ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା କମର୍ଦ୍ଦା ଥାନା ଅନ୍ତର୍ଗତ ଚକେଇସବ ଗ୍ରାମରେ ମାକୁ ବିଷ ଦେଇ ହତ୍ୟା କରିଛି କୁଳାଙ୍ଗାର ପୁଅ । ଏ ନେଇ ମହିଳାଙ୍କ ନଣନ୍ଦ ଏବଂ ଭଉଣୀ ଅଭିଯୋଗ କରିଛନ୍ତି । ଆଉ ସଇତାନ ପୁଅକୁ ଗଛରେ ବାନ୍ଧି ଉତ୍ତମ ମଧ୍ୟମ ଦେଇଛନ୍ତି ଗ୍ରାମବାସୀ । ମୃତ ମହିଳା ହେଲେ ପଦ୍ମାବତୀ ଦଳାଇ । ଅଭିଯୁକ୍ତ ପୁଅ ଲକ୍ଷ୍ମୀକାନ୍ତ ଦଳାଇ ।
ସୂଚନା ଅନୁସାରେ, କମର୍ଦ୍ଦା ଥାନା ଅନ୍ତର୍ଗତ ଚକେଇସବ ଗ୍ରାମର ପଦ୍ମାବତୀ ଦଳାଇ ଓ ପୁଅ ଲଷ୍ମୀକାନ୍ତ ଦଳାଇଙ୍କ ମଧ୍ୟରେ ପାରିବାରିକ କଳହ ଲାଗି ରହୁଥିଲା । ପୁତୁରା ବୈଦ୍ୟନାଥ ଦଳାଇଙ୍କ କହିବା ଅନୁଯାଇ ଗତ କାଲି ରାତିରେ ପୁଅ ମାକୁ ମାଡ଼ ମାରି ଘର ବାହାରକୁ ବାହାର କରି ଦେଇ ଥିଲା । ଆଜି ସକାଳ ସ୍ତ୍ରୀକୁ ଶଶୁର ଘରେ ଛାଡି ଦେଇ ପୁଅ ଘରକୁ ଫେରିଥିଲା । କିଛି ବିଷାକ୍ତ ଦ୍ରବ୍ୟ ମା ମୁହଁରେ ଜବରଦସ୍ତ ଖୁଆଇ ଦେଇଥିଲା । କିଛି ସମୟ ପରେ ମାର ମୃତ୍ୟୁ ହୋଇଥିବା ସେ କହିଛନ୍ତି ।
ପରିବାର ଲୋକ ଓ ଗ୍ରାମବାସୀ ପୁଅକୁ ଗଛରେ ବାନ୍ଧି ପୋଲିସକୁ ଖବର ଦେଇ ଥିଲେ । ପୋଲିସ ଘଟଣା ସ୍ଥଳରେ ପହଁଚି ଯୁବକକୁ ଗିରଫ କରିବା ସହିତ ମୃତ ଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି । ଶବ ବ୍ୟବଚ୍ଛେଦ ପରେ ପ୍ରକୃତରେ ପଦ୍ମାବତୀଙ୍କର ମୃତ୍ୟୁ କିପରି ହେଲା ତାହା ସ୍ପଷ୍ଟ ହେବ ।