1971 ଭାରତ ପାକିସ୍ତାନ ଯୁଦ୍ଧ ପରେ ବିଶ୍ୱ ମାନଚିତ୍ର ବଦଳି ଯାଇଥିଲା। ଜନ୍ମ ନେଇଥିଲା ବାଂଲାଦେଶ। ଏହି ଯୁଦ୍ଧ ପରେ ଇନ୍ଦିରା ଗାନ୍ଧୀ ଦେଶର ସବୁଠାରୁ ଶକ୍ତିଶାଳୀ ନେତା ଭାବେ ଉଭା ହୋଇଥିଲେ। କିନ୍ତୁ ଏହାସତ୍ୱେ ଇନ୍ଦିରାଙ୍କ ମନରେ ଭୟ ଥିଲା। ଭୟ,ଯୁଦ୍ଧ ଜିତିବାରେ ପ୍ରମ୍ମୁଖ ଭୂମିକା ନିର୍ବାହ କରିଥିବା ଜେନରାଲ ମାନେକସାଙ୍କୁ ନେଇ ଥିଲା। ଇନ୍ଦିରାଙ୍କ କିଛି ଚାଟୁକାର,ତାଙ୍କ ମୁଣ୍ଡରେ ଭର୍ତ୍ତି କରିଥିଲେ ଯେ,ଜେନରାଲ ସାମରିକ ବିଦ୍ରୋହର ପ୍ଲାନିଂ କରୁଛନ୍ତି। ପାକିସ୍ତାନ ଭଳି ସେ ମଧ୍ୟ ଭାରତରେ କ୍ଷମତା ଦଖଲ କରିବାକୁ ଚିନ୍ତା କରୁଛନ୍ତି। ଏଭଳି କଥା ଶୁଣି ଇନ୍ଦିରା ବିବ୍ରତ ହୋଇପଡିଥିଲେ।
ଆଉ ଇନ୍ଦିରା ଗାନ୍ଧୀ ମାନେକସାଙ୍କୁ ସିଧାସିଧା ପଚାରିଥିଲେ ଯେ କ’ଣ ସେ ସାମରିକ ବିଦ୍ରୋହ କରିବାକୁ ଯାଉଛନ୍ତି? ଜେନରାଲଙ୍କ ଜବାବ ଥିଲା – ମ୍ୟାଡମ୍, ମୋର ରାଜନୀତିରେ କୌଣସି ଆଗ୍ରହ ନାହିଁ। ଆପଣ ନିଜ ସ୍ଥାନରେ ବହୁତ ଭଲ ଭାବେ କାମ କରୁଛନ୍ତି। ମୁଁ ମୋ ସ୍ଥାନରେ ଠିକ୍ ଅଛି। ଯଦି ମୁଁ ଆପଣଙ୍କ ସ୍ଥାନରେ ବସିଯାଏ, ତେବେ ମୁଁ ମଧ୍ୟ ସେହି ସମାନ ଭୁଲ୍ କରିବି ଯାହା ଆପଣ କରୁଛନ୍ତି। ପରେ ସେ ହସି ହସି କହିଥିଲେ, ଆଉ ଗୋଟିଏ କଥା, ମୋ ନାକ ବହୁତ ଲମ୍ବା; ମୁଁ ରାଜନୀତିରେ ସଫଳ ହୋଇପାରିବି ନାହିଁ।
୩ ଏପ୍ରିଲ ୧୯୧୪ରେ ଅମୃତସରରେ ଜନ୍ମିତ ସାମ୍ ମାନେକସାଙ୍କ ନାମ ଭାରତୀୟ ସାମରିକ ଇତିହାସରେ ଅତ୍ୟନ୍ତ ସମ୍ମାନର ସହ ନିଆଯାଏ। ସେ କେବଳ ଭାରତର ପ୍ରଥମ ଫିଲ୍ଡ ମାର୍ଶଲ ନଥିଲେ, ବରଂ ନିଜର ସ୍ପଷ୍ଟବାଦୀ ଶୈଳୀ, ରଣନୈତିକ ସୂଝବୁଝ ଏବଂ ଅଦ୍ଭୁତ ନେତୃତ୍ୱ କ୍ଷମତା ପାଇଁ ମଧ୍ୟ ପ୍ରସିଦ୍ଧ ଥିଲେ। ସେ ଇଣ୍ଡିଆନ୍ ମିଲିଟାରୀ ଏକାଡେମୀରୁ ପ୍ରଶିକ୍ଷଣ ଏବଂ ପରେ ବ୍ରିଟିଶ ଭାରତୀୟ ସେନାରେ କମିଶନ ପ୍ରାପ୍ତ କରିଥିଲେ। ଦ୍ୱିତୀୟ ବିଶ୍ୱ ଯୁଦ୍ଧ ସମୟରେ ବର୍ମା ମୋର୍ଚ୍ଚାରେ ସେ ଅସାଧାରଣ ବାହାଦୁରୀ ଦେଖାଇଥିଲେ ଏବଂ ଗମ୍ଭୀର ଭାବେ ଆହତ ହେବା ସତ୍ତ୍ୱେ ନେତୃତ୍ୱ ଜାରି ରଖିଥିଲେ। ମାନେକସା ନିଜର ସଫା କଥା ଏବଂ ଖୁସମିଜାସ ପାଇଁ ଜଣାଶୁଣା ଥିଲେ। ନିଜ ଅଫିସରମାନଙ୍କ ସହ ଯବାନମାନଙ୍କ ମଧ୍ୟରେ ମଧ୍ୟ ସେ ବହୁତ ଲୋକପ୍ରିୟ ଥିଲେ। ତାଙ୍କର ବିଶ୍ୱାସ ଥିଲା ଯେ ଜଣେ ସୈନିକର ମନୋବଳ ହିଁ ତାର ସବୁଠାରୁ ବଡ଼ ଶକ୍ତି।
ଖଚର ଲାତ ମାରିଦେଲା
ଦ୍ୱିତୀୟ ବିଶ୍ୱ ଯୁଦ୍ଧ ସମୟରେ ବର୍ମା (ମ୍ୟାନ୍ମାର) ମୋର୍ଚ୍ଚାରେ (୧୯୪୨-୪୩ ଦେଇ) ଲଢ଼ୁଥିବା ବେଳେ ମାନେକସା ମେସିନ୍ଗନ୍ ଫାୟାର୍ରେ ଗମ୍ଭୀର ଭାବେ ଆହତ ହେଲେ। ତାଙ୍କ ପେଟ ଏବଂ ଫୁସଫୁସରେ ଅନେକ ଗୁଳି ଲାଗିଥିଲା। ଜଣେ ଅଷ୍ଟ୍ରେଲୀୟ ସର୍ଜନ ପ୍ରଥମେ ଚିକିତ୍ସା ପାଇଁ ମନା କରିଦେଇଥିଲେ, କାରଣ ସ୍ଥିତି ଅତ୍ୟନ୍ତ ଗମ୍ଭୀର ଥିଲା। ସେହି ଗମ୍ଭୀର ଅବସ୍ଥାରେ ମଧ୍ୟ ସାମ୍ଙ୍କ ସାହସ ଏପରି ଥିଲା ଯେ, ଯେତେବେଳେ ତାଙ୍କୁ କ’ଣ ହୋଇଥିଲା ବୋଲି ପଚରାଗଲା, ସେତେବେଳେ ମଧ୍ୟ ସେ ହସିବାକୁ ଭୁଲିନଥିଲେ ଏବଂ କହିଥିଲେ ଯେ 'ଗୋଟିଏ ଖଚର ମୋତେ ଲାତ ମାରିଦେଲା'। ତାଙ୍କ କମାଣ୍ଡିଂ ଅଫିସର ମେଜର ଜେନେରାଲ ଡେଭିଡ୍ କୋୱାନ୍ ତାଙ୍କ ବୀରତ୍ୱରେ ପ୍ରଭାବିତ ହୋଇ ତାଙ୍କୁ 'ମିଲିଟାରୀ କ୍ରସ୍'ରେ ସମ୍ମାନିତ କରିଥିଲେ। ଯଦିଓ ସାଧାରଣତଃ ଏହି ସମ୍ମାନ ଜୀବିତ ସୈନିକଙ୍କୁ ଦିଆଯାଉନଥିଲା।
