ମାଲଦା: ପଶ୍ଚିମବଙ୍ଗର ମାଲଦାରେ ଏସ୍ଆଇଆର ଅଧିକାରୀଙ୍କୁ ବନ୍ଧକ ରଖିବା ମାମଲା ନୂଆ ମୋଡ଼ ନେଇଛି। ସୁପ୍ରିମକୋର୍ଟଙ୍କ ଭର୍ସନା ପରେ ଭାରତୀୟ ନିର୍ବାଚନ କମିଶନ ଜାତୀୟ ତଦନ୍ତ ସଂସ୍ଥା (ଏନ୍ଆଇଏ)କୁ ତଦନ୍ତ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି। ନିର୍ବାଚନ କମିଶନ ସଚିବ ସୁଜିତ କୁମାର ମିଶ୍ର ଏନ୍ଆଇଏ ମହାନିର୍ଦ୍ଦେଶକଙ୍କୁ ଚିଠି ଲେଖି ମାଲଦା ଘଟଣାର ବିସ୍ତୃତ ତଦନ୍ତ ଏବଂ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଏକ ପ୍ରାରମ୍ଭିକ ରିପୋର୍ଟ ଦାଖଲ କରିବାକୁ ଅନୁରୋଧ କରିଛନ୍ତି।
ନିର୍ବାଚନ କମିଶନଙ୍କ ଅନୁଯାୟୀ ଏନ୍ଆଇଏ ଦଳ ଶୁକ୍ରବାର ଘଟଣାସ୍ଥଳ ପରିଦର୍ଶନ କରି ମାମଲାର ତଦନ୍ତ ଆରମ୍ଭ କରିବ ବୋଲି ଆଶା କରାଯାଉଛି। ଉଲ୍ଲେଖନୀୟ ଯେ ମାଲଦା ପ୍ରତିବାଦ ସମୟରେ ଏସ୍ଆଇଆର ଅଧିକାରୀମାନଙ୍କୁ ପ୍ରାୟ ନଅ ଘଣ୍ଟା ଧରି ବନ୍ଧକ ରଖିବା ଘଟଣାକୁ ସୁପ୍ରିମକୋର୍ଟ ଗମ୍ଭୀରତାର ସହ ନେଇଥିଲେ, ଯାହା ପରେ ତଦନ୍ତ ସଂସ୍ଥାକୁ ସାମିଲ କରିବାର ନିଷ୍ପତ୍ତି ନିଆଯାଇଥିଲା।
ସାତ ଜଣ ନ୍ୟାୟିକ ଅଧିକାରୀଙ୍କ ଘେରାବନ୍ଦୀରେ ସମ୍ପୃକ୍ତ ଥିବା ଅଭିଯୋଗରେ ପୋଲିସ ଜଣେ ନିର୍ବାଚନ ପ୍ରାର୍ଥୀଙ୍କ ସମେତ ଅତି କମରେ ୧୭ ଜଣଙ୍କୁ ଗିରଫ କରିଛି। ପୋଲିସ ଅନୁଯାୟୀ, ଇଣ୍ଡିଆନ୍ ସେକୁଲାର ଫ୍ରଣ୍ଟର ପ୍ରାର୍ଥୀ ମୌଲାନା ଶାହଜାହାନ ଅଲିଙ୍କୁ ଅନ୍ୟ ୧୬ ଜଣଙ୍କ ସହିତ ଗିରଫ କରାଯାଇ ଜିଲ୍ଲା କୋର୍ଟରେ ହାଜର କରାଯାଇଥିଲା, ଯେଉଁଠାରେ ସେମାନଙ୍କୁ ୧୦ ଦିନର ପୋଲିସ ହେପାଜତକୁ ପଠାଯାଇଥିଲା।
ଅଧିକାରୀ କହିଛନ୍ତି ଯେ ବୁଧବାର ମାଲଦାର ମୋଟାବାରୀ ବିଧାନସଭା ନିର୍ବାଚନମଣ୍ଡଳୀର କାଳିଆଚକI ବ୍ଲକ କାର୍ଯ୍ୟାଳୟରେ ଘଟିଥିବା ଘଟଣାରେ ସମସ୍ତ ଅଭିଯୁକ୍ତ ସମ୍ପୃକ୍ତ ଥିଲେ। ଏହି ଘଟଣା ସମୟରେ ପ୍ରତିବାଦକାରୀମାନେ ଭୋଟର ତାଲିକା କାର୍ଯ୍ୟରେ ନିୟୋଜିତ ତିନି ଜଣ ମହିଳା ଅଧିକାରୀଙ୍କ ସମେତ ସାତ ଜଣ ନ୍ୟାୟିକ ଅଧିକାରୀଙ୍କୁ ପ୍ରାୟ ସାଢ଼େ ସାତ ଘଣ୍ଟା ଧରି ଘେରି ରହିଥିଲେ।
ମୌଲାନା ଶାହଜାହାନ ଅଲି ତାଙ୍କ ବିରୁଦ୍ଧରେ ଅଭିଯୋଗକୁ ଅସ୍ୱୀକାର କରି କହିଥିଲେ ଯେ ତାଙ୍କର ରାଜନୈତିକ ସମ୍ପୃକ୍ତି ଯୋଗୁଁ ତାଙ୍କୁ ମିଥ୍ୟା ଭାବରେ ଫସାଇ ଦିଆଯାଉଛି। ସେ ଦାବି କରିଥିଲେ ଯେ ଘଟଣା ସମୟରେ ସେ ଘଟଣାସ୍ଥଳରେ ଉପସ୍ଥିତ ନଥିଲେ ଏବଂ ଏକ ଧାର୍ମିକ କାର୍ଯ୍ୟକ୍ରମରୁ ଫେରିବା ସମୟରେ ତାଙ୍କୁ ଗିରଫ କରାଯାଇଥିଲା। ପୋଲିସ କହିଛି ଯେ ମାମଲାର ତଦନ୍ତ ଜାରି ରହିଛି ଏବଂ ଆହୁରି ଗିରଫଦାରୀ ସମ୍ଭବ।
ଅଧିକ ପଢ଼ନ୍ତୁ: ଯୁଦ୍ଧ ମଧ୍ୟରେ ହଟିଲେ ଆମେରିକୀୟ ସାମରିକ ମୁଖ୍ୟ