କଟକ: ଚୌଦ୍ୱାର ମଣ୍ଡଳ କାରାଗାରରୁ ଫେରାର ହୋଇଥିବା ଦୁଇ କଏଦୀଙ୍କ ମଧ୍ୟରୁ ଦ୍ୱିତୀୟ କଏଦୀକୁ ପୋଲିସ ଧରିବାରେ ସଫଳ ହୋଇଛି । ଦୀର୍ଘ ଛଅ ମାସ ପରେ ବିହାରର ରାଜା ସାହାଣୀକୁ ଋଷିକେଶରୁ କଟକ କମିଶନରେଟ୍ ପୋଲିସ ଗିରଫ କରିଛି । ଦେଢ଼ ମାସ ତଳେ ଅନ୍ୟ ଜଣେ କଏଦୀ ମଧୁକାନ୍ତ ରାଣାକୁ ବୃନ୍ଦାବନରୁ ଏକ ଆଶ୍ରମରୁ ଗିରଫ କରାଯାଇଥିଲା ।
ଉଭୟ ମଧୁକାନ୍ତ ଏବଂ ରାଜା ଯାଜୁପର ପାଣିକୋଇଲି ସ୍ଥିତ ପଣ୍ଡା ଅଳଙ୍କାର ଲୁଟ୍ ଏବଂ ଦୁଇ ଜଣଙ୍କୁ ହତ୍ୟା କରିବା ମାମଲାର ମୁଖ୍ୟ ଅଭିଯୁକ୍ତ ଅଟନ୍ତି । ଫେରାର ହେବା ଆଶଙ୍କାରେ ସେମାନଙ୍କୁ ଯାଜପୁରରୁ ଚୌଦ୍ୱାର ଜେଲକୁ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ଗତବର୍ଷ ଅକ୍ଟୋବର ୨ ତାରିଖ ଦଶହରା ରାତିରେ ଚୌଦ୍ୱାର ମଣ୍ଡଳ କାରାଗାରରେ ଥିବା ଦୁଇ କଏଦୀ ମଧୁକାନ୍ତ ରାଣା ଓ ରାଜା ସାହାଣୀ ଫେରାର ହୋଇଯାଇଥିଲେ । ବିଳମ୍ବିତ ରାତି ପ୍ରାୟ ଗୋଟାଏ ସମୟରେ ଉଭୟ ଜେଲର ଲୁହା ସେଲ୍ କୁ ଆରିରେ କାଟି ଫେରାର ପାଚେରୀରେ ରଶି ବାନ୍ଧି ଫେରାର ହୋଇଯାଇଥିଲେ । ଫେବୃଆରୀ 13 ତାରିଖରେ ବୃନ୍ଦାବନରୁ ପ୍ରଥମେ ମଧୁକାନ୍ତ ରାଣାକୁ ପୋଲିସ ଗିରଫ କରିଥିଲା ।
ଉଲ୍ଲେଖ ଯୋଗ୍ୟ, ୨୦୨୫, ଜାନୁୟାରୀ ୪ ତାରିଖରେ ଯାଜପୁର ପାଣିକୋଇଲି ଛକରେ ଥିବା ପଣ୍ଡା ଅଳଙ୍କାରରୁ ଦିନ ଦ୍ୱିପ୍ରହରରେ ଲୁଟ୍ ହୋଇଥିଲା । ଲୁଟେରାଙ୍କ ଗୁଳି ମାଡ଼ରେ ବିଦ୍ୟୁତ ବିଭାଗର ଜଣେ ଡ୍ରାଇଭର ନୀଳମାଧବ ପଣ୍ଡା ଏବଂ ଦୋକାନ ମାଲିକ ସୁନୀଲ ରାୟଙ୍କର ମୃତ୍ୟୁ ହୋଇଥିଲା । ସେମାନେ ଲୁଟ୍ କରି ଫେରାର ହେଉଥିବା ସମୟରେ ମାଲିକ ସୁନୀଲ ରାୟ ସେମାନଙ୍କ ପିଛା କରିଥିଲେ । ଲୁଟେରାମାନେ ତାଙ୍କ ଉପରକୁ ଗୁଳି ମାଡ଼ କରିଥିଲେ । ସେହିପରି ଦୋକାନ ପାଖରେ ଥିବା ବିଦ୍ୟୁତ ବିଭାଗର ଜଣେ ଡ୍ରାଇଭର ନୀଳମାଧବ ପଣ୍ଡା ଅଟକାଇବାକୁ ଚେଷ୍ଟା କରିବାକୁ ତାଙ୍କ ଉପରେ ମଧ୍ୟ ଗୁଳି ମାଡ଼ କରି ଚମ୍ପଟ୍ ମାରିଥିଲେ । ସ୍ଥାନୀୟ ଲୋକେ ଜଣକୁ କାବୁ କରି ପୋଲିସ ଜିମା ଦେଇଥିଲେ । ଅନ୍ୟମାନେ ଫେରାର ହେବାରେ ସଫଳ ହୋଇଥିଲେ । ପ୍ରଥମ ଯାଜପୁର ଜେଲରେ ରଖାଯାଇଥିଲା । ମାତ୍ର ସେଠାରେ ଫେରାର ହେବାକୁ ଉଦ୍ୟମ କରିବାରୁ ଚୌଦ୍ୱାର ଜେଲକୁ ସ୍ଥାନାନ୍ତର କରାଯାଇଥିଲା ।