ଯୁଦ୍ଧ ଏବେ ନୁହେଁ – ନେତୃତ୍ୱକୁ ରୋକଠୋକ୍ ଜବାବ
ସାମ୍ଙ୍କର ଜଣେ ସଫଳ ଏବଂ ଦୂରଦର୍ଶୀ ସାମରିକ ଜେନେରାଲ ସ୍ୱରୂପ ୧୯୭୧ ବାଂଲାଦେଶ ଯୁଦ୍ଧ ସମୟରେ ଉଭା ହୋଇଥିଲା। ବିନା ସାମରିକ ପ୍ରସ୍ତୁତି ଏବଂ ଅନୁକୂଳ ପାଣିପାଗରେ ଯୁଦ୍ଧ ଆରମ୍ଭ ପାଇଁ ସେ ପ୍ରସ୍ତୁତ ନଥିଲେ। ଏହି ବିଷୟରେ ରାଜନୈତିକ ନେତୃତ୍ୱଙ୍କ ସାମ୍ନାରେ ରୋକଠୋକ୍ ମତାମତ ରଖିବାରେ ସେ ସଂକୋଚ କରିନଥିଲେ। ପୂର୍ବ ବଙ୍ଗରୁ ଶରଣାର୍ଥୀଙ୍କ ସୁଅ କାରଣରୁ ଭାରତ ଉପରେ ବୋଝ ବଢ଼ିଚାଲିଥିଲା। ପାକିସ୍ତାନର ଆଭ୍ୟନ୍ତରୀଣ ସଙ୍କଟ ଭାରତ ପାଇଁ ସମସ୍ୟା ସୃଷ୍ଟି କରି ଦେଶକୁ ଅସୁରକ୍ଷିତ କରୁଥିଲା।
ସାମ୍ଙ୍କ ଯୁଦ୍ଧ ପରବର୍ତ୍ତୀ ଭାଷଣରେ ଏହା ପ୍ରକାଶ ପାଇଥିଲା ଯେ ଏପ୍ରିଲ ୧୯୭୧ରେ ତାଙ୍କୁ ଇନ୍ଦିରା ଗାନ୍ଧୀ ପଚାରିଥିଲେ ଯେ ସେନା ଯୁଦ୍ଧ ପାଇଁ ପ୍ରସ୍ତୁତ କି? ମାନେକସା ରଣନୈତିକ ପରିପକ୍ୱତା ଦେଖାଇ ସଫା ସଫା କହିଥିଲେ ଯେ ଯଦି ଏବେ ଯୁଦ୍ଧ ହୁଏ, ତେବେ ୧୦୦% ହାରିବା ନିଶ୍ଚିତ। ଏହାର କାରଣ ମଧ୍ୟ ସେ ଦର୍ଶାଇଥିଲେ। ଖୁବ୍ ଶୀଘ୍ର ମୌସୁମୀ ଆରମ୍ଭ ହେବାକୁ ଯାଉଥିଲା। ଟ୍ୟାଙ୍କ ଏବଂ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ପ୍ରସ୍ତୁତ କରାଯାଉଥିଲା। ଏପରି ବିପରୀତ ସ୍ଥିତିରେ ସଫଳ ସାମରିକ ଅଭିଯାନ ଚଲାଇବା ସମ୍ଭବ ନଥିଲା। ସେ ସାମରିକ ହସ୍ତକ୍ଷେପ ଆରମ୍ଭ ପାଇଁ ନଭେମ୍ବର-ଡିସେମ୍ବର ମାସକୁ ଉପଯୁକ୍ତ ବୋଲି କହିଥିଲେ। ଏହି ସମୟ ସୁଦ୍ଧା ସାମରିକ ପ୍ରସ୍ତୁତି ଶେଷ ହେବା ସହ ସେନାକୁ ଆଗକୁ ବଢ଼ିବା ପାଇଁ ଶୁଖିଲା ଜମି ମିଳିଯାଇଥିଲା।
