ମୁମ୍ବାଇ: ଦେଶର ବିଶିଷ୍ଟ ଚିତ୍ରକର ରାଜା ରବି ବର୍ମାଙ୍କ ଚିତ୍ରକଳା ବିଶ୍ୱ ସ୍ତରୀୟ କୃତିତ୍ୱ ହାସଲ କରିଛି । ତାଙ୍କ ଦ୍ୱାରା ଅଙ୍କିତ “ଯଶୋଦା ଏବଂ କୃଷ୍ଣ”ଙ୍କ ଚିତ୍ରକଳା ୧୬୭.୨୦ କୋଟି ଟଙ୍କାରେ ବିକ୍ରି ହୋଇଛି । ଏହାକୁ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ଡାକ୍ତର ସାଇରସ୍ ଏସ୍. ପୁନାୱାଲା କିଣିଛନ୍ତି ।
ଏହି ଐତିହାସିକ ନିଲାମ ମୁମ୍ବାଇରେ ସାଫ୍ରନ୍ ଆର୍ଟ ସ୍ପ୍ରିଙ୍ଗ୍ ନିଲାମୀରେ ହୋଇଛି । ଏହି ଚିତ୍ରକଳାର ବିଷୟ ବସ୍ତୁ ଥିଲା “ଯଶୋଦା ଏବଂ କୃଷ୍ଣ” । ସବୁଠାରୁ ଦାମିକିଆ ଭାରତୀୟ ଚିତ୍ରକଳା ହେବାର ଗୌରବ ହାସଲ କରିଛି । ଗତ ବର୍ଷ ଏମ୍.ଏଫ୍ ହ୍ୟୁସେନ୍ ଙ୍କ ଚିତ୍ର କଳା ଗ୍ରାମ ଯାତ୍ରା ସର୍ବାଧିକ ୧୧୮ କୋଟି ଟଙ୍କାରେ ବିକ୍ରି ହୋଇଥିଲା । ଯାହାକୁ କିରଣ ନାଦର କିଣିଥିଲେ । ଯାହାର ରେକର୍ଡ ଭାଙ୍ଗିଛି ରାଜା ରବିଙ୍କ ଏହି ଚିତ୍ରକଳା ।
ସମ୍ବାଦ ସରବରାହ ସଂସ୍ଥା ପିଟିଆଇ ଅନୁଯାୟୀ, ଏହି ଚିତ୍ରକଳାଟିର ଆନୁମାନିକ ମୂଲ୍ୟ ୮୦ ରୁ ୧୨୦ କୋଟି ଟଙ୍କା ମଧ୍ୟରେ ଥିଲା । କିନ୍ତୁ ନିଲାମରେ ଏହା ପ୍ରାୟ ଦୁଇଗୁଣ ମୂଲ୍ୟ ପାଇଥିଲା। ରାଜା ରବି ବର୍ମାଙ୍କ ଏହି ଚିତ୍ରକଳାକୁ କିଣି ବହୁତ ଗର୍ବିତ ଅନୁଭବ କରୁଛନ୍ତି ବୋଲି କହିଛନ୍ତି ପୁଲାୱାଲା । ସାଇରସ୍ ପୁନାୱାଲା ଏହାକୁ ଏକ ସମ୍ମାନ ଏବଂ ଦାୟିତ୍ୱ ଉଭୟ ଭାବରେ ବର୍ଣ୍ଣନା କରିଛନ୍ତି । ସେ କହିଥିଲେ ଯେ ଏହା ଏକ ଜାତୀୟ ଐତିହ୍ୟ ଏବଂ ସାଧାରଣ ଲୋକଙ୍କ ପାଇଁ ସମୟ ସମୟରେ ପ୍ରଦର୍ଶିତ ହେବା ଉଚିତ।
1890 ଦଶକରେ ନିର୍ମିତ, ତାଙ୍କ କ୍ୟାରିୟରର ଶୀର୍ଷରେ ଏହି ଚିତ୍ରକଳା ରାଜା ରବି ବର୍ମାଙ୍କ ସର୍ବୋତ୍ତମ କୃତି ମଧ୍ୟରେ ଗଣାଯାଏ। ଏହି ଦୃଶ୍ୟ ଏକ ସରଳ ଘରୋଇ ମୁହୂର୍ତ୍ତକୁ ଏକ ଆଧ୍ୟାତ୍ମିକ ଏବଂ ଭାବପ୍ରବଣ ଅନୁଭୂତିରେ ପରିଣତ କରୁଛି । ଏହା ଏକ ଅଏଲ୍ ପେଣ୍ଟିଂ ଅଟେ । ଏଥିରେ ମାଆ ଯଶୋଦା, କୃଷ୍ଣଙ୍କ ବାଳୁତ ରୂପ ଏବଂ ଗୋମାତାଙ୍କ ଚିତ୍ର ଅଙ୍କା ଯାଇଛି । ମା ଯଶୋଦା ଗାଈଠାରୁ କ୍ଷୀର ବାହାର କରୁଥିବା ଦୃଶ୍ୟ ରହିଛି । ଆଉ ବାଳୁତ କୃଷ୍ଣ ମାଙ୍କୁ ଆଲିଙ୍ଗନ କରି ଛିଡ଼ା ହୋଇଛନ୍ତି ।
ଏହି କଳାକୃତି ପୂର୍ବରୁ ଦିଲ୍ଲୀର ଏକ ବ୍ୟକ୍ତିଗତ ସଂଗ୍ରହର ଅଂଶ ଥିଲା। ରାଜା ରବି ବର୍ମା ୧୮୪୮ ମସିହାରେ ଟ୍ରାଭାଙ୍କୋରର କିଲିମାନୁର ରାଜପରିବାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କୁ ଆଧୁନିକ ଭାରତୀୟ କଳାର ପ୍ରବର୍ତ୍ତକ ଭାବରେ ବିବେଚନା କରାଯାଏ। ସେ ଭାରତୀୟ ପୌରାଣିକ ବିଷୟବସ୍ତୁଗୁଡ଼ିକୁ ୟୁରୋପୀୟ ବାସ୍ତବବାଦୀ ଶୈଳୀରେ ଉପସ୍ଥାପନ କରି ଏକ ନୂତନ ପରିଚୟ ଆଣିଥିଲେ ଏବଂ ୧୮୯୪ ମସିହାରେ ଏକ ଲିଥୋଗ୍ରାଫିକ୍ ପ୍ରେସ୍ ପ୍ରତିଷ୍ଠା କରି, ସେ ତାଙ୍କ କୃତିଗୁଡ଼ିକୁ ସାଧାରଣ ଲୋକଙ୍କ ପାଇଁ ସୁଗମ କରିଥିଲେ।