ଭୁବନେଶ୍ୱର: ଆଜିଠୁ ରାଜ୍ୟରେ ବଢ଼ିବ କାଳବୈଶାଖୀ ପ୍ରଭାବ। ଆସନ୍ତା ୮ ତାରିଖ ଯାଏ କାଳବୈଶାଖୀ ହେବାର ସମ୍ଭାବନା ରହିଛି। କାଳ ବୈଶାଖୀକୁ ନେଇ ଆଗାମୀ ତିନି ଘଣ୍ଟା ପାଇଁ ୨୬ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। କିଛି ସ୍ଥାନରେ ବଜ୍ରପାତ ସହ ବର୍ଷା, ଘଡ଼ଘଡ଼ି ସହ ବଜ୍ରପାତ ସମ୍ଭାବନା ରହିଛି। ଏପରିକି ପବନ ବେଗ ଘଣ୍ଟା ପ୍ରତି ୪୦ରୁ ୫୦ କିଲୋମିଟର ପର୍ଯ୍ୟନ୍ତ ବଢ଼ିପାରେ। ତେବେ ଅନ୍ୟ ଜିଲ୍ଲାମାନଙ୍କରେହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି।
ସେହିପରି ଗତକାଲି ରାଜଧାନୀରେ ପ୍ରବଳ ମାତ୍ରାରେ ଝଡ଼ବର୍ଷା ହୋଇଛି। ଗଞ୍ଜାମ ଏବଂ କନ୍ଧମାଳ ଜିଲ୍ଲା ସୀମାନ୍ତରେ କୁଆ ପଥର ସହ ପ୍ରବଳ ବର୍ଷା ମଧ୍ୟ ଦେଖିବାକୁ ମିଳିଥିଲା। ବର୍ଷା ପ୍ରାୟ ଏକ ଘଣ୍ଟା ଲାଗି ରହିଥିବା ବେଳେ କିଛି ସ୍ଥାନରେ ଗଛ ପତ୍ର ଭାଙ୍ଗିଥିବା ଖବର ମିଳିଥିଲା। କିଛି କିଛି ସ୍ଥାନରେ ଝିପ୍ ଝିପ୍ ବର୍ଷା ହୋଇଥିବା ବେଳେ ଅଧିକ ପରିମାଣରେ ଘଡ଼ଘଡ଼ି ମାରିଥିଲା। କିନ୍ତୁ ଏହି ବର୍ଷା କିଛି ମାତ୍ରାରେ ଲୋକଙ୍କୁ ଆଶ୍ୱସ୍ତି ଦେଇଛି।
ତେବେ ଆସନ୍ତାକାଲି ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ପୁଣି ଝଡ଼ବର୍ଷା ଓ ବଜ୍ରପାତ ଜାରି ରହିବ। କେତେକ ସ୍ଥାନରେ ୫୦ କି.ମି. ବେଗରେ ପବନ ବହିପାରେ। ପାଣିପାଗ ବିଭାଗ ପକ୍ଷରୁ ଲୋକମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ବଜ୍ରପାତ ସମୟରେ ଖୋଲା ଜାଗାରେ ନ ରହିବା, ଗଛ ତଳେ ଆଶ୍ରୟ ନ ନେବା ଓ ଆବଶ୍ୟକ ନହେଲେ ବାହାରକୁ ନ ବାହାରିବାକୁ କୁହାଯାଇଛି।
ଅଧିକ ପଢନ୍ତୁ ; ଜାଳୁଛି ତାତି ; ମାସ ଆରମ୍ଭରୁ କଲବଲ ହେଲେଣି ରାଜ୍ୟବାସୀ