ପୁରୀ: ଶ୍ରୀମନ୍ଦିରରେ ଧ୍ୱଜା ବନ୍ଧା ନାଁରେ ବଡ଼ ଠକେଇ । ଜଣେ ସେବାୟତ ନକଲି ରସିଦ ଦେଇ ଧ୍ୱଜା ବାନ୍ଧିବାକୁ ଜଣେ ଅଣ ଓଡ଼ିଆ ଶ୍ରଦ୍ଧାଳୁଙ୍କଠାରୁ ଟଙ୍କା ନେଇଥିବା ଅଭିଯୋଗ ହୋଇଛି । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଶ୍ରୀମନ୍ଦିର ଥାନାରେ ଅଭିଯୋଗ ହୋଇଛି ।
ମିଳିଥିବା ପ୍ରାଥମିକ ସୂଚନା ମୁତାବକ, ଗତ ୧ ତାରିଖରେ ହାଇଦ୍ରାବାଦର ଜଣେ ଭକ୍ତ ଶ୍ରୀମନ୍ଦିର କାର୍ଯ୍ୟାଳୟକୁ ଆସି ଜଣେ ସେବାୟତଙ୍କ ସହଯୋଗରେ ଧ୍ୱଜା ବାନ୍ଧିବାକୁ ରସିଦ କାଟିଥିଲେ । ଉକ୍ତ ରସିଦ ଦେଖାଇ ଧ୍ୱଜା ବାନ୍ଧିବାକୁ କହିବାରୁ ତାହା ଏକ ନକଲି ରସିଦ ବୋଲି ଜଣାପଡ଼ିଥିଲା । ଶ୍ରୀମନ୍ଦିର କାର୍ଯ୍ୟାଳୟର ସୁପରଭାଇଜର୍ ତାହାକୁ ଯାଞ୍ଚ କରି ଉକ୍ତ ରସିଦଟି ନକଲି ଥିବା କହିଥିଲେ । ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ପଦକ୍ଷେପ ଗ୍ରହଣ କରିଛି । ଉକ୍ତ ସେବାୟତଙ୍କୁ ନୋଟିସ୍ ଜାରି କରି ତିନି ଦିନ ମଧ୍ୟରେ ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ଶ୍ରୀମନ୍ଦିର ଥାନାରେ ପ୍ରଶାସନ ପକ୍ଷରୁ ଏକ ଏତଲା ମଧ୍ୟ ଦିଆଯାଇଛି । ଏ ନେଇ ଯାଞ୍ଚ ଆରମ୍ଭ ହୋଇଛି ।