ନୂଆଦିଲ୍ଲୀ: ନିର୍ବାଚନ ଆୟୋଗ ଶୁକ୍ରବାର ଘୋଷଣା କରିଛନ୍ତି ଯେ, ଆଗାମୀ ପାଞ୍ଚ ରାଜ୍ୟର ବିଧାନସଭା ନିର୍ବାଚନ ଓ ଉପନିର୍ବାଚନ ଦିନ ସବୁ ପ୍ରକାରର କର୍ମଚାରୀ ଭୋଟ୍ ଦେବେ । ଏଥିପାଇଁ ସେ ଦିନ ସେମାନଙ୍କର ପେଡ ହୋଲିଡେ ପାଇବାର ଅଧିକାର ରହିଛି । ଅର୍ଥାତ ନିର୍ବାଚନ ଦିନ ଯେ କୌଣସି କର୍ମଚାରୀ ସେ ଶ୍ରମିକ ହୁଅନ୍ତୁ ନା କାହିଁକି ଯଦି ସେ ଛୁଟି ନେଇ ଭୋଟ୍ ଦେଇଯିବେ ତାଙ୍କର ଦରମା କଟିବ ନାହିଁ । ଏହା ୧୯୫୧ର ଧାରା ୧୩୫ବି ପ୍ରାବଧାନରେ ରହିଛି ।
ଏହି ଘୋଷଣାରେ ଉପକୃତ ହେବାକୁ ଥିବା ରାଜ୍ୟଗୁଡିକ ହେଉଛି ଆସାମ, କେରଳ, ତାମିଲନାଡୁ ଓ ପଶ୍ଚିମବଙ୍ଗ । ଏହି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏହା ସହ ଛଅ ରାଜ୍ୟ ଗୋଆ, ଗୁଜରାଟ, କର୍ଣ୍ଣାଟକ, ମହାରାଷ୍ଟ. ନାଗାଲାଣ୍ଡ ଓ ତ୍ରିପୁରାର ଆଠ ବିଧାନସଭା ଆସନରେ ଉପ ନିର୍ବାଚନ ହେବ । ଏହି ସବୁ ଅଞ୍ଚଳରେ ଯେଉଁ ଦିନ ଭୋଟିଂ ରହିଛି ସେଦିନ ସବୁ ସ୍ତରର କର୍ମଚାରୀ ନିଜର ଭୋଟ୍ ଦେଇ ପାରିବେ । ଏଥିପାଇଁ ସେମାନେ ପେଡ୍ ଲିଭ ନେଇ ପାରିବେ । ସେମାନଙ୍କର ଦରମା କୌଣସି ସ୍ଥିତିରେ ବି କଟିବ ନାହିଁ ବୋଲି ନିର୍ବାଚନ ଆୟୋଗ କହିଛନ୍ତି ।
ନିର୍ବାଚନ ଆୟୋଗ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାରକୁ ଏହି ନିୟମ କଡାକଡି ପାଳନ ସୁନିଶ୍ଚିତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ବୟାନରେ କୁହାଯାଇଛି ଯେ, ସମ୍ବନ୍ଧିତ ଅଧିକାରୀଙ୍କୁ ଜରୁରୀ ନିର୍ଦ୍ଦେଶ ଦିଆଯାଇଛି । ଯଦ୍ୱାରା ଏହା ସୁନିଶ୍ଚିତ କରାଯାଇ ପାରିବ ଯେ, ସମସ୍ତ ମତଦାତା ସ୍ୱାଧୀନତା ଭାବେ ନିଜର ମତାଧିକାର ପ୍ରୟୋଗ କରି ପାରିବେ । ଏସବୁ ରାଜ୍ୟର ବିଧାନସଭା ନିର୍ବାଚନ ଓ ଉପନିର୍ବାଚନର ଭୋଟ୍ ଗଣତି ମେ ୪ରେ ହେବ ।