ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀ ତାଣ୍ଡବ ଚାଲିଥିବା ବେଳେ ଜନଜୀବନ ପ୍ରଭାବିତ ହୋଇଛି। ନୟାଗଡ, ଆଠଗଡ଼, ବରଗଡ଼, ପାଟଣାଗଡ଼ ଓ କଳାହାଣ୍ଡିର କଲମପୁର ଅଞ୍ଚଳରେ ଭୟଙ୍କର ବର୍ଷା, ଘଡଘଡି, ବିଜୁଳି ସହ ପବନର ଜୋରଦାର ମାଡ ଦେଖାଯାଇଛି। ଅନେକ ସ୍ଥାନରେ କୁଆପଥର ବର୍ଷା ହୋଇଥିବାରୁ ସ୍ଥାନୀୟ ଲୋକେ ଭୟଭୀତ ହୋଇପଡ଼ିଛନ୍ତି।
ପବନର ବେଗ ଏତେ ଜୋର ଥିଲା ଯେ ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିଥିଲା। ବିଦ୍ୟୁତ ତାର ଛିଡ଼ିଯାଇଥିବାରୁ ଅନେକ ଅଞ୍ଚଳରେ ବିଦ୍ୟୁତ ସେବା ବ୍ୟାହତ ହୋଇଛି। ଫସଲ ନଷ୍ଟ ହୋଇଥିବା ସହ ଗ୍ରାମାଞ୍ଚଳର ଅନେକ ଘରର ଛପର ଉଡିଯାଇ ଲୋକମାନେ କ୍ଷତିଗ୍ରସ୍ତ ହୋଇଛନ୍ତି।
ଏହି କାଳବୈଶାଖୀର ଭୟାବହ ଚିତ୍ର ନୟାଗଡ଼ର ଦଶପଲ୍ଲାରେ ଦେଖିବାକୁ ମିଳିଛି। ଲଙ୍କାପୋଡି ଯାତ୍ରା ପାଇଁ ତିଆରି ହୋଇଥିବା ରାବଣ ମୁଣ୍ଡ ପବନରେ ଭାଙ୍ଗିଯାଇଛି। ଜୋରରେ ପବନ ଓ ବର୍ଷା ହେବାରୁ ରାବଣ ମୁଣ୍ଡ ଭାଙ୍ଗି ଉଡିଯାଇଛି। ଏପଟେ ଖୋର୍ଦ୍ଧା-ବଲାଙ୍ଗୀର ରାସ୍ତାରେ ଲାଇଟ୍ ଗେଟ୍ ଭାଙ୍ଗି ପଡ଼ିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଅଗ୍ନିଶମ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ସଫା କାର୍ଯ୍ୟ ଜାରି ରଖିଛନ୍ତି।
ସେହିପରି ଆଠଗଡ଼ NAC ଅଞ୍ଚଳରେ ମଧ୍ୟ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି। ପୁରୁଣା କଟକ-ସମ୍ବଲପୁର ରାସ୍ତାର କରିକୋଲ ପେଟ୍ରୋଲ ପମ୍ପ ନିକଟରେ ଏକ ବିରାଟ କଂକ୍ରିଟ ତୋରଣ ଭାଙ୍ଗି ପଡ଼ି ଏକ କାର ଉପରେ ପଡ଼ିଥିଲା। ସ୍ୱଭାଗ୍ୟବଶତଃ ଡ୍ରାଇଭର ଅଳ୍ପକେ ପ୍ରାଣରକ୍ଷା ପାଇଛନ୍ତି।
କାଳବୈଶାଖୀର ତାଣ୍ଡବକୁ ନେଇ ଲୋକମାନଙ୍କ ମନରେ ଭୟ ଓ ଆତଙ୍କ ସୃଷ୍ଟି ହୋଇଛି। ପ୍ରଶାସନ ପକ୍ଷରୁ ସତର୍କତା ଜାରି କରାଯାଇଥିବା ବେଳେ ଆଗାମୀ ଦିନରେ ମଧ୍ୟ ଏପରି ପାଣିପାଗ ଜାରି ରହିପାରେ ବୋଲି ସୂଚନା ମିଳିଛି। ରାଜ୍ୟରେ ୧୦ ତାରିଖ ଯାଏ କାଳବୈଶାଖୀର ପ୍ରଭାବ ଜାରି ରହିବ। ତେବେ ଆସନ୍ତା ସପ୍ତାହରେ ପଶ୍ଚିମା ଝଡ ଓ କାଳବୈଶାଖୀ ହେବ। ମୟୁରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ଗଞ୍ଜାମ, ଗଜପତି ଓ ରାୟଗଡ଼ାରେ ଘଡଘଡି, ବର୍ଷା ସହ ୪୦ ରୁ ୫୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି। ୭ ଓ ୮ ତାରିଖରେ ଉତ୍ତର ଓଡିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଓ ଘଡଘଡି ନେଇ ପାଣିପାଗ ବିଭାଗ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି। ୯ ଯାଏ ଉପକୂଳ ଓଡିଶାର ବିଭିନ୍ନ ସ୍ଥାନରେ ଝଡ ବର୍ଷା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ଅଧିକ ପଢନ୍ତୁ: ପ୍ରବଳ ବର୍ଷିଲା କୁଆପଥର, କାଶ୍ମୀରର ଭ୍ରମ ସୃଷ୍ଟି