ସେନାର କାମ ରାଜନୀତି ନୁହେଁ
୧୯୭୧ ଯୁଦ୍ଧରେ ସଫଳତା ଏବଂ ପାକିସ୍ତାନ ଦୁଇ ଭାଗରେ ବିଭକ୍ତ ହେବା ପରେ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଲୋକପ୍ରିୟତାର ଶିଖରରେ ଥିଲେ। ଚାରିଆଡ଼େ ଭାରତୀୟ ସେନା ଏବଂ ତାଙ୍କ ମୁଖ୍ୟ ସାମ୍ ମାନେକସାଙ୍କ ଜୟଜୟକାର ହେଉଥିଲା। ପରିସ୍ଥିତି ଏପରି ଥିଲା ଯେ ଗୁଜବ ଉଠୁଥିଲା କି ସେନା ବିଦ୍ରୋହ କରିପାରେ। ଏପରିକି ଇନ୍ଦିରା ଗାନ୍ଧୀ ମାନେକସାଙ୍କୁ ତାଙ୍କ ଉଦ୍ଦେଶ୍ୟ ବିଷୟରେ ସିଧାସଳଖ ପ୍ରଶ୍ନ କରିଦେଇଥିଲେ।
ପ୍ରସିଦ୍ଧ ସାମ୍ବାଦିକ କୁଲଦୀପ ନାୟାର ତାଙ୍କ ଆତ୍ମଜୀବନୀ Beyond the Lines ରେ ଲେଖିଛନ୍ତି, “ଇନ୍ଦିରା ଗାନ୍ଧୀ ମାନେକସାଙ୍କୁ ପଚାରିଲେ ଯେ ସେ କ’ଣ ତାଙ୍କୁ କ୍ଷମତାଚ୍ୟୁତ କରିବାକୁ ଯାଉଛନ୍ତି? ମାନେକସାଙ୍କ ଉତ୍ତର ଥିଲା, ମ୍ୟାଡମ୍, ମୋର ରାଜନୀତିରେ କୌଣସି ଆଗ୍ରହ ନାହିଁ। ଆପଣ ନିଜ ସ୍ଥାନରେ ବହୁତ ଭଲ ଭାବେ କାମ କରୁଛନ୍ତି। ମୁଁ ମୋ ସ୍ଥାନରେ ଠିକ୍ ଅଛି। ଯଦି ମୁଁ ଆପଣଙ୍କ ସ୍ଥାନରେ ବସିଯାଏ, ତେବେ ମୁଁ ସେହି ସମାନ ଭୁଲ୍ କରିବି ଯାହା ଆପଣ କରୁଛନ୍ତି। ହସି ହସି ସେ ଆଉ ଗୋଟିଏ କଥା ଯୋଡ଼ିଥିଲେ, ଆଉ ମୋ ନାକ ବହୁତ ଲମ୍ବା; ମୁଁ ରାଜନୀତିରେ ସଫଳ ହୋଇପାରିବି ନାହିଁ।”
ମାନେକସା ସ୍ପଷ୍ଟ କରିଦେଇଥିଲେ ଯେ ସେନାର କାମ ରାଜନୀତି ନୁହେଁ ଏବଂ ସେ ନିଜ ସୀମା ଭିତରେ ରହିବେ। ଏହି ଯୁଦ୍ଧରେ ମାନେକସାଙ୍କ ବ୍ୟକ୍ତିତ୍ୱର ଚମତ୍କାର ଦିଗଗୁଡ଼ିକ ସାମ୍ନାକୁ ଆସିଥିଲା। ସେ ରାଜନୈତିକ ନେତୃତ୍ୱଙ୍କ ଇଚ୍ଛା ସତ୍ତ୍ୱେ ସାମରିକ ହସ୍ତକ୍ଷେପରେ ତରବରିଆ ନିଷ୍ପତ୍ତିକୁ ମନା କରିଦେଇଥିଲେ।
