ଉତ୍ତରପ୍ରଦେଶ ଏଟିଏସ୍ ପାକିସ୍ତାନର ନିର୍ଦ୍ଦେଶରେ ରେଳବାଇ ସମେତ ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନଗୁଡ଼ିକ ଉପରେ ଆକ୍ରମଣ ପାଇଁ ଯୋଜନା କରୁଥିବା ଚାରିଜଣ ବ୍ୟକ୍ତିଙ୍କୁ ଗିରଫ କରିଛି। ଏହି ଅଭିଯୁକ୍ତମାନେ ସୋସିଆଲ ମିଡିଆ ମାଧ୍ୟମରେ ପାକିସ୍ତାନୀ ଆକାମାନଙ୍କ ସହ ଜଡ଼ିତ ଥିଲେ। ଏହି ଗ୍ୟାଙ୍ଗ୍ ରେଳ ସିଗନାଲ ବକ୍ସକୁ ନଷ୍ଟ କରିବା ଏବଂ ଗ୍ୟାସ୍ ସିଲିଣ୍ଡର ଭର୍ତ୍ତି ଟ୍ରକ୍ଗୁଡ଼ିକରେ ନିଆଁ ଲଗାଇବା ଯୋଜନାରେ ଥିଲେ।
ଉତ୍ତରପ୍ରଦେଶ ପୋଲିସର ଆତଙ୍କବାଦ ବିରୋଧୀ ଦଳ କଥିତ ଭାବେ ପାକିସ୍ତାନୀ ହ୍ୟାଣ୍ଡଲରଙ୍କ ନିର୍ଦ୍ଦେଶରେ ରେଳ ଭିତ୍ତିଭୂମି ସମେତ ଦେଶର ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନ ଉପରେ ଆକ୍ରମଣ କରିବା ପାଇଁ ଷଡ଼ଯନ୍ତ୍ର ରଚୁଥିବା ଏହି ଗୋଷ୍ଠୀର ୪ ସଦସ୍ୟଙ୍କୁ ଗିରଫ କରିଛି। ପୋଲିସର ଜଣେ ବରିଷ୍ଠ ଅଧିକାରୀ ଶୁକ୍ରବାର ଦିନ ଏହି ସୂଚନା ଦେଇଛନ୍ତି। ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ଅମିତାଭ ଯଶ ଏକ ବିବୃତିରେ କହିଛନ୍ତି ଯେ, ଗିରଫ ଅଭିଯୁକ୍ତମାନେ ହେଲେ ମେରଠ ଜିଲ୍ଲାର ସାକିବ ଓରଫ୍ ଡେଭିଲ୍ (୨୫) ଓ ଅରବାବ (୨୦) ଏବଂ ଗୌତମ ବୁଦ୍ଧ ନଗର ଜିଲ୍ଲାର ବିକାଶ ଗେହଲୋତ ଓରଫ୍ ରୌନକ (୨୭) ଓ ଲୋକେଶ ଓରଫ୍ ପପଲା ପଣ୍ଡିତ (୧୯)।
ସୂଚନା ଅନୁଯାୟୀ, ଅଭିଯୁକ୍ତଙ୍କ ପାଖରୁ ଜ୍ୱଳନଶୀଳ ପଦାର୍ଥ ଥିବା ଏକ କ୍ୟାନ୍, ୭ଟି ସ୍ମାର୍ଟଫୋନ୍, ୨୪ଟି ପୋଷ୍ଟର ଏବଂ ଆଧାର କାର୍ଡ ଜବତ କରାଯାଇଛି।
ସିଲିଣ୍ଡର ଭର୍ତ୍ତି ଟ୍ରକ୍ରେ ନିଆଁ ଲଗାଇବାକୁ ଥିଲା ପ୍ରସ୍ତୁତି
ବିବୃତିରେ କୁହାଯାଇଛି ଯେ, ସମସ୍ତ ଅଭିଯୁକ୍ତ ଦେଶ ବିରୋଧୀ କାର୍ଯ୍ୟକଳାପରେ ଲିପ୍ତ ଥିଲେ ଏବଂ ସେମାନଙ୍କର ଉଦ୍ଦେଶ୍ୟ ଥିଲା ଦେଶରେ ଭୟ ସୃଷ୍ଟି କରିବା ସହ ଆର୍ଥିକ କ୍ଷତି ପହଞ୍ଚାଇବା। ଗ୍ୟାଙ୍ଗର ମୁଖ୍ୟ ସାକିବ ମେରଠରେ ଜଣେ କ୍ଷୌରକାର ଭାବେ କାମ କରେ। ସେ ଟେଲିଗ୍ରାମ, ସିଗନାଲ ଓ ଇନଷ୍ଟାଗ୍ରାମ ଜରିଆରେ ପାକିସ୍ତାନୀ ଆକା, ବିଭିନ୍ନ କଟ୍ଟରପନ୍ଥୀ ଗୋଷ୍ଠୀ ଏବଂ ଆଫଗାନିସ୍ତାନର ଅନେକ ଲୋକଙ୍କ ସହ ଯୋଗାଯୋଗରେ ଥିଲା।
ରେଳ ସିଗନାଲ ବକ୍ସ ନଷ୍ଟ କରିବା ଓ ସିଲିଣ୍ଡର ଟ୍ରକ୍ ପୋଡ଼ିବା ସହ ଏହି ଗ୍ୟାଙ୍ଗ ରାଜନୈତିକ ବ୍ୟକ୍ତିବିଶେଷଙ୍କ ଉପରେ ମଧ୍ୟ ନଜର ରଖୁଥିଲେ।
ଭିଡିଓ ପଠାଇ କ୍ୟୁଆର୍ କୋଡ୍ ଜରିଆରେ ମାଗୁଥିଲେ ଟଙ୍କା
ଅଭିଯୁକ୍ତମାନେ କିଛି ସ୍ଥାନରେ ଛୋଟ ଧରଣର ଅଗ୍ନିକାଣ୍ଡ ଘଟାଇଥିଲେ ଏବଂ ଏହାର ଭିଡିଓ ପାକିସ୍ତାନୀ ଆକାମାନଙ୍କୁ ପଠାଇ କ୍ୟୁଆର୍ କୋଡ୍ ମାଧ୍ୟମରେ ଟଙ୍କା ମଗାଉଥିଲେ। ପାକିସ୍ତାନୀ ହ୍ୟାଣ୍ଡଲରମାନେ ସେମାନଙ୍କୁ ଓସାମା ବିନ୍ ଲାଡେନ, କାଶ୍ମୀର ମୁଜାହିଦ୍ଦିନ ଓ ଗଜୱା-ଏ-ହିନ୍ଦ ଭଳି ନାମରେ ଗ୍ରୁପ୍ କରି ଧର୍ମ ଆଧାରରେ ହିଂସା ଘଟାଇବାକୁ ଉସକାଉଥିଲେ।
ଲକ୍ଷ୍ନୌର ଏଟିଏସ୍ ଥାନାରେ ଭାରତୀୟ ନ୍ୟାୟ ସଂହିତାର ବିଭିନ୍ନ ଧାରାରେ ଏମାନଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି।