ଭଦ୍ରକ: ଧାମନଗର ଥାନା ଅଧୀନ ଭଣ୍ଡାରିପଦୀ ନିକଟରେ ଟ୍ରାକ୍ଟର ଏବଂ ବାଇକ୍ ମୁହାଁମୁହିଁ ଧକ୍କାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର । ଗୁରୁତରଙ୍କୁ କଟକ ଏସସିବି ମେଡ଼ିକାଲ ସ୍ଥାନାନ୍ତର କରାଯାଇଛି ।
ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଧୀନ ଭଣ୍ଡାରିପଦୀ ନିକଟରେ ଏକ ବାଇକ ଓ ଟ୍ରାକ୍ଟର ମୁହାଁମୁହିଁ ଧକ୍କା ହୋଇଥିଲା । ଗାଁ ଭିତରୁ ଆସୁଥିବା ଟ୍ରାକ୍ଟରକୁ ସାମ୍ନାରୁ ଆସୁଥିବା ଏକ ବାଇକ୍ ଧକ୍କା ଦେଇଥିଲା । ଫଳରେ ୩ ଜଣ ବାଇକ୍ ଆରୋହୀ ରାସ୍ତାରେ ଛିଟିକି ପଡ଼ିଥିଲେ । ସ୍ଥାନୀୟ ଲୋକେ ତୁରନ୍ତ ସେମାନଙ୍କୁ ଉଦ୍ଧାର କରି ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ମାତ୍ର ଡାକ୍ତର ଦୁଇ ଜଣ ସେକ ଆର୍ମାନ ଓ ସେକ ଆଜମେରଙ୍କୁ ମୃତ ଘୋଷଣା କରିଥିଲେ । ଗୁରୁତର ଥିବା ଜଣେ ନାବାଳକଙ୍କ ଅବସ୍ଥା ଅତି ସଙ୍ଗୀନ ଥିବାରୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ମାତ୍ର ସେଠାରୁ ପୁଣି ଡାକ୍ତର କଟକ ଏସିସିବି ମେଡ଼ିକାଲକୁ ସ୍ଥାନାନ୍ତର କରିଦେଇଛନ୍ତି । ପୋଲିସ ଘଟଣା ସ୍ଥଳରେ ପହଁଚି ଦୁର୍ଘଟଣା ଗ୍ରସ୍ତ ଗାଡ଼ିକୁ ଜବତ କରି ଯାଞ୍ଚ ଆରମ୍ଭ କରିଛି।