ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟୀର ଯୁବ ସାଂସଦ ରାଘବ ଚଢ଼ାଙ୍କୁ ରାଜ୍ୟସଭାର ଉପନେତା ପଦରୁ ହଟାଇବାକୁ ପ୍ରସ୍ତାବ ଦିଆଯାଇଛି । କିନ୍ତୁ ତାଙ୍କର କହିବାର ଅଧିକାରକୁ ଦଳ ଛଡ଼ାଇ ନେବା ପରେ ଆହୁରି ସ୍ୱର ଶାଣିତ କରିଛନ୍ତି ରାଘବ । ସେ ଶୁକ୍ରବାର ଏକ ଭିଡ଼ିଓ ଜାରି ଆପ୍ ଦଳ ଉପରେ ଖୁବ ବର୍ଷିଛନ୍ତି । ସେପଟେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ଏବଂ ଆତିଶୀ ମାର୍ଲେନା ରାଘବ ଚଢ଼ାଙ୍କ ଉପରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି ।
ରାଘବ ଚଢ଼ା ଆଜି ୨ ମିନିଟ୍ ୧୮ ସେକେଣ୍ଡର ଏକ ଭିଡ଼ିଓ ଜାରି କରି ନିଜ ଦଳ ଉପରେ ଖୁବ ବର୍ଷିଛନ୍ତି । ଚଢ଼ା କହିଛନ୍ତି, ସଂସଦରେ ତାଙ୍କୁ କହିବାକୁ ସୁଯୋଗ ମିଳିଲେ ସେ ସର୍ବଦା ସାଧାରଣ ଜନତାଙ୍କ ସାଧାରଣ ସମସ୍ୟା ଉପରେ ପ୍ରଶ୍ନ ଉଠାଇଛନ୍ତି । ଯେଉଁ ପ୍ରସଙ୍ଗ ଉଠାଏ, ଯାହା ସାଧାରଣତଃ ସଂସଦରେ ସେ ପ୍ରସଙ୍ଗ ଉଠେ ନାହିଁ । କ’ଣ ସାଧାରଣ ଜନତାଙ୍କ ସମସ୍ୟା ଉଠାଇବା ଅପରାଧ ? ଏଥିରେ ଭୁଲ କେଉଁଠି ରହିଛି ? ଏ ପ୍ରଶ୍ନ କରିଛନ୍ତି ଚଢ଼ା ।
କିନ୍ତୁ ତାଙ୍କ ଦଳ ଆମ୍ ଆଦମୀ ପାର୍ଟୀ ରାଜ୍ୟସଭା ସଚିବାଳୟକୁ ତାଙ୍କର କହିବା ଉପରେ ରୋକ୍ ଲାଇବାକୁ କହିଛି । କିନ୍ତୁ କାହିଁକି ମୋ ସ୍ୱରକୁ ଦବାଇବାକୁ ଚେଷ୍ଟା କରାଯାଉଛି ? ମୁଁ ସବୁବେଳେ ବିମାନ ବନ୍ଦରରେ ଖାଦ୍ୟର ମାତ୍ରାଧିକ ମୂଲ୍ୟ, ଅନଲାଇନ୍ ଡେଲିଭରି ବୟଙ୍କ ସମସ୍ୟା, ମୋବାଇଲ୍ ରିଚାର୍ଜରେ ଟେଲିକମ୍ କମ୍ପାନୀଙ୍କ ମନମାନି, ଟୋଲ୍ ପ୍ଲାଜାରେ ମନମାନି ଭଳି ପ୍ରସଙ୍ଗ ଉଠାଇଛି । ଏହି ପ୍ରସଙ୍ଗ ସାଧାରଣ ଜନତାଙ୍କୁ ଫାଇଦା ଦେଲା କିନ୍ତୁ ଏଥିରେ ଆମ୍ ଆଦମୀ ପାର୍ଟୀର ଅସୁବିଧା କେଉଁଠି ରହିଲା ? କାହିଁକି ମୋ ସ୍ୱରକୁ ବନ୍ଦ କରିବାକୁ ଚାହୁଁଛନ୍ତି ? ତେବେ ରାଘବ ତାଙ୍କର କୋଟି କୋଟି ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହା ସହିତ ଆପ୍ ଦଳକୁ ମଧ୍ୟ ଚେତାବନୀ ଦେଇଛନ୍ତି । ସମୟ ଆସିଲେ ସେ ପୁଣି ଥରେ ଫେରିବେ ।
