ରାଜ୍ୟରେ ସଡ଼କ ସୁରକ୍ଷାକୁ ଆହୁରି ମଜବୁତ କରିବାକୁ ଆଜିଠାରୁ ପଲ୍ୟୁସନ ଅଣ୍ଡର କଣ୍ଟ୍ରୋଲ ସର୍ଟିଫିକେଟ (PUCC) ଯାଞ୍ଚକୁ ପୁଣି ଥର କଡ଼ାକଡ଼ି ଭାବେ ଆରମ୍ଭ କରାଯାଇଛି। ପୂର୍ବରୁ ପ୍ରଦୂଷଣ ସାର୍ଟିଫିକେଟ ଯାଞ୍ଚ ଏପ୍ରିଲ ପହିଲା ଯାଏଁ କୋହଳ ଥିବା ବେଳେ ୨ ତାରିଖରୁ ଅର୍ଥାତ ଆଜିଠାରୁ ଜୋରଦାର କରାଯାଇଛି।
ପରିବହନ ବିଭାଗର ନିର୍ଦ୍ଦେଶରେ ଚାଲିଥିବା ବିଶେଷ ସଡ଼କ ସୁରକ୍ଷା ଅଭିଯାନକୁ ଏପ୍ରିଲ ୧୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ମାର୍ଚ୍ଚ ୨୧ରୁ ଆରମ୍ଭ ହୋଇଥିବା ଏହି ଅଭିଯାନର ଲକ୍ଷ୍ୟ ହେଉଛି ସଡ଼କ ଦୁର୍ଘଟଣା କମେଇବା ସହ ଗାଡ଼ି ଚାଳକଙ୍କୁ ସଚେତନ କରିବା। ଏବେ ନୂଆ ନିୟମ ଅନୁସାରେ, ଯଦି କୌଣସି ଗାଡ଼ିରେ PUCC ନଥାଏ, ତେବେ ଚାଳକଙ୍କୁ ସିଧାସଳଖ ୧୦ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ।
ରାଜ୍ୟରେ ଏପର୍ଯ୍ୟନ୍ତ ପ୍ରାୟ ୧୮ ଲକ୍ଷ ଗାଡ଼ିର PUCC ଅପଡେଟ ହୋଇନଥିବାରୁ ଏହାକୁ ଗୁରୁତ୍ୱ ସହ ନିଆଯାଇଛି। ଏହା ସହିତ ପେଟ୍ରୋଲ ପମ୍ପଗୁଡ଼ିକୁ ମଧ୍ୟ କଠୋର ନିର୍ଦ୍ଦେଶ ଦିଆଯାଇଛି। PUCC ଦେଖାଇବା ପରେ ମାତ୍ର ଗାଡ଼ିରେ ତେଲ ଭରାଯିବ। ଏହା ଦ୍ୱାରା ଅନିୟମିତ ଓ ପ୍ରଦୂଷଣକାରୀ ଗାଡ଼ିକୁ ରୋକିବାକୁ ସହାୟତା ମିଳିବ।
ପରିବହନ ବିଭାଗ ପକ୍ଷରୁ ମାଗଣାରେ “ଗ୍ରୀନ ଷ୍ଟିକର” ବଣ୍ଟନ କରାଯାଉଛି, ଯାହାକୁ ଗାଡ଼ିର କାଚରେ ଲଗାଇବାକୁ ପରାମର୍ଶ ଦିଆଯାଇଛି। ଏହା ଯାଞ୍ଚକାରୀଙ୍କ ପାଇଁ ଗାଡ଼ିର ସ୍ଥିତି ଚିହ୍ନଟ କରିବାରେ ସହଜ କରିବ।
ସରକାରଙ୍କ ଏହି ପଦକ୍ଷେପ ସଡ଼କ ସୁରକ୍ଷା ଓ ପରିବେଶ ସୁରକ୍ଷା ପାଇଁ ଦୃଢ଼ ପଦକ୍ଷେପ ବୋଲି ମନେ କରାଯାଉଛି। ତେଣୁ ଗାଡ଼ି ଚାଳକମାନେ ଶୀଘ୍ର PUCC ଅପଡେଟ କରି ଜରିମାନାରୁ ବଞ୍ଚନ୍ତୁ।
ଅଧିକ ପଢନ୍ତୁ: ସହରରେ PNG ବାଧ୍ୟତାମୂଳକ; ମାସକ ମଧ୍ୟରେ ଦିଆଯିବ ପିଏନ୍ଜି ସଂଯୋଗ,ଗ୍ୟାସ୍ କଳାବଜାରୀ ରୋକିବାକୁ e-KYC ଅନିବାର୍ଯ୍ୟ