ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଅନ୍ତର୍ଗତ ସାରାଡାଙ୍ଗ ଗାଁରେ ଶନିବାର ଦିନ ହଠାତ୍ ଏକ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ଘଟି ଭୟଙ୍କର ଅଗ୍ନିକାଣ୍ଡ ଘଟିବାରୁ ଗୋଟିଏ ପରିବାରର ତିନି ଜଣ ଆହତ ହୋଇଛନ୍ତି।
ରିପୋର୍ଟ ଅନୁଯାୟୀ, ମନୋରଞ୍ଜନ ପଣ୍ଡାଙ୍କ ସ୍ତ୍ରୀ ରୋଷେଇ ଘରେ ରୋଷେଇ କରୁଥିବା ସମୟରେ ଏହି ଘଟଣା ଘଟିଥିଲା। ଏଲପିଜି ଗ୍ୟାସ ସିଲିଣ୍ଡର ଫାଟିଯିବାରୁ ନିଆଁ ଦ୍ରୁତ ଗତିରେ ବ୍ୟାପିଯାଇଥିବା ବେଳେ ଏଥିରେ ଘରର ଜିନିଷପତ୍ର ପୋଡ଼ି ଯାଇଛି। ଏହି ଅଗ୍ନିକାଣ୍ଡରେ ଚନ୍ଦ୍ର ଶେଖର ପଣ୍ଡା, ମନୋରଞ୍ଜନ ପଣ୍ଡା ଓ ତାଙ୍କ ପୁଅ ବିସ୍ମିତ ଶେଖର ପଣ୍ଡା ଗୁରୁତର ହୋଇଛନ୍ତି। ସେମାନଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାକୁ ପଠାଯାଇଥିଲା। ବିସ୍ମିତଙ୍କୁ ସିମୁଳିଆ ଡାକ୍ତରଖାନାରେ ଓ ମନୋରଞ୍ଜନଙ୍କୁ ଖଇରା ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା ଚାଲିଛି।
ଏହି ଅଗ୍ନିକାଣ୍ଡରେ ଘରର ମୋଟରସାଇକେଲ, ସାଇକେଲ ଓ ଅନ୍ୟାନ୍ୟ ଘରୋଇ ସାମଗ୍ରୀ ପୁରାପୁରି ଜଳି ପାଉଁଶ ହୋଇଯାଇଛି। ପ୍ରାଥମିକ ଆନୁମାନ ଅନୁଯାୟୀ, ଲକ୍ଷାଧିକ ଟଙ୍କାର କ୍ଷତି ହୋଇଥିବା କୁହାଯାଉଛି।
ସୂଚନା ପାଇ ଅଗ୍ନିଶମ ବିଭାଗର ଦଳ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ପ୍ରାୟ ଘଣ୍ଟାଏ ଧରି ପରିଶ୍ରମ ପରେ ଶେଷରେ ନିଆଁକୁ ଆୟତ୍ତ କରାଯାଇଥିଲା।