ନୟାଗଡ : ପୁଣି ବାଣ ଭିଡିବା ବେଳେ ବିସ୍ଫୋରଣ। ଫଳରେ ଗୋଟିଏ ପରିବାରର ୬ ଜଣ ଗୁରୁତର ଆହତ ହୋଇଛନ୍ତି। ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ଏହି ବିସ୍ପୋରଣ ନୟାଗଡ ଜିଲ୍ଲା ଦଶପଲ୍ଲା ନୂଆଗାଁ ଥାନା କୋରଡା ଗାଁରେ ହୋଇଛି। ବାଣ ଏତେ ଜୋରରେ ବିସ୍ଫୋରଣ ହେଇଥିଲା ଯେ ଚାରିପାଖରେ ଥିବା ଘର ସବୁକିଛି ଛାରଖାର ହୋଇଯାଇଥିଲା। ଖବରପାଇ ପୋଲିସ ଘଟଣସ୍ଥଳରେ ପହଞ୍ଚି ଘଟଣାର ଅନୁଧ୍ୟାନ ଆରମ୍ଭ କରିଛି।
ସୂଚନା ଅନୁସାରେ, ଦଶପଲ୍ଲା ନୂଆଗାଁ ଥାନା କୋରଡା ଗାଁର ଗୋଟିଏ ପରିବାରର ଦଶପଲ୍ଲାରେ ହେବାକୁ ଥିବା ଲଙ୍କାପୋଡି ଉତ୍ସବ ପାଇଁ ନିଜ ଘରେ ବାଣ ଭିଡୁଥିଲେ। ଏହି ସମୟରେ ହଠାତ ବିସ୍ପୋରଣ ଘଟିଥିଲା। ଫଳରେ ଘରେ ନିଆଁ ଲାଗିଯିବା ସହିତ ଘରେ ଥିବା ୬ ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତରଙ୍କ ମଧ୍ୟରେ ୨ ଜଣ ମହିଳା ରହିଛନ୍ତି। ୬ ଜଣଙ୍କୁ ଜିଲ୍ଲା ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ଥାନୀୟ ଲୋକେ ଭର୍ତ୍ତି କରିଥିଲେ। ତେବେ ବାରମ୍ବାର ବେଆଇନ ଭାବେ ବାଣ ତିଆରି ହେଉଛି ଏବଂ ସେହି କାରଣରୁ ବିସ୍ପୋରଣ ହେଉଛି ହେଲେ ପୋଲିସ କିପରି ଜାଣିପାରୁନି ସେ ନେଇ ଏକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।