ସିଙ୍ଗଡ଼ା ଓ ପିଜ୍ଜା ପ୍ରସଙ୍ଗ ଉଠାଉଛନ୍ତି ରାଘବ- ଭଗୱନ୍ତ ମାନ୍
ସେପଟେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ରାଘବଙ୍କ ଉପରେ ଅଭିଯୋଗ ଆଣିଛନ୍ତି । ରାଘବ ଚଢ଼ା ବୁଝାମଣା କରିସାରିଛନ୍ତି । ସେ କହିଛନ୍ତି ଦଳର ସଂସଦୀୟ ବୋର୍ଡ ନେତାଙ୍କ ମଧ୍ୟରେ ଅଦଳବଦଳ ହୁଏ ଏବଂ ଏହା ଏକ ସାଧାରଣ ପ୍ରକ୍ରିୟା । ଦଳ ଆଶା ରଖେ ଯେ ଜଣେ ସାଂସଦ ଗମ୍ଭୀର ପ୍ରସଙ୍ଗ ଉଠାନ୍ତୁ । କିନ୍ତୁ ଯେଉଁ ସାଂସଦ ଏମିତି କରନ୍ତି ନାହିଁ ତାହା ଦଳୀୟ ହ୍ୱିପର ଉଲ୍ଲଂଘନ ସହିତ ସମାନ । ସେଥିପାଇଁ କାର୍ଯ୍ୟାନୁଷ୍ଠାନ ହୁଏ । କିନ୍ତୁ ରାଘବ ଚଢ଼ା ପଶ୍ଚିମବଙ୍ଗରେ ମତଦାତାଙ୍କ ନାମ ଭୋଟର୍ ତାଲିକାରୁ ହଟିବା, ଗୁଜରାଟରେ ଆପ୍ ଦଳର କାର୍ଯ୍ୟକର୍ତ୍ତାଙ୍କ ଗିରଫଦାରୀ ଉପରେ ପ୍ରଶ୍ନ ନ ଉଠାଇ ସଂସଦ କ୍ୟାଣ୍ଟିନରେ ସିଙ୍ଗଡ଼ା ମହଙ୍ଗା ଓ ପିଜ୍ଜା ବିଳମ୍ବରେ ଡେଲିଭରି ହେବା ପ୍ରସଙ୍ଗ ଉଠାଉଛନ୍ତି । ତେଣୁ ଏହା ସମ୍ପୂର୍ଣ୍ଣ ବୁଝାମଣା ଅଟେ ବୋଲି କହିଛନ୍ତି ମାନ୍ ।
ମୋଦୀଙ୍କ କୋଳରେ ବସିଛନ୍ତି ରାଘବ ଚଢ଼ା- ଆତିଶୀ ମାର୍ଲେନା
ଅନ୍ୟପକ୍ଷରେ ଦିଲ୍ଲୀର ପୂର୍ବତନ ମନ୍ତ୍ରୀ ଆତିଶୀ ମାର୍ଲେନା ତାତ୍ସଲ୍ୟ କରି କହିଛନ୍ତି ରାଘବ ଚଢ଼ା ପିଏମ୍ ମୋଦୀଙ୍କ କୋଳରେ ବସିଛନ୍ତି । ରାଘବ କୌଣସି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୁଦ୍ଧରେ କହିବାକୁ ଡରୁଛନ୍ତି । ସିଇସି ଜ୍ଞାନେଶ କୁମାରଙ୍କ ବିରୁଦ୍ଧରେ ଟିଏମସି ଆଣିଥିବା ମହାଭିଯୋଗ ପ୍ରସ୍ତାବ ଉପରେ ରାଘବ ଚଢ଼ା ହସ୍ତାକ୍ଷର କରିବାକୁ ମନା କରିଦେଲେ । ବିରୋଧୀ ଗୃହ ପରିତ୍ୟାଗ କରିବାବେଳେ ସେ ଆସନରେ ବସି ରହିଥିଲେ । ଏମିତିକି ଏଲପିଜି ପ୍ରସଙ୍ଗ ଉଠାଇବାକୁ ସିଧାସଳଖ ମନା କରିଦେଲେ । ଯେତେବେଳେ ପ୍ରଧାନମନ୍ତ୍ରୀ ବିରୁଦ୍ଧରେ ଛିଡ଼ା ହେବାକୁ କୁହାଗଲା ସେ ସବୁବେଳେ ପଛଘୁଞ୍ଚା ଦେଇଛନ୍ତି । ଯଦି ତାଙ୍କର ଆପ୍ ଦଳର ଚିନ୍ତା ଥାଆନ୍ତା ତାହା ହେଲେ ସେ ଏଲପିଜି ସଙ୍ଗଟ ଉପରେ ପ୍ରସଙ୍ଗ ଉଠାଇଥାଆନ୍ତି ବୋଲି ଆତିଶୀ କହିଛନ୍ତି ।