ଭୁବନେଶ୍ୱର: ଚଳିତ ଶିକ୍ଷା ବର୍ଷର ବିଦ୍ୟାଳୟ ପ୍ରବେଶ ଆରମ୍ଭ ହୋଇସାରିଛି । ଏହି ଅବସରରେ ରାଜ୍ୟରେ ଶିଶୁ ବାଟିକା ପିଲାମାନଙ୍କର ଖଡି ଛୁଆଁ ଓ ପ୍ରବେଶ ଉତ୍ସବ ଅନୁଷ୍ଠିତ ହୋଇଛି । ଭୁବନେଶ୍ୱର ରାଜଭବନ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କୁନି କୁନି ପିଲାଙ୍କୁ ଖଡ଼ି ବିଦ୍ୟାଳୟ ପ୍ରବେଶ କରାଇଛନ୍ତି । ମୁଖ୍ୟମନ୍ତ୍ରୀ ପିଲାମାନଙ୍କ ସହିତ ଭାବ ବିନିମୟ ମଧ୍ୟ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ‘ଏକ୍ସ’ରେ ସ୍ନେହ ଓ ଶୁଭକାମନା ଜଣାଇଛନ୍ତି । ରାଜ୍ୟବ୍ୟାପୀ 'ଓଡ଼ିଆ ପକ୍ଷ' ପାଳନ ଅବସରରେ ଆଜି ଚତୁର୍ଥ ଦିବସରେ ଆୟୋଜିତ ହେଉଛି 'ପ୍ରବେଶ ଉତ୍ସବ' ଓ 'ଖଡ଼ିଛୁଆଁ' ପର୍ବ । ଶିକ୍ଷାର ପବିତ୍ର ଅନୁଷ୍ଠାନରେ ପାଦ ଥାପିବାକୁ ଯାଉଥିବା ସମସ୍ତ କୁନି ଭାଇଭଉଣୀଙ୍କୁ ଅନେକ ଅନେକ ସ୍ନେହ ଓ ଶୁଭକାମନା ଦେଇଛନ୍ତି । ଆମର ନୂତନ ପିଢ଼ି ଓଡ଼ିଆ ଭାଷା ଓ ସଂସ୍କୃତିକୁ ଆଧାର କରି ସଫଳତାର ଶୀର୍ଷ ସ୍ପର୍ଶ କରନ୍ତୁ । ଗୁଣାତ୍ମକ ଶିକ୍ଷାଦାନକୁ ପ୍ରାଧାନ୍ୟ ଦେଇ ଏକ ଶିକ୍ଷିତ ଓ ସଶକ୍ତ ଓଡ଼ିଶା ଗଠନରେ ସହଭାଗୀ ହେବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ କରିଛନ୍ତି ।
ଳିତ ବର୍ଷ ପିଲାମାନଙ୍କ ସହ ଅଭିଭାବକ ମାନେ ମଧ୍ୟ ସାମିଲ ହେବେ । ଏହା ସହ ଶିକ୍ଷା ସଚେତନତା ରଥ ମଧ୍ୟ ଜିଲ୍ଲାରୁ ଜିଲ୍ଲା ଗଡିବ। ୬ ତାରିଖରୁ ୧୦ ତାରିଖ ଯାଏ ଗଡିବ ଶିକ୍ଷା ରଥ । ଆମ ରାଷ୍ଟ୍ରର ସୂଶ୍ଚିମ ଭବିଷ୍ୟତ ଗଠନ ଦିଗରେ କୁନି କୁନି ପିଲାମାନେ ଶିକ୍ଷାର ପ୍ରଥମ ସୋପାନରେ ପାଦ ରଖିଛନ୍ତି ।
ଖଡ଼ି ଛୁଆଁ ଉତ୍ସବ ସମସ୍ତ ଜିଲ୍ଲାରେ ଏପ୍ରିଲ ୬ ରୁ ୮ ତାରିଖ ଯାଏଁ ପାଳନ କରାଯିବ । ଏହି ଉତ୍ସବରେ ଛାତ୍ରଛାତ୍ରୀ, ଅଭିଭାବକ, ନିର୍ବାଚିତ ପ୍ରତିନିଧି, ବରିଷ୍ଠ ଅଧିକାରୀ, ସାଧାରଣ ନାଗରିକ ସାମିଲ ହେବେ । ଚଳିତ ବର୍ଷ ଜନ ସଚେତନତା ବୃଦ୍ଧି ନିମନ୍ତେ ରାଜ୍ୟ ମୁଖ୍ୟାଳୟରୁ ‘ଶିକ୍ଷା ସଚେତନତା ରଥ' ଆରମ୍ଭ କରାଯିବ । ଏହି ସଚେତନତା ରଥ ଜିଲ୍ଲା ଓ ବ୍ଲକ୍ରେ ମଧ୍ୟ ବୁଲିବ ।