ଭୁବନେଶ୍ୱର:ରାଜ୍ୟରେ ଜନଗଣନା ୨୦୨୭ କାର୍ଯ୍ୟକ୍ରମକୁ ସୁଚାରୁରୂପେ ସମ୍ପାଦନ କରିବା ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଗ୍ରହଣ କରାଯାଇଛି। ଏଥିନିମନ୍ତେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ ପାଢୀ ବିଭିନ୍ନ ବିଭାଗର ସଚିବ, ବିଭାଗୀୟ ମୁଖ୍ୟ, ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଏବଂ ମହାନଗର ନିଗମର କମିଶନର ତଥା ମୁଖ୍ୟ ଜନଗଣନା ଅଧିକାରୀଙ୍କୁ ଚିଠି ଲେଖିଛନ୍ତି l ଏହି ଜନଗଣନା ପ୍ରକ୍ରିୟା ଦୁଇଟି ପର୍ଯ୍ୟାୟରେ ଡିଜିଟାଲ୍ ମାଧ୍ୟମରେ ସମ୍ପନ୍ନ କରାଯିବ l
ପ୍ରଥମ ପର୍ଯ୍ୟାୟରେ ଗୃହ ତାଲିକା ଓ ଆବାସ ଜନଗଣନା ୧୬ ଏପ୍ରିଲ ୨୦୨୬ ଠାରୁ ୧୫ ମଇ ୨୦୨୬ ପର୍ଯ୍ୟନ୍ତ ୩୦ ଦିନ ଧରି ଅନୁଷ୍ଠିତ ହେବ। ଏହା ସହିତ ସ୍ୱ-ଗଣନା (Self Enumeration) କାର୍ଯ୍ୟକ୍ରମ ୧ ଏପ୍ରିଲ ୨୦୨୬ ଠାରୁ ୧୫ ଏପ୍ରିଲ ୨୦୨୬ ପର୍ଯ୍ୟନ୍ତ ଚାଲିବ। ଦ୍ୱିତୀୟ ପର୍ଯ୍ୟାୟରେ ଜନସଂଖ୍ୟା ଗଣନା ୨୦୨୭ ମସିହା ଫେବୃଆରୀ ମାସରେ କରାଯିବ।
ଉକ୍ତ ଜନଗଣନା କାର୍ଯ୍ୟର ସଫଳ ସମ୍ପାଦନ ସୁନିଶ୍ଚିତ କରିବା ପାଇଁ ଜନଗଣନା କାର୍ଯ୍ୟରେ ନିୟୋଜିତ ଅଧିକାରୀ ଏବଂ କର୍ମଚାରୀମାନଙ୍କ ବଦଳି ନ କରାଯିବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ବିଭାଗ, ଜିଲ୍ଲା ପ୍ରଶାସନ ଏବଂ ନଗର ନିଗମମାନଙ୍କୁ ନିର୍ଦ୍ଦେଶ ଜାରି କରାଯାଇଛି l ସମସ୍ତ ଜିଲ୍ଲା ଓ ନଗର ନିଗମର ମୁଖ୍ୟ ଜନଗଣନା ଅଧିକାରୀମାନେ ଜନଗଣନା କର୍ମଚାରୀମାନଙ୍କ ପ୍ରଶିକ୍ଷଣକୁ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସମାପ୍ତ କରିବେ। ଜନଗଣନା କାର୍ଯ୍ୟରେ ନିୟୋଜିତ ମାଷ୍ଟର ଟ୍ରେନର ଓ ଫିଲ୍ଡ ଟ୍ରେନରମାନଙ୍କୁ ଜନଗଣନା କାର୍ଯ୍ୟ ସମାପ୍ତି ପର୍ଯ୍ୟନ୍ତ ଅର୍ଥାତ୍ ମାର୍ଚ୍ଚ ୨୦୨୭ ପର୍ଯ୍ୟନ୍ତ ବଦଳି କରାଯିବ ନାହିଁ।
ସୁପରଭାଇଜର ଓ ଏନ୍ୟୁମେରେଟର ଭାବେ ନିଯୁକ୍ତ କର୍ମଚାରୀମାନଙ୍କ ବଦଳି ସମ୍ବନ୍ଧରେ ସମ୍ପର୍କିତ ଜିଲ୍ଲା ମୁଖ୍ୟ ଜନଗଣନା ଅଧିକାରୀଙ୍କ ପୂର୍ବାନୁମତି ବିନା କୌଣସି ପଦକ୍ଷେପ ଗ୍ରହଣ କରାଯିବ ନାହିଁ l ବିଭାଗୀୟ ମୁଖ୍ୟ ଅଧିକାରୀମାନଙ୍କୁ କ୍ଷେତ୍ରସ୍ତରରେ ନିୟୋଜିତ ଜନଗଣନା ଅଧିକାରୀମାନଙ୍କ ବଦଳି ନିୟନ୍ତ୍ରଣ ନିୟମାବଳୀକୁ କଡାକଡି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଜାରି କରାଯାଇଛି, ଯାହା ଜନଗଣନା କାର୍ଯ୍ୟର ସୁସମ୍ପାଦନ ସୁନିଶ୍ଚିତ କରିବ।
ଜନଗଣନା କାର୍ଯ୍ୟରେ ନିଯୁକ୍ତ ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ଜନଗଣନା ଆଇନ,୧୯୪୮ ଓ ଜନଗଣନା ନିୟମାବଳୀ,୧୯୯୦ ଅନୁଯାୟୀ ନିଜର ନିର୍ଦ୍ଦିଷ୍ଟ କର୍ତ୍ତବ୍ୟ ସମ୍ପାଦନ କରିବେ। ଏହି ସମସ୍ତ ପଦକ୍ଷେପ ଭାରତ ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ଗ୍ରହଣ କରାଯାଇଥିବାବେଳେ ରାଜ୍ୟ ସରକାର ଜନଗଣନା ୨୦୨୭ କାର୍ଯ୍ୟକ୍ରମର ସଫଳ ସମ୍ପାଦନ ପାଇଁ ସମସ୍ତଙ୍କ ସହଯୋଗ ଆହ୍ୱାନ କରିଛନ୍ତି।