ଇରାନ ସେନାର 'ଖାତିମ ଅଲ-ଅମ୍ବିୟା' ମୁଖ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହି ଏୟାରବେସ୍ଟି ବ୍ରିଟେନରେ ଥିବା ଆମେରିକୀୟ ବାୟୁସେନାର ଏକ ଗୁରୁତ୍ୱପୂର୍ଣ୍ଣ ଆଡ୍ଡା। ବର୍ତ୍ତମାନ ସୁଦ୍ଧା ବିମାନର ପାଇଲଟ୍ ଏବଂ ମିଶନ ବିଷୟରେ କୌଣସି ଆଧିକାରିକ ସୂଚନା ମିଳିନାହିଁ।
ଏହା ପୂର୍ବରୁ ମାର୍ଚ୍ଚ ୧୯ ରେ ମଧ୍ୟ ଇରାନ ଏକ ଆମେରିକୀୟ F-35A ଫାଇଟର ଜେଟ୍କୁ ଖସାଇଥିବା କଥା କହିଥିଲା। ଏଥିସହ ସେମାନେ ଏହାର ଏକ ଭିଡିଓ ମଧ୍ୟ ଜାରି କରିଥିଲେ। ଭିଡିଓରେ ବିମାନ ଉପରେ ଆକ୍ରମଣ ହେଉଥିବା ଦେଖାଯାଉଥିଲେ ମଧ୍ୟ ଏହା କ୍ରାଶ୍ ହେବା ନେଇ ସ୍ପଷ୍ଟ ହୋଇନଥିଲା। କିଛି ରିପୋର୍ଟ ଅନୁଯାୟୀ, ଏୟାରକ୍ରାଫ୍ଟର କ୍ଷତି ହୋଇଥିଲା ଏବଂ ପାଇଲଟ୍ ସାମାନ୍ୟ ଆହତ ହୋଇଥିଲେ, କିନ୍ତୁ ବିମାନଟି କ୍ରାଶ୍ ନହୋଇ ମଧ୍ୟପ୍ରାଚ୍ୟର ଏକ ଆମେରିକୀୟ ଏୟାରବେସ୍ରେ ସଫଳତାର ସହ ଜରୁରୀକାଳୀନ ଅବତରଣ କରିଥିଲା।
ବିମାନର ଖଣ୍ଡବିଖଣ୍ଡ ଅଂଶର ଫଟୋ ଜାରି କଲା ଇରାନ
ଇରାନ ଏଥର F-35 ର ଅନେକ ଖଣ୍ଡବିଖଣ୍ଡ ଅଂଶର ଫଟୋ ଜାରି କରିଛି, କାରଣ ଇରାନର ପୂର୍ବ ଦାବିକୁ ଆମେରିକା ପ୍ରତ୍ୟାଖ୍ୟାନ କରିଥିଲା। ଇରାନର 'ମେହର ନ୍ୟୁଜ୍ ଏଜେନ୍ସି' କହିଛି ଯେ, କ୍ରାଶ୍ ସମୟରେ ହୋଇଥିବା ପ୍ରଚଣ୍ଡ ବିସ୍ଫୋରଣ ଯୋଗୁଁ ପାଇଲଟ୍ଙ୍କ ପକ୍ଷେ ବାହାରକୁ ବାହାରିବା (Eject) କଷ୍ଟକର ଥିଲା। ଆମେରିକା ସେଣ୍ଟ୍ରାଲ କମାଣ୍ଡ (CENTCOM) ଏହି ପୋଷ୍ଟଗୁଡିକ ଉପରେ ତୁରନ୍ତ କୌଣସି ପ୍ରତିକ୍ରିୟା ଦେଇନାହିଁ, କିନ୍ତୁ ପୂର୍ବରୁ ଇରାନର ଦାବିକୁ ମିଥ୍ୟା ବୋଲି କହିଥିଲା।
ଯୁଦ୍ଧରେ କେତେ ବିମାନ ହରାଇଛି ଆମେରିକା?
ଏହି ଯୁଦ୍ଧରେ ଆମେରିକା ମୋଟ ୧୬ ରୁ ୨୦ ଟି ସାମରିକ ବିମାନ କିମ୍ବା ଡ୍ରୋନ୍ ହରାଇଛି। କିନ୍ତୁ ସେଥିମଧ୍ୟରୁ କେବଳ କିଛି ଇରାନର ସିଧାସଳଖ କାର୍ଯ୍ୟାନୁଷ୍ଠାନ ଯୋଗୁଁ ଖସିଛି। ବାକିଗୁଡ଼ିକ ଦୁର୍ଘଟଣା ବା 'ଫ୍ରେଣ୍ଡଲି ଫାୟାର' ଯୋଗୁଁ ନଷ୍ଟ ହୋଇଛି। ଇରାନ ୯ ରୁ ୧୨ ଟି MQ-9 Reaper ଡ୍ରୋନ୍ ଖସାଇଥିବା ବେଳେ ଦୁଇଟି F-35 ଖସାଇଥିବା ଦାବି କରିଛି। ଏଥିମଧ୍ୟରୁ ଗୋଟିଏକୁ CENTCOM ଖାରଜ କରିଦେଇଛି। ଅନ୍ୟପକ୍ଷରେ, ୩ ଟି F-15E Strike Eagle ବିମାନ କୁଏତର ଏୟାର ଡିଫେନ୍ସ ଦ୍ୱାରା 'ଫ୍ରେଣ୍ଡଲି ଫାୟାର'ରେ (ଭୁଲରେ ନିଜ ଲୋକଙ୍କ ଗୁଳିରେ) ଖସିପଡ଼ିଛି।