କଟକ: ଚୌଦ୍ୱାର ମଣ୍ଡଳ କାରାଗାରରୁ ଫେରାର ହୋଇଥିବା କଏଦୀ ରାଜା ସାହାଣୀକୁ ଓଡ଼ିଶା ପୋଲିସ ଟ୍ରାଞ୍ଜିଟ୍ ରିମାଣ୍ଡରେ କଟକ ଆଣିଛି । ତାକୁ ଆଜି କୋର୍ଟରେ ହାଜର କରାଯିବ । ଏହା ପରେ ରିମାଣ୍ଡ ପାଇଁ ପୋଲିସ ଆବେଦନ କରିପାରେ । କେମିତି ଫେରାର ହୋଇଥିଲେ, ସେମାନଙ୍କୁ କିଏ ସହଯୋଗ କରିଥିଲେ ସେ ନେଇ ପୋଲିସ ଖୋଳତାଡ଼ କରିବ ।
ଉଭୟ ମଧୁକାନ୍ତ ଏବଂ ରାଜା ଯାଜୁପର ପାଣିକୋଇଲି ସ୍ଥିତ ପଣ୍ଡା ଅଳଙ୍କାର ଲୁଟ୍ ଏବଂ ଦୁଇ ଜଣଙ୍କୁ ହତ୍ୟା କରିବା ମାମଲାର ମୁଖ୍ୟ ଅଭିଯୁକ୍ତ ଅଟନ୍ତି । ଗତବର୍ଷ ଅକ୍ଟୋବର ୨ ତାରିଖ ଦଶହରା ରାତିରେ ଚୌଦ୍ୱାର ମଣ୍ଡଳ କାରାଗାରରେ ଥିବା ଦୁଇ କଏଦୀ ମଧୁକାନ୍ତ ରାଣା ଓ ରାଜା ସାହାଣୀ ଫେରାର ହୋଇଯାଇଥିଲେ । ସେମାନେ ଓଡ଼ିଶା ସୀମା ପାର କରି ଉତ୍ତର ପ୍ରଦେଶ ଚାଲି ଯାଇଥିଲେ । ପ୍ରାୟ ଚାରୋଟି ରାଜ୍ୟରେ ଉଭୟ ପୋଲିସ ଆଖିରେ ଧୂଳି ଦେଇ ଚମ୍ପଟ ମାରୁଥିଲେ । ଶେଷରେ ଫେବ୍ରୁଆରୀରେ ପ୍ରଥମେ ମଧୁକାନ୍ତକୁ ଉତ୍ତର ପ୍ରଦେଶର ବୃନ୍ଦାବନରୁ ଗିରଫ କରାଯାଇଥିଲା । ଏହା ପରେ ଗତ ଦୁଇ ଦିନ ତଳେ ରାଜା ସାହାଣୀକୁ ଉତ୍ତରାଖଣ୍ଡର ଋଷିକେଶରୁ ଗିରଫ କରାଯାଇଥିଲା ।