ଜାମ୍ମୁ-କାଶ୍ମୀରର ଗାନ୍ଦରବଲ୍ ଜିଲ୍ଲା ଅରହାମାର ରଶିଦ୍ ଅହମ୍ମଦ ମୁଗଲଙ୍କୁ ସୁରକ୍ଷା ବଳଙ୍କ ପକ୍ଷରୁ ଏନକାଉଣ୍ଟର କରାଯାଇଛି। ରଶିଦଙ୍କ ପରିବାର ଲୋକେ ତାଙ୍କୁ ନିର୍ଦ୍ଦୋଷ ବୋଲି କହିବା ସହ ଏହା ଏକ 'ଫେକ୍ ଏନକାଉଣ୍ଟର' ବୋଲି ଅଭିଯୋଗ କରିଛନ୍ତି। ଏହି ଘଟଣାରେ ଉପ-ରାଜ୍ୟପାଳ ମନୋଜ ସିହ୍ନା ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।
ଜାମ୍ମୁ-କାଶ୍ମୀରରେ ସୁରକ୍ଷା ବଳ ଏପ୍ରିଲ ୧ ତାରିଖରେ ଗାନ୍ଦରବଲ୍ ଜିଲ୍ଲା ଅରହାମାରେ ଜଣେ ବ୍ୟକ୍ତିଙ୍କୁ ଏନକାଉଣ୍ଟର କରିଥିଲେ, ଯାହାଙ୍କୁ ରଶିଦ୍ ଅହମ୍ମଦ ମୁଗଲ ଭାବେ ଚିହ୍ନଟ କରାଯାଇଛି। ସୁରକ୍ଷା ବଳ ରଶିଦଙ୍କୁ ଆତଙ୍କବାଦୀ ବୋଲି କହୁଥିବା ବେଳେ ପରିବାର ଲୋକେ ଏହାକୁ ମିଥ୍ୟା ଦର୍ଶାଇ କହିଛନ୍ତି ଯେ ଜଣେ ନିର୍ଦ୍ଦୋଷଙ୍କୁ ହତ୍ୟା କରାଯାଇଛି। ଏହି ମାମଲାରେ ଏବେ ଉପ-ରାଜ୍ୟପାଳ ମନୋଜ ସିହ୍ନା ତଦନ୍ତ ପାଇଁ ଡାକରା ଦେଇଛନ୍ତି। ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ସେ କହିଛନ୍ତି, "ମୁଁ ଗାନ୍ଦରବଲ୍ର ଅରହାମା ଘଟଣାର ଗଭୀର ଏବଂ ନିରପେକ୍ଷ ମାଜିଷ୍ଟ୍ରେଟ୍ ସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛି। ଏହି ତଦନ୍ତ ଘଟଣା ସହିତ ଜଡ଼ିତ ସମସ୍ତ ଦିଗର ଅନୁସନ୍ଧାନ କରିବ ଏବଂ ନ୍ୟାୟ ପ୍ରଦାନକୁ ନିଶ୍ଚିତ କରିବ।"
ସିଏମ୍ ଓମାର ଅବଦୁଲ୍ଲା ମଧ୍ୟ କରିଥିଲେ ତଦନ୍ତ ଦାବି
ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଏପ୍ରିଲ ୨ ତାରିଖରେ କହିଥିଲେ ଯେ, ପରିବାରର ଦାବିକୁ ସିଧାସଳଖ ପ୍ରତ୍ୟାଖ୍ୟାନ କରାଯିବା ଉଚିତ୍ ନୁହେଁ। ଅତିକମରେ ଏହି ଗୁଳିବିନିମୟର ଏକ ସ୍ୱଚ୍ଛ ଏବଂ ସମୟସୀମା ମଧ୍ୟରେ ତଦନ୍ତ ହେବା ଉଚିତ୍ ଏବଂ ଏହାର ସୂଚନା ସାର୍ବଜନୀନ କରାଯିବା ଆବଶ୍ୟକ। ସେ 'ଏକ୍ସ' (ଟ୍ୱିଟର) ରେ କହିଥିଲେ ଯେ, ତଦନ୍ତ ଘୋଷଣାରେ ବିଳମ୍ବ କରିବା କେବଳ ବିଶ୍ୱସନୀୟତାକୁ କ୍ଷତି ପହଞ୍ଚାଇବ ଏବଂ ଏହା କାହାରି ସ୍ୱାର୍ଥରେ ନୁହେଁ।
ମେହବୁବା ମୁଫତିଙ୍କ ଅଭିଯୋଗ
ମେହବୁବା ମୁଫତି ଏହି ମାମଲାରେ କହିଛନ୍ତି ଯେ ଗାନ୍ଦରବଲ୍ ଏନକାଉଣ୍ଟର ମିଥ୍ୟା ବୋଲି ଅଭିଯୋଗ ହେଉଛି। ସେ ଗଣମାଧ୍ୟମକୁ କହିଛନ୍ତି, "ଦୁଇ ଦିନ ପୂର୍ବରୁ ଅରହାମାରେ ହୋଇଥିବା ଏନକାଉଣ୍ଟରରେ ୨୯ ବର୍ଷୀୟ ଯୁବକ ରଶିଦ୍ ମୁଗଲ ନିହତ ହୋଇଥିଲେ। ସେନା ପ୍ରଥମେ ତାଙ୍କୁ ବିଦେଶୀ ଆତଙ୍କବାଦୀ ବୋଲି କହିଥିଲେ, କିନ୍ତୁ ପରେ ସେ ସ୍ଥାନୀୟ ଏବଂ ଆତଙ୍କବାଦ ସହ ଜଡ଼ିତ ବୋଲି କହିଲେ।" ସେ ଆହୁରି ମଧ୍ୟ କହିଛନ୍ତି ଯେ ରଶିଦ ଜଣେ ଅନାଥ ଥିଲେ ଏବଂ ଏକ NGO ଚଲାଉଥିଲେ। ତାଙ୍କ ମୃତଦେହ ପରିବାରକୁ ନ ଦେଇ ବାରାମୁଲାରେ କବର ଦିଆଯାଇଛି। ଆମ ଯୁବପିଢ଼ିଙ୍କ ସହ ଏମିତି ହିଁ ଘଟୁଛି ବୋଲି ସେ ଗୁରୁତର ଅଭିଯୋଗ କରିଛନ୍ତି।