୍ୟ୍ୟନ୍ତ ଚାଲିଥିଲା ବିଧାନସଭା। ଶେଷ ପର୍ଯ୍ୟାୟରେ ପ୍ରାୟ ୪ ଘଣ୍ଟା ଆଲୋଚନା ପରେ ପାରିତ ହୋଇଥିଲା ଓଡିଶା ରାଜ୍ୟ ସରକାରୀ ବିଶ୍ଵବିଦ୍ୟାଳୟ (ଶିକ୍ଷକ କ୍ୟାଡର ସରଂକ୍ଷଣ) ବିଲ ୨୦୨୬। ରାତି ଅଧ ଯାଏ କ୍ଲଜୱାରୀ ଆଲୋଚନା ପରେ ଏହି ବିଲ୍ ଗୃହରେ ପାରିତ ହୋଇଥିଲା। ଶେଷ ଦିନରେ ଗୃହ ଆପ୍ରୋପ୍ରିଏସନ୍ ବିଲ୍ ପାସ୍ କରି ୨୦୨୬-୨୭ ଅର୍ଥବର୍ଷ ପାଇଁ ୩.୧୦ ଲକ୍ଷ କୋଟି ଟଙ୍କା ବ୍ୟୟ କରିବାକୁ ସରକାରକୁ ଅନୁମତି ଦିଆଯାଇଛି। ଏହା ସହ ବିଧାୟକ, ମନ୍ତ୍ରୀ, ବାଚସ୍ପତି ଓ ଉପ ବାଚସ୍ପତିଙ୍କ ଦରମା, ଭତ୍ତା ଓ ପେନସନ ସଂଶୋଧନ ବିଲ୍ ୨୦୨୫କୁ ମଧ୍ୟ ପ୍ରତ୍ୟାହୃତ କରାଯାଇଥିଲା। ଏହି ଦୁଇଟି ବିଲ ପାସ ହେବା ପରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଗୃହ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି।
ଏଥର ଅଧିବେଶନରେ ଗୃହରେ ବିରୋଧୀ ବିଜୁ ଜନତା ଦଳ (ବିଜେଡି) ଓ କଂଗ୍ରେସ୍ ପକ୍ଷରୁ ଲଗାତାର ହଙ୍ଗାମା ଦେଖିବାକୁ ମିଳିଥିଲା। ପ୍ରଥମରୁ ଧାନ କ୍ରୟରେ ଅନିୟମିତତା ନେଇ ମଧ୍ୟ ବିପକ୍ଷ ପ୍ରଶ୍ନ ଉଠାଇଥିଲେ। ଏହାପରେ କଟକ ସ୍ଥିତ ଏସ୍ସିବି ମେଡିକାଲ୍ କଲେଜ୍ ଓ ହସ୍ପିଟାଲରେ ଘଟିଥିବା ଅଗ୍ନିକାଣ୍ଡ, ଯେଉଁଥିରେ ୧୩ ଜଣ ରୋଗୀଙ୍କ ମୃତ୍ୟୁ ଘଟିଥିଲା, ଏହାକୁ ନେଇ ବିପକ୍ଷର ତୀବ୍ର ପ୍ରତିବାଦ ହୋଇଥିଲା।ଏସ୍ସିବି ଅଗ୍ନିକାଣ୍ଡ ଘଟଣାକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିଜେଡି ଓ କଂଗ୍ରେସ୍ ଅଟଳ ରହିଥିଲେ। ସେହିପରି ଶେଷ ଆଡକୁ ବିଜୁ ପଟ୍ଟନାୟକଙ୍କୁ ନେଇ ନିଶିକାନ୍ତ ଦୁବେଙ୍କ ମତକୁ ବିରୋଧ କରି ବିଧାନସଭାରେ ହଙ୍ଗାମା ହୋଇଥିଲା। ଏହି ସବୁ ମୁଦ୍ଦାକୁ ନେଇ ବିପକ୍ଷର କ୍ରମାଗତ ଭାବରେ ପ୍ରତିବାଦ ଫଳରେ ଗୃହ କାର୍ଯ୍ୟବାହୀ ଅନେକ ଦିନ ଧରି ବାଧାପ୍ରାପ୍ତ ହୋଇଥିଲା।