ନୂଆଦିଲ୍ଲୀ: ଆମେରିକା-ଇରାନ ଯୁଦ୍ଧ କାରଣରୁ ସମଗ୍ର ବିଶ୍ୱରେ ଶକ୍ତି ସଙ୍କଟ ଗଭୀର ହେବାରେ ଲାଗିଛି । ଏହି ସଙ୍କଟ ସମୟରେ ଗୁରୁବାର ଭାରତ ସହିତ ୬୦ରୁ ଅଧିକ ଦେଶ ହର୍ମୁଜ ପ୍ରଣାଳୀ ଖୋଲିବାର ମାର୍ଗ ଖୋଜିବା ପାଇଁ ଏକ ଜରୁରୀକାଳୀନ ବୈଠକ କରିଛନ୍ତି । ବ୍ରିଟେନର ନେତୃତ୍ୱରେ ହୋଇଥିବା ଏହି ଭର୍ଚୁଆଲ ବୈଠକରେ କୂଟନୈତିକ ଓ ଆର୍ଥିକ ବିକଳ୍ପ ଅର୍ଥାତ ପ୍ଲାବ ବି ଉପରେ ଆଲୋଚନା କରାଯାଇଛି ।
ଭାରତ ଆଭିମୁଖ୍ୟ ଓ ଚିନ୍ତା
ବ୍ଲୁମର୍ଗର ରିପୋର୍ଟ ଅନୁସାରେ, ଏହି ମହତ୍ୱପୂର୍ଣ୍ଣ ବୈଠକରେ ଭାରତର ପ୍ରତିନିଧିତ୍ୱ କରିଥିଲେ ବୈଦେଶିକ ସଚିବ ବିକ୍ରମ ମିସ୍ରି । ତାଙ୍କ ସହିତ ଫ୍ରାନ୍ସ, ଜର୍ମାନୀ, ଇଟାଲୀ ଓ ୟୁଏଇର ପ୍ରତିନିଧି ମଧ୍ୟ ସାମିଲ୍ ହୋଇଥିଲେ । ବୈଠକରେ ନୂଆଦିଲ୍ଲୀ ଅନ୍ତର୍ଜାତୀୟ ଜଳମାର୍ଗର ସ୍ୱାଧୀନତା ଓ ବିନା ବାଧାରେ ଗମନାଗମନର ମହତ୍ୱକୁ ଜୋରଦାର ଭାବେ ଉଠାଇଛି । ଏହା ସହ ଉର୍ଜା ସୁରକ୍ଷା ଉପରେ ଏହାର ସିଧାସଳଖ ପ୍ରଭାବ ଉପରେ ଗୁରୁତ୍ୱ ଦେଇଛି ଭାରତ । ବୈଦେଶିକ ସଚିବ ବିକ୍ରମ ମିସ୍ରି ଜୋର ଦେଇ କହିଛନ୍ତି ଯେ, ବର୍ତ୍ତମାନର ସଂଘର୍ଷ ସମୟରେ ଉପସାଗରୀୟରେ ଜାହାଜ ଉପରେ ହୋଇଥିବା ହମଲାରେ ପ୍ରାଣ ହରାଇଥିବା ନାବିକ ମାମଲାରେ ଏକମାତ୍ର ପ୍ରଭାବିତ ଦେଶ ହେଉଛି ଭାରତ ।
କୂଟନୈତିକ ସମାଧାନର ଅପିଲ୍
ବିିଦେଶ ସଚିବ ମିଶ୍ରି ଉତ୍ତେଜନା କମ କରିବା ପାଇଁ କୂଟନୀତି ମାର୍ଗକୁ ଫେରିବା ପାଇଁ ଆହ୍ୱାନ କରିଛନ୍ତି । ଏହା ସହ ଭାରତ ପତାକା ଲାଗିଥିବା ଜାହାଜର ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ସୁନିଶ୍ଚିତ କରିବା ପାଇଁ ଭାରତ ଲଗାତାର ଇରାନ ଓ ଅନ୍ୟ ହିତଧାରକଙ୍କ ସହିତ ଯୋଗାଯୋଗରେ ରହିଛି । ବ୍ରିଟେନର ବୈଦେଶିକ ସଚିବ ୟେଭେଟ କୁପରଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ସୈନ୍ୟ ହସ୍ତକ୍ଷେପ ପରିବର୍ତ୍ତେ ଓ କୂଟନୀତି ସମାଧାନ ଉପରେ ଗୁୁରୁତ୍ୱ ଦିଆଯାଇଛି ।
ଆଗାମୀ ସପ୍ତାହରେ ଭାଗ ନେବାକୁ ଥିବା ଦେଶର ସୈନ୍ୟ ଅଧିକାରୀଙ୍କ ବୈଠକ ହେବ । ଏଥିରେ ଆଲୋଚନା କରାଯିବ ଯେ, ହର୍ମୁଜକୁ ସୁରକ୍ଷିତ ରଖିବା ଏବଂ ବାରୁଦ ସୁଡଙ୍ଗ ହଟାଇବା ପାଇଁ ନୌସେନାକୁ କେମିତି ମୁତୟନ କରାଯିବ । ଇରାନର ବିନା ସହମତିରେ ସୈନ୍ୟ ବଳ ପ୍ରୟୋଗର କୌଣସି ଖାସ ସଫଳତା ମିଳିବ ନାହିଁ । ଏହା ପରିବର୍ତ୍ତେ ମିଳିତ ଜାତିସଂଘର ମଧ୍ୟସ୍ଥତା ଓ ସମ୍ଭାବିତ କଟକଣା ସହିତ ସମନ୍ୱିତ ରାଜନୈତିକ ଚାପ ପକାଇବାର ବିକଳ୍ପ ଖୋଜୁଛନ୍ତି ସମସ୍ତ ଦେଶ ।