ଜଳେଶ୍ୱର: ଜଳେଶ୍ୱର ବ୍ଲକ ଅନ୍ତର୍ଗତ ବର୍ତ୍ତନା ଗ୍ରାମପଞ୍ଚାୟତରେ ରାଜନୈତିକ ହଟ ଚମଟ ଦେଖାଦେଇଛି। ବର୍ତ୍ତମାନର ସରପଞ୍ଚ ଶ୍ରୀମତୀ ମଧୁସ୍ମିତା ବେହେରାଙ୍କ ବିରୋଧରେ ଦୁର୍ନୀତି ଓ ସ୍ୱେଚ୍ଛାଚାରିତାର ସଂଗୀନ ଅଭିଯୋଗ ଆଣି ପଞ୍ଚାୟତର ମୋଟ ୧୩ ଜଣ ସଭ୍ୟଙ୍କ ମଧ୍ୟରୁ ୧୧ ଜଣ ସଭ୍ୟ ଏକାଠି ହୋଇ ଅନାସ୍ଥା ପ୍ରସ୍ତାବ ପାଇଁ ଉପ-ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ବର୍ତ୍ତନା ପଞ୍ଚାୟତର ୧୧ ଜଣ ନିର୍ବାଚିତ ୱାର୍ଡ ସଭ୍ୟ ଓ ସଭ୍ୟାବୃନ୍ଦ ବାଲେଶ୍ୱର ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବ୍ୟକ୍ତିଗତ ଭାବେ ଉପସ୍ଥିତ ହୋଇ ଏକ ସ୍ୱାକ୍ଷର ସମ୍ବଳିତ ଦରଖାସ୍ତ ପ୍ରଦାନ କରିଛନ୍ତି। ଏହି ଅନାସ୍ଥା ପ୍ରସ୍ତାବରେ..
କାଳିଚରଣ ପାଳ (ୱାର୍ଡ ନଂ-୧୨),
ଗଣେଶଚନ୍ଦ୍ର ସାମଲ (ୱାର୍ଡ ନଂ-୬),
ତ୍ରିଲୋଚନ ସେଠୀ (ୱାର୍ଡ ନଂ-୫),
ବିଜୟ କୁମାର ସାମଲ (ୱାର୍ଡ ନଂ-୪),
ରଞ୍ଜିତା ବିର (ୱାର୍ଡ ନଂ-୧୧),
ମିନତି ବେହେରା (ୱାର୍ଡ ନଂ-୮),
ଦ୍ରୁପଦି ଟୁଟୁ (ୱାର୍ଡ ନଂ-୧୦),
କସ୍ତୁରୀ ଜେନା (ୱାର୍ଡ ନଂ-୭),
ମଞ୍ଜରୀ ଧଳ (ୱାର୍ଡ ନଂ-୧),
ମମତା ଦଳାଇ (ୱାର୍ଡ ନଂ-୩)
ଏବଂ ସୁଷମା ରାଣୀ ଜେନା (ୱାର୍ଡ ନଂ-୧୩) ପ୍ରମୁଖ ସାମିଲ ଅଛନ୍ତି। ସରପଞ୍ଚ ସାମାଜିକ ପଛୁଆ ବର୍ଗଙ୍କ ଉନ୍ନତି ପାଇଁ ଉଦ୍ଦିଷ୍ଟ ପାଣ୍ଠିକୁ ସରକାରୀ ନିୟମ ଉଲ୍ଲଂଘନ କରି ସଭ୍ୟମାନଙ୍କ ଅଗୋଚରରେ ଅନ୍ୟତ୍ର ବିନିଯୋଗ କରିଛନ୍ତି। ଏହାସହ ଆବାସ ଯୋଜନା, ରାସ୍ତା ଓ ପାନୀୟ ଜଳ ପ୍ରକଳ୍ପରେ ବ୍ୟାପକ ଆର୍ଥିକ ଅନିୟମିତତା ହୋଇଥିବା ସେମାନେ ଦର୍ଶାଇଛନ୍ତି। ପଞ୍ଚାୟତ ପରିଚାଳନାରେ ସରପଞ୍ଚ ସମ୍ପୂର୍ଣ୍ଣ ସ୍ୱେଚ୍ଛାଚାରୀ ଆଚରଣ ପ୍ରଦର୍ଶନ କରିବା ସହ ୱାର୍ଡ ସଭ୍ୟମାନଙ୍କୁ କୌଣସି ଗୁରୁତ୍ୱ ଦେଉନାହାନ୍ତି। ଓଡ଼ିଶା ଗ୍ରାମପଞ୍ଚାୟତ ଆଇନ, ୧୯୬୪ର ଧାରା ୨୪ ଅନୁଯାୟୀ ଏହି ଅନାସ୍ଥା ପ୍ରସ୍ତାବ ଆଗତ କରାଯାଇଛି। ସଂଖ୍ୟାଗରିଷ୍ଠ ସଭ୍ୟ (୧୩ରୁ ୧୧ ଜଣ) ଏହି ପ୍ରସ୍ତାବକୁ ସମର୍ଥନ କରିଥିବାରୁ, ସରପଞ୍ଚଙ୍କ ପଦବୀ ଏବେ ସଙ୍କଟରେ ପଡ଼ିଛି। ଏହି ବିଷୟରେ ତୁରନ୍ତ ପଦକ୍ଷେପ ନେଇ ଏକ ସ୍ୱତନ୍ତ୍ର ବୈଠକ ଡକାଇବାକୁ ସଭ୍ୟମାନେ ନିବେଦନ କରିଛନ୍ତି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।