କୋଲକାତା: ବ୍ୟାଟରଙ୍କ ପରେ ବୋଲରଙ୍କ ଦମଦାର ପ୍ରଦର୍ଶନ । ଚଳିତ ଆଇପିଏଲ ସିଜିନରେ ନିଜର ଦ୍ୱିତୀୟ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ କୋଲକାତା ନାଇଟ୍ ରାଇଡର୍ସକୁ ୬୫ ରନରେ ହରାଇଛି । ଏହା ସହିତ ଦଳ ପ୍ରଥମ ବିଜୟ ହାସଲ କରିଛି । ଅନ୍ୟପଟେ କୋଲକାତା କ୍ରମାଗତ ଦ୍ୱିତୀୟ ମ୍ୟାଚରେ ପରାଜିତ ହୋଇଛି । ପ୍ରଥମେ ବ୍ୟାଟିଂ କରିଥିବା ହାଇଦ୍ରାବାଦ ଟପ୍ ଅର୍ଡର ବ୍ୟାଟରଙ୍କ ଦମଦାର ପ୍ରଦର୍ଶନ ବଳରେ ୮ ୱିକେଟ୍ ହରାଇ ୨୨୬ ରନ କରି ପାରିଥିଲା । ଜବାବରେ କୋଲକାତା ଭଲ ଆରମ୍ଭ ସତ୍ତ୍ୱେ ୧୬ ଓଭରରେ ୧୬୧ ରନରେ ଅଲଆଉଟ୍ ହୋଇଛି ।
୨୨୭ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା କୋଲକାତା ପକ୍ଷରୁ ଫିନ ଆଲେନ ଧୂଆଁଧାର ବ୍ୟାଟିଂ କରି ମାତ୍ର ୭ ବଲରୁ ୪ ଚୌକା ଓ ୨ ଛକା ସହ ୨୮ ରନ କରି ଦଳକୁ ଦମଦାର ଆରମ୍ଭ ଦେଇଥିଲେ । ଏହା ପରେ ଅଙ୍ଗକୃଷ ରଘୁବଂଶୀ ଅର୍ଦ୍ଧଶତକୀୟ ଇନିଂସ ଖେଳି ଦଳର ରନହାର ବଜାୟ ରଖିଥିଲେ । ରଘୁବଂଶୀ ୨୯ ବଲରୁ ୫୨ ରନ କରିଥିିଲେ । ଉପଅଧିନାୟକ ରିଙ୍କୁ ସିଂ ୩୫ ରନ କରିଥିଲେ ହେଁ ଦଳ ପାଇଁ ତାହା ପର୍ଯ୍ୟାପ୍ତ ନ ଥିଲା ।
ଅଧିନାୟକ ଆଜିଙ୍କ୍ୟ ରାହାଣେ ୮ ରନ, କ୍ୟାମେରୁନ ଗ୍ରୀନ ୨ ରନ, ଅନୁକୁଲ ରୟ ୦ , ରମଣଦୀପ ସିଂ ୧୦ ଓ ସୁନୀଲ ନାରିନ ୧୨ ରନ କରି ଦଳକୁ ନିରାଶ କରିଥିଲେ । ଶେଷରେ କୋଲକାତା ମଜବୁତ ଆରମ୍ଭ ସତ୍ତ୍ୱେ ୧୬ ଓଭରରେ ୧୬୧ ରନରେ ଅଲଆଉଟ୍ ହୋଇଛି । ହାଇଦ୍ରାବାଦ ପକ୍ଷରୁ ବୋଲିଂରେ ଜୟଦେବ ଉନାଦକତ ୩ଟି, ଇଶାନ ମାଲିଙ୍ଗା ୧୪ ରନ ଦେଇ ୨ଟି ଏବଂ ନୀତିଶ କୁମାର ରେଡ୍ଡୀ ୨ ଓଭରରେ ୧୭ ରନ ଦେଇ ୨ଟି ୱିକେଟ୍ ନେଇଥିଲେ ।
ଏହା ପୂର୍ବରୁ ସନରାଇଜର୍ସ ହାଇଦ୍ରାବାଦ ୨୨୬ ରନର ପାହାଡ ଛିଡା କରିଥିଲା । ଟ୍ରେଭିସ ହେଡ ୪୬ ରନ, ଅଭିଷେକ ଶର୍ମା ୪୮ ରନର ବିସ୍ଫୋରକ ଇନିଂସ ଖେଳି ଦମଦାର ଆରମ୍ଭ ଦେଇଥିଲେ । ଅଧିନାୟକ ଇଶାନ କିଶନ ୧୪ ରନ କରିଥିଲେ । ତେବେ ମଧ୍ୟ କ୍ରମଠୁ ନେଇ ନିମ୍ନକ୍ରମ ପର୍ଯ୍ୟନ୍ତ ହେନରିକ କ୍ଲାସେନ ଇନିଂସ ସମ୍ଭାଳିଥିଲେ । ସେ ୩୫ ବଲରୁ ୫୨ ରନ ଓ ନୀତିଶ କୁମାର ରେଡ୍ଡୀ ୩୯ ରନ କରି ଦଳର ସ୍କୋରକୁ ୮ ୱିକେଟରେ ୨୨୬ରେ ପହଞ୍ଚାଇଥିଲେ ।