ଭୁବନେଶ୍ୱର: ଦିନକୁ ଦିନ ଅଣାୟତ ହେଲାଣି ତାତି। ଏପ୍ରିଲ ଆରମ୍ଭରୁ ହିଁ ରାଜ୍ୟରେ କଲବଲ କଲାଣି ତାତି। ଅସହ୍ୟ ଗରମ ଓ ଗୁଳିଗୁଳିରେ ଅସ୍ତବ୍ୟସ୍ତ ହେଲାଣି ଜୀବନ। ସକାଳ ୮ ଟାରୁ ଅନୁଭୂତ ହେଉଛି ଟାଣ ଖରା। ସେହିପରି ରାଜ୍ୟକୁ ହଟ୍ ଆଣ୍ଡ ହିମ୍ୟୁଡିଟି ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ତେବେ ଆଗାମୀ ୩ ଦିନ ପାଇଁ ଗରମ ଗୁଳିଗୁଳି ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି ହୋଇଛି। ଏପରିକି ଟ୍ୱିନ ସିଟିରେ ମଧ୍ୟ ୪୨ ଡିଗ୍ରୀ ତାପମାତ୍ରା ପାର ହେବା ନେଇ ସତର୍କତା ଜାରି ହୋଇଛି।
ଆରଏମସିର ସୂଚନା ଅନୁଯାୟୀ ପ୍ରଚଳିତ ପାଗ ଢାଞ୍ଚା ଯୋଗୁଁ ଦିନର ତାପମାତ୍ରା ବୃଦ୍ଧି ପାଇଛି। ଏହାସହିତ ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ସର୍ବାଧିକ ତାପମାତ୍ରା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ଗ୍ରୀଷ୍ମ ଋତୁର ତାପମାତ୍ରା ସ୍ୱାଭାବିକ ଠାରୁ ଅଧିକ ହେବାର ପୂର୍ବାନୁମାନ କରାଯାଉଛି।ତେବେ ଅସହ୍ୟ ତାଟିକୁ ଦୃଷ୍ଟିରେ ରଖି ଅଂଶୁଘାତର ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ସଜାଗ ରହିଛନ୍ତି। ରାଜ୍ୟର ୩୦ଟି ଜିଲ୍ଲା, ଟ୍ୱିନ୍ ସିଟି, ୧୦ ପୌରାଞ୍ଚଳ ପାଇଁ ହିଟୱେଭ ଆକ୍ସନ ପ୍ଲାନ ହୋଇଛି। ଏହାସହିତ ରାସ୍ତାର ପ୍ରତ୍ୟକଟି ଛକରେ ଜଳଛତ୍ରର ବ୍ୟବସ୍ଥା କରାଯାଇଛି।