କୋଲକାତା: ପଶ୍ଚିମବଙ୍ଗରେ ମାଲଦାରେ ଭୋଟର ତାଲିକା ପୁନଃ ନିରୀକ୍ଷଣରେ ନିଯୁକ୍ତ ନ୍ୟାୟିକ ଅଧିକାରୀଙ୍କ ଉପରେ ଆକ୍ରମଣକୁ ନେଇ ସୁପ୍ରିମକୋର୍ଟ ଗୁରୁବାର ପ୍ରବଳ ବର୍ଷିଛନ୍ତି । ଏମିତିକି କେନ୍ଦ୍ରୀୟ ବଳ ମୁତୟନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ମାଲଦାରେ ପୁଣି ଥରେ ପ୍ରବଳ ହିଂସା ଆରମ୍ଭ ହୋଇଯାଇଛି ।
ଆଜି ସକାଳେ ମଦ୍ୟ ପୁରୁଣା ମାଲଦା ଅଞ୍ଚଳରେ ହିଂସା ପ୍ରଦର୍ଶନ ହୋଇଛି । ଲୋକେ ସଡ଼କ ଉପରେ ଏସ୍ଆଇଆର୍ ବିରୁଦ୍ଧରେ ପ୍ରଦର୍ଶନ ହୋଇଛି । ମଙ୍ଗଲବାଡ଼ି ଅଞ୍ଚଳରେ ନାରାୟଣପୁର ବିଏସ୍ଏଫ୍ କ୍ୟାମ୍ପ ନିକଟସ୍ଥ ଜାତୀୟ ରାଜପଥ-୧୨ ଉପରେ ରାସ୍ତା ଅବରୋଧ କରିଛନ୍ତି । ଫଳରେ ଯାତାୟତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି । ଭିଡ଼ ହଟାଇବାକୁ ଆସିଥିବା ପୋଲିସ କର୍ମଚାରୀମାନେ ମଧ୍ୟ ଆହତ ହୋଇଛନ୍ତି । ପୋଲିସ ଗାଡ଼ି ଭଙ୍ଗାରୁଜା କରିବା ଦ୍ୱାରା ଡ୍ରାଇଭର୍ ଆହତ ହୋଇଛନ୍ତି । ବାଧ୍ୟ ହୋଇ ପୋଲିସ ଲୁହା ବୁହା ଗ୍ୟାସ୍ ପ୍ରୟୋଗ କରିଛି ।
ସେହି ଅଞ୍ଚଳରେ ମାଲଦା ପୋଲିସ ସହ କେନ୍ଦ୍ରୀୟ ସୁରକ୍ଷା ବଳକୁ ନିଯୁକ୍ତ କରାଯାଇଛି । ବିକ୍ଷୋଭକାରୀ ଅଭିଯୋଗ କରିଛନ୍ତି ଯେ ଜାଣିଶୁଣି ମସୁଲିମ ସମ୍ପ୍ରଦାୟ ସଦସ୍ୟଙ୍କୁ ମତଦାତା ତାଲିକାରୁ ବାଦ ପଡ଼ିଛନ୍ତି ।
ଗତକାଲି ମାଲଦାରେ ଭୋଟର ଏସଆଇଆର କାମରେ ନିୟୋଜିତ ନ୍ୟାୟିକ ଅଧିକାରୀଙ୍କ ଉପରେ ଆକ୍ରମଣ ହୋଇଥିଲା । ଗତକାଲି ଦ୍ୱିପ୍ରହରରୁ ରାତି ପର୍ଯ୍ୟନ୍ତ ପ୍ରଦର୍ଶନକାରୀ ନ୍ୟାୟିକ ଅଧିକାରୀଙ୍କୁ ବନ୍ଧକ କରି ରଖିଥିଲେ । ଯେବେ ରାତିରେ ସେମାନେ ବାହାରିବାକୁ ଲାଗିଲେ ସେମାନଙ୍କ ଗାଡି ଉପରେ ପଥର ମାଡ ଓ ଲାଠିରେ ହମଲା କରାଯାଇଥିଲା । ସ୍ଥିତିକୁ ଅତି ଗମ୍ଭୀରତାର ସହ ଗ୍ରହଣ କରି ସର୍ବୋଚ୍ଚ ନ୍ୟାୟାଳୟ ନ୍ୟାୟିକ ଅଧିକାରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ କେନ୍ଦ୍ରୀୟ ବଳ ମୁତୟନ କରିବାକୁ ନିର୍ବାଚନ ଆୟୋଗଙ୍କୁ ଆଦେଶ ଦେଇଛନ୍ତି । ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ, ବିଚାରପତି ଜୟମାଲା ବାଗଚି ଓ ଜଷ୍ଟିସ ବିପୁଲ ପାଞ୍ଚୋଲିଙ୍କ ପୀଠ ମାମଲାକୁ ଗମ୍ଭୀରତାର ସହ ନେଇଛନ୍ତି ।