ଭୁବନେଶ୍ୱର: ଏପ୍ରିଲ ପହିଲାରୁ ଡିଜିଟାଲ ଜନଗଣନା ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ୱ-ଗଣନା କରିଛନ୍ତି । ମୁଖ୍ୟମନ୍ତ୍ରୀ ସରକାରୀ ବାସଭବନରେ ସ୍ୱ-ଗଣନା କରି ନିଜ ପରିବାରର ତଥ୍ୟ ଦାଖଲ କରିଛନ୍ତି । ଏହା ସହିତ ସମସ୍ତଙ୍କୁ ଏହି ସ୍ୱ-ଗଣନା ପ୍ରକ୍ରିୟାରେ ସାମିଲ ହୋଇ ସୁରକ୍ଷିତ ଓ ସଠିକ୍ ତଥ୍ୟ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ‘ଏକ୍ସ’ରେ ସ୍ୱ-ଗଣନା ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏକ ସଶକ୍ତ ଏବଂ ପ୍ରଗତିଶୀଳ ରାଜ୍ୟ ତଥା ରାଷ୍ଟ୍ର ଗଠନ ପାଇଁ ସଠିକ୍ ପରିସଂଖ୍ୟାନ ଏବଂ ସୁଚିନ୍ତିତ ଯୋଜନା ଅପରିହାର୍ଯ୍ୟ। ଏହି ପରିପ୍ରେକ୍ଷୀରେ, 'ଜନଗଣନା-୨୦୨୭' ଆମ ବିକାଶ ଧାରାକୁ ଏକ ନୂତନ ଦିଗ ପ୍ରଦାନ କରିବ। ପ୍ରଥମ ଥର ପାଇଁ ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ଡିଜିଟାଲାଇଜ୍ କରାଯାଇଥିବା ବେଳେ ନାଗରିକମାନଙ୍କ ସୁବିଧା ପାଇଁ 'ସ୍ୱ-ଗଣନା' (Self-Enumeration) ର ଅଭିନବ ବ୍ୟବସ୍ଥା ରହିଛି । ଆଜି ଏହି ସାମୂହିକ ଅଭିଯାନରେ ସାମିଲ ହୋଇ ସେ ତାଙ୍କର ପରିବାରର 'ସ୍ୱ-ଗଣନା' ପ୍ରକ୍ରିୟା ସମ୍ପୂର୍ଣ୍ଣ କରିଛନ୍ତି ।
ତତସହିତ ମୁଖ୍ୟମନ୍ତ୍ରୀ, ଜନସାଧାରଣଙ୍କୁ ମଧ୍ୟ ଏହି ଗୁରୁତ୍ୱପୂର୍ଣ୍ଣ ଡିଜିଟାଲ୍ ବ୍ୟବସ୍ଥାର ସହଭାଗୀ ହେବାକୁ ଆହ୍ୱାନ କରିଛନ୍ତି । ଆସନ୍ତା ଏପ୍ରିଲ୍ ୧୫ ତାରିଖ ମଧ୍ୟରେ https://se.census.gov.in ପୋର୍ଟାଲ୍ ପରିଦର୍ଶନ କରି ନିଜ ପରିବାରର ବିବରଣୀ ସୁରକ୍ଷିତ ଓ ସଠିକ୍ ଭାବେ ପ୍ରଦାନ କରିବାକୁ ସମସ୍ତଙ୍କୁ ଆହ୍ୱାନ କରିଛନ୍ତି । ଆମର ସାମୂହିକ ସହଯୋଗ ହିଁ ଏକ ସମୃଦ୍ଧ ଓଡ଼ିଶା ଗଠନର ମାର୍ଗ ପ୍ରଶସ୍ତ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି ।
ଓଡ଼ିଶାରେ ରାଜ୍ୟପାଳଙ୍କଠାରୁ ଜନଗଣନା ପ୍ରକ୍ରିୟାର ଶୁଭାରମ୍ଭ ହୋଇଛି । ଏପ୍ରିଲ ୧୬ ତାରିଖରୁ ତାଲିମପ୍ରାପ୍ତ ଗଣନାକାରୀମାନେ ଘର-ଘର ବୁଲି ତଥ୍ୟ ସଂଗ୍ରହ କରିବେ ।