ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା କେସିଙ୍ଗା ରେଳ ଷ୍ଟେସନ ନିକଟରୁ ବିଡ଼ା ବିଡ଼ା ଟଙ୍କା ଜବତ । ତିରୁପତିରୁ ରାୟପୁର ଅଭିମୁଖେ ଯାଉଥିବା ଟ୍ରେନର ଏକ ବଗି ଭିତରୁ ରେଳ ଅଧିକାରୀ ଜଣେ ବଙ୍ଗୀୟ ଯୁବକଙ୍କ ନିକଟରୁ ୪୦ ଲକ୍ଷ ଟଙ୍କା ଜବତ କରିଛି । ଏହି ଟଙ୍କା କୁଆଡ଼େ ଯାଉଥିବା ତାହା ଏକ ବଡ଼ ପ୍ରଶ୍ନ । ଉକ୍ତ ଯୁବକ ଜଣକ ହେଲେ ପ୍ରଭାତ ସାମୁଏଲ୍ । ତାଙ୍କ ଘର ପଶ୍ଚିମବଙ୍ଗରେ । ଆଜି ଆୟକର ବିଭାଗ ଟିମ୍ ଘଟଣାର ସତ୍ୟତା ନେଇ ଆଜି ଯାଞ୍ଚ କରିବ ।
ଗତକାଲି ତିରୁପତିରୁ ରାୟପୁର ଅଭିମୁଖେ ଯାଉଥିବା ଟ୍ରେନରେ ରେଳ ସୁରକ୍ଷାର ସ୍ୱତନ୍ତ୍ର ଟାସ୍କ ଫୋର୍ସ ଯାଞ୍ଚ କରୁଥିଲେ । ଏହି ସମୟରେ ଜଣେ ବ୍ୟକ୍ତିଙ୍କ ଉପରେ ସନ୍ଦେହ ହେବାରୁ ବ୍ୟାଗରେ କଣ ରହିଛି ପଚାରିଥିଲେ । ମାତ୍ର ବ୍ୟକ୍ତି ଜଣକ ସନ୍ତୋଷ ଜନକ ଉତ୍ତର ଦେଇ ପାରିନଥିଲେ । ଏହା ପରେ ତାଙ୍କୁ ଟିଟିଲାଗଡ଼ ରେଳ ଷ୍ଟେସନରେ ଓଲ୍ଲାଇ ରେଳ ସୁରକ୍ଷା ବଳ କାର୍ଯ୍ୟାଳୟକୁ ନିଆଯାଇଥିଲା । ସେଠାରେ ବ୍ୟାଗ ଖୋଲିବା ପରେ ବିଡା ବିଡା ନୋଟ ବାହାରିଥିଲା । ଗଣତି ପରେ ୪୦ ଲକ୍ଷ ଟଙ୍କା ଥିଲା । ସମ୍ପୃକ୍ତ ବ୍ୟକ୍ତି ଜଣକୁ ଆରପିଏଫ ଅଟକ ରଖି ଇନକମଟ୍ୟାକ୍ସ ବିଭାଗକୁ ସୂଚନା ଦେଇଛି ।
ପଶ୍ଚିମବଙ୍ଗର ପ୍ରଭାତ ସାମୁଏଲ୍ କେସିଙ୍ଗାର ଜଣେ ବ୍ୟବସାୟୀ ଅଜୟ ସୋନିଙ୍କଠାରୁ ଟଙ୍କା ନେଇ ସେ ରାୟପୁର ଯାଉଥିଲେ ବୋଲି କହିଛନ୍ତି । ଏହି ଟଙ୍କା ବାହାଘର ପାଇଁ ଉଦ୍ଦିଷ୍ଟ ଥିଲା । କିନ୍ତୁ ଏତେ ଟଙ୍କା ବାହାଘରକୁ ବ୍ୟାଗରେ ନେଇକି ଯିବାର କଣ ଆବଶ୍ୟକତା ଥିଲା, ତାହା ବଡ଼ ପ୍ରଶ୍ନ । ସେପଟେ ପଶ୍ଚିମବଙ୍ଗ ବର୍ତ୍ତମାନ ନିର୍ବାଚନ ସମୟ ରହିଛି । ତେଣୁ ଏହା ନିର୍ବାଚନ ପାଇଁ ଯାଉଥିଲା ବୋଲି ସନ୍ଦେହ କରାଯାଉଛି । ଓଡ଼ିଶାରୁ ଛତିଶଗଡ଼ ଏବଂ ଛତିଶଗଡ଼ରୁ ପଶ୍ଚିମବଙ୍ଗ ଟଙ୍କା ପଠାଯାଇଥାଆନ୍ତି ବୋଲି ଅନୁମାନ କରାଯାଉଛି ।
ତେବେ ଏ ନେଇ ରେଳ ବିଭାଗ ପକ୍ଷରୁ କୌଣସି ଆନୁଷ୍ଠାନିକ ସୂଚନା ପ୍ରଦାନ କରାଯାଇ ନାହିଁ । ଆଜି ଆୟକର ବିଭାଗ ଟିମ୍ ଏହି ମାମଲାର ଖୋଳତାଡ଼ କରିବାର ରହିଛି । ଆୟକର ବିଭାଗର ଯାଞ୍ଚ ପରେ ମାମଲାରେ ସ୍ପଷ୍ଟତା ଆସିବ ।