ସମସ୍ତଙ୍କ ପାଇଁ ସେ ଥିଲେ 'ସାମ୍ ବାହାଦୁର'
ସାମ୍ ମାନେକସା ଜୀବନର ଶେଷ କେତେକ ବର୍ଷ ତାମିଲନାଡୁର ୱେଲିଂଟନ (ନୀଳଗିରି) ରେ ଅତିବାହିତ କରିଥିଲେ। ସେଠାରେ ସେ ସାମରିକ ପରିବେଶ ସହ ଜଡ଼ିତ ରହିଲେ କିନ୍ତୁ ସାର୍ବଜନୀନ ଜୀବନରୁ ନିଜକୁ ଦୂରେଇ ରଖିଥିଲେ। ସେହି ଦିନଗୁଡ଼ିକରେ ରାଷ୍ଟ୍ରପତି ଏ.ପି.ଜେ. ଅବଦୁଲ କଲାମ ତାଙ୍କୁ ହସ୍ପିଟାଲରେ ଭେଟିବାକୁ ପହଞ୍ଚିଥିଲେ।
କଲାମଙ୍କ ସହ କଥାବାର୍ତ୍ତା ବେଳେ ମାନେକସା ନିଜର ଖାସ୍ ଶୈଳୀରେ ହସି ହସି କହିଥିଲେ, “ମୋତେ ଫିଲ୍ଡ ମାର୍ଶଲ କରାଗଲା, କିନ୍ତୁ ତାହା ସହ ଜଡ଼ିତ ଆର୍ଥିକ ସୁବିଧା ଏପର୍ଯ୍ୟନ୍ତ ମିଳିନାହିଁ।” ରାଷ୍ଟ୍ରପତି କଲାମ ଏହି ବିଷୟକୁ ଗମ୍ଭୀରତାର ସହ ନେଲେ ଏବଂ କେନ୍ଦ୍ର ସରକାରଙ୍କୁ ଜରୁରୀ କାର୍ଯ୍ୟାନୁଷ୍ଠାନ ପାଇଁ ଲେଖିଲେ। ଖୁବ୍ ଶୀଘ୍ର ସେହି ଅର୍ଥ ମିଳିଲା। କିନ୍ତୁ ସାମ୍ ସେହି ଅର୍ଥରାଶିକୁ ବ୍ୟକ୍ତିଗତ ବ୍ୟବହାରରେ ନଲଗାଇ ସୈନିକମାନଙ୍କ କଲ୍ୟାଣ ପାଇଁ ଦାନ କରିଦେଇଥିଲେ।
ସ୍ଥାନୀୟ ଲୋକ ଏବଂ ସେନା ଅଧିକାରୀମାନେ ତାଙ୍କୁ ଅତ୍ୟନ୍ତ ସମ୍ମାନର ସହ ସାମ୍ ବାହାଦୁର କହି ମନେ ପକାନ୍ତି। ୨୭ ଜୁନ୍ ୨୦୦୮ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। କୌଣସି ଏକ ଅବସରରେ ତାଙ୍କୁ ପଚରାଯାଇଥିଲା ଯେ କ’ଣ ସେନା ରାଜନୈତିକ ନିର୍ଦ୍ଦେଶ ମାନିବ? 'ନିଶ୍ଚୟ' କହିବା ସହ ସେ ଯୋଡ଼ିଥିଲେ, କିନ୍ତୁ ସେନାକୁ କେବେ ଏବଂ କିପରି ଲଢ଼ିବାକୁ ହେବ, ସେହି ସ୍ୱାଧୀନତା ଦେବାକୁ ପଡ଼ିବ।