ଭୁବନେଶ୍ୱର: ଓଡ଼ିଶାର ରାଜଧାନୀ ଭୁବନେଶ୍ୱରର ୭୮ତମ ପ୍ରତିଷ୍ଠା ଦିବସକୁ ଚଳିତ ବର୍ଷ ଭବ୍ୟ ଓ ଆକର୍ଷଣୀୟ ଭାବେ ପାଳନ କରିବାକୁ ପ୍ରସ୍ତୁତି ଜୋରଦାର ହୋଇଛି। ଅପ୍ରିଲ ୧୩ ଓ ୧୪ ଏହି ଦୁଇ ଦିନ ଧରି ଏହି ମହୋତ୍ସବ ଆୟୋଜିତ ହେବାକୁ ଥିବା ବେଳେ, ସରକାରୀ ସ୍ତରରେ ସମସ୍ତ ପ୍ରସ୍ତୁତିକୁ ଅନ୍ତିମ ରୂପ ଦିଆଯାଇଛି।
ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ହୋଇଥିବା ଉଚ୍ଚସ୍ତରୀୟ ବୈଠକରେ ଏହି ଉତ୍ସବ ପାଳନ ସମ୍ପର୍କରେ ମୁଖ୍ୟ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏବର୍ଷ ଏପ୍ରିଲ ୧୩ରେ ସ୍ୱତନ୍ତ୍ର ଭାବେ ଏବଂ ୧୪ରେ ରାଜ୍ୟ ସରକାରଙ୍କ “ଓଡ଼ିଆ ପକ୍ଷ” ସହ ସମନ୍ୱୟରେ ଉତ୍ସବ ପାଳନ କରାଯିବ।
ପ୍ରଥମ ଦିନ ପିଏମଜି ଛକରେ ଅବସ୍ଥିତ ପ୍ରତିଷ୍ଠା ଶିଳାନ୍ୟାସ ଫଳକରେ ପୁଷ୍ପମାଲ୍ୟ ଅର୍ପଣ ସହ କାର୍ଯ୍ୟକ୍ରମ ଆରମ୍ଭ ହେବ। ପରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ପତାକା ଉତ୍ତୋଳନ କରାଯିବା ସହ ରବୀନ୍ଦ୍ର ମଣ୍ଡପରୁ ଜୟଦେବ ଭବନ ପର୍ଯ୍ୟନ୍ତ ଆକର୍ଷଣୀୟ ବେସାମରିକ ପରେଡ୍ ଆୟୋଜିତ ହେବ। ଏହା ସହ ଜୟଦେବ ଭବନରେ ରାଜଧାନୀର ଐତିହ୍ୟ ଓ ଗୌରବକୁ ଉଜାଗର କରିବାକୁ ଫଟୋ ପ୍ରଦର୍ଶନୀ ମଧ୍ୟ ଲୋକଙ୍କ ଆକର୍ଷଣ କେନ୍ଦ୍ରବିନ୍ଦୁ ପାଲଟିବ।
ତେବେ ଗ୍ରୀଷ୍ମ ପ୍ରଭାବକୁ ଦୃଷ୍ଟିରେ ରଖି ପରେଡ୍ କାର୍ଯ୍ୟକ୍ରମକୁ ପ୍ରାତଃକାଳୀନ ସମୟରେ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଛାତ୍ରଛାତ୍ରୀଙ୍କ ପାଇଁ ପାଣି, ଓଆରଏସ୍ ଓ ଆବଶ୍ୟକ ସୁବିଧା ସୁନିଶ୍ଚିତ କରାଯିବ।
ଅପ୍ରିଲ ୧୩ ସନ୍ଧ୍ୟାରେ ଉତ୍କଳ ମଣ୍ଡପରେ “ରାଜଧାନୀ ଗୌରବ ସମ୍ମାନ” ପ୍ରଦାନ କରାଯିବା ସହ ବିଭିନ୍ନ ପ୍ରତିଯୋଗିତାର ବିଜେତାମାନେ ସମ୍ମାନିତ ହେବେ। ଏଥି ସହିତ ଓଡ଼ିଆ ସଂସ୍କୃତିକ ରଙ୍ଗରେ ଭରିଥିବା ଚିତ୍ତାକର୍ଷକ କାର୍ଯ୍ୟକ୍ରମ ଦର୍ଶକଙ୍କୁ ମନୋମୁଗ୍ଧ କରିବ।
ସେହିପରି ଦ୍ୱିତୀୟ ଦିନ ଅପ୍ରିଲ ୧୪ରେ ମଧ୍ୟ ଉତ୍କଳ ମଣ୍ଡପରେ ଓଡ଼ିଆ ପକ୍ଷ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ।ଦୁଇଦିନ ଧରି ଏହି ଉତ୍ସବରେ ବିଭିନ୍ନ ଅତିଥିମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ରାଜଧାନୀ ଭୁବନେଶ୍ୱର ଏହି ଦୁଇ ଦିନ ଧରି ଉତ୍ସବ, ସଂସ୍କୃତି ଓ ଗୌରବର ରଙ୍ଗରେ ରଙ୍ଗିତ ହେବାକୁ ପ୍ରସ୍ତୁତ ହେଉଛି।
ଅଧିକ ପଢନ୍ତୁ: ଖୁବଶୀଘ୍ର ଆସୁଛି ‘କନ୍ୟା ସୁମଙ୍ଗଳ ଯୋଜନା’; ଝିଅ ଜନ୍ମରୁ ୨୧ ବର୍ଷ ପର୍ଯ୍ୟନ୍ତ ମିଳିବ ସରକାରୀ ଆର୍ଥିକ ସହାୟତା