ତିରୁଅନନ୍ତପୁରମ: ଆର୍ଜେଣ୍ଟିନାର ଜାତୀୟ ଫୁଟବଲ ଦଳ ଏବଂ ତାରକା ଖେଳାଳି ଲିଓନେଲ ମେସିଙ୍କ ଉପରେ ସଙ୍ଗୀନ ଅଭିଯୋଗ ଲଗାଇଛନ୍ତି କେରଳର କ୍ରୀଡ଼ା ମନ୍ତ୍ରୀ। ଟଙ୍କା ନେଇ ଟିମ୍ କି ମେସି ଖେଳିବାକୁ ଆସି ନ ଥିବା ସେ କହିଛନ୍ତି। କେରଳର କ୍ରୀଡ଼ା ମନ୍ତ୍ରୀ ଭି. ଅବଦୁରହୀମାନ ଏହା ମଧ୍ୟ ଦାବି କରିଛନ୍ତି ଯେ, ଆର୍ଜେଣ୍ଟିନାର ଫୁଟବଲ୍ ଦଳ ୫ ଅନ୍ୟ ଦେଶ ସହିତ ଏମିତ କରିଛନ୍ତି। କେରଳ ଖେଳିବାକୁ ଆସିବା କହି ଟଙ୍କା ନେଲେ ହେଲେ ଖେଳିବାକୁ ଆସିଲେ ନାହିଁ। ମେସି ଓ ଆର୍ଜେଣ୍ଟିନା ଟିମ୍ ୨୦୨୬ ମାର୍ଚ୍ଚରେ କେରଳ ଆସିବାର ଥିଲା।
ଅବଦୁରହୀମାନ ଗୁରୁବାର କହିଛନ୍ତି, ଆର୍ଜେଣ୍ଟିନାର ଜାତୀୟ ଦଳ କେରଳ ଅସିବା ପାଇଁ ପ୍ରତିଶ୍ରୁତି ଦେଇ ଧୋକା ଦେଇଛନ୍ତି। ଏହା ଉପରେ ସେ ଗଭୀର ଦୁଃଖ ପ୍ରକାଶ କରି କହିଛନ୍ତି, ଆର୍ଜେଣ୍ଟିନାର ଟିମ୍ ଓ ସୁପରଷ୍ଟାର ଲିଓନେଲ ମେସି ସମ୍ଭାବିତ ଗସ୍ତ ପାଇଁ ଯଥା ସମ୍ଭବ ଚେଷ୍ଟା କରିଥିଲେ। କାର୍ଯ୍ୟକ୍ରମ ପାଇଁ ଅନେକ ପର୍ଯ୍ୟାୟରେ ଆଲୋଚନା ହୋଇଥିଲା।
ଟଙ୍କା ନେଇ ଖେଳିବାକୁ ଆସିଲେନି
ଅବଦୁରହୀମାନ କହିଛନ୍ତି ଆର୍ଜେଣ୍ଟିନାର ଫୁଟବଲ୍ ଟିମ ଟଙ୍କା ନେବା ପରେ ବି ଖେଳିବା ପାଇଁ କେରଳ ଆସି ନ ଥିଲେ। ସେ ବାସ୍ତବରେ ଚାହୁଁଥିଲେ ମେସି ଏବଂ ତାଙ୍କ ଟିମ୍ ଆସି କେରଳରେ ମ୍ୟାଚ୍ ଖେଳୁ।
ଏକ ଟିଭି ଚ୍ୟାନେଲ ସହ ଆଲୋଚନା ବେଳେ କ୍ରୀଡ଼ା ମନ୍ତ୍ରୀ କହିଛନ୍ତି, ଏଥିପାଇଁ ମୁଁ ଅନେକ ଥର ଆଲୋଚନା କରିଥିଲି। ଅନ୍ତର୍ଜାତୀୟ ଫୁଟବଲ ଟିମ୍ ପାଇଁ ୨୫୦ କୋଟି ଟଙ୍କାର ଧନରାଶି ଯୋଗାଡ଼ ପାଇଁ ଉଦ୍ୟମ କରିବା ସହଜ ନୁହେଁ। ହେଲେ ମୋଟା ଅଙ୍କର ଟଙ୍କା ନେବା ପରେ ବି ଆମକୁ ଆର୍ଜେଣ୍ଟିନା ଦଳ ଧୋକା ଦେଇି। ଅବଦୁରହୀମା କହିଛନ୍ତି, ଏମିତି ସ୍ଥିତିରେ ଆର୍ଜେଣ୍ଟିନା ଟିମ୍ ବିରୋଧରେ ଏଫଆଇଆର ରୁଜୁ କରିବା ଉଚିତ୍। ଆମକୁ କ୍ଷତିପୂରଣ ଦେବାକୁ ପଡ଼ିବ।