ନୂଆଦିଲ୍ଲୀ: ପଶ୍ଚିମ ଏସିଆ ସଙ୍କଟ ଉପରେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ କ୍ୟାବିନେଟର ସୁରକ୍ଷା ସଂପର୍କିତ ବୈଠକ(CCS) ବୈଠକ ହୋଇଥିଲା। ଏହି ବୈଠକ ପ୍ରାୟ ଅଢ଼େଇ ଘଣ୍ଟା ଧରି ଚାଲିଥିଲା। ଦେଖା ଦେଇଥିବା ସମସ୍ୟା ଓ ଚ୍ୟାଲେଞ୍ଜକୁ ପ୍ରତିହତ କରିବା ପାଇଁ କୃଷି, ସାର, ଜାହାଜ ଚଳାଚଳ, ଲଜିଷ୍ଟିକ୍ସ ଏବଂ MSME କ୍ଷେତ୍ରରେ ହସ୍ତକ୍ଷେପ ଉପରେ ଆଲୋଚନା ହୋଇଛି। ଏଥିସହ LPG ଏବଂ LNG ପାଇଁ ଯୋଗାଣ, ଇନ୍ଧନ ଶୁଳ୍କ ହ୍ରାସ ଏବଂ ଅତ୍ୟାବଶ୍ୟକୀୟ ଯୋଗାଣ ସୁନିଶ୍ଚିତ କରିବା ପାଇଁ ନିଆଯାଇଥିବା ପଦକ୍ଷେପର ସମୀକ୍ଷା କରାଯାଇଛି। ଅତ୍ୟାବଶ୍ୟକୀୟ ସାମଗ୍ରୀର ସ୍ଥିର ମୂଲ୍ୟ ସୁନିଶ୍ଚିତ କରିବା ଏବଂ ଗଚ୍ଛିତ ଏବଂ କଳାବଜାରୀ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପଦକ୍ଷେପ ନିଆଯାଉଛି ବୋଲି ବୈଠକରେ ସୂଚନା ଦିଆଯାଇଛି।
ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକ ସହିତ ମୂଲ୍ୟ ଏବଂ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନର କାର୍ଯ୍ୟାନ୍ୱୟନ ଉପରେ ନିରନ୍ତର ତଦାରଖ କରିବା ସହ ଯୋଗାଯୋଗ ପାଇଁ କଣ୍ଟ୍ରୋଲ ରୁମ ପ୍ରତିଷ୍ଠା କରାଯାଇଛି। ୟୁରିଆ ଉତ୍ପାଦନ ବଜାୟ ରଖିବା ଏବଂ DAP/NPKS ଯୋଗାଣ ପାଇଁ ବିଦେଶୀ ଯୋଗାଣକାରୀଙ୍କ ସହ ସମନ୍ୱୟ ରଖି ସାର ଯୋଗାଣ ସୁନିଶ୍ଚିତ କରିବା ପାଇଁ ପ୍ରୟାସ କରାଯାଉଥିବା ବୈଠକରେ କୁହାଯାଇଛି।
ସାର ଉପଲବ୍ଧତା ଉପରେ ଗୁରୁତ୍ୱାରୋପ
ପ୍ରଧାନମନ୍ତ୍ରୀ ମୋଦୀ ସାଧାରଣ ଲୋକଙ୍କ ପାଇଁ ଆବଶ୍ୟକ ସାରର ଉପଲବ୍ଧତା ଉପରେ ସମୀକ୍ଷା କରିଛନ୍ତି। ସେ ଖରିଫ ଏବଂ ରବି ଋତୁରେ ସାରର ଉପଲବ୍ଧତା ଏବଂ ଏହାର ଯୋଗାଣ ସୁନିଶ୍ଚିତ କରିବା ପାଇଁ ନିଆଯାଉଥିବା ପଦକ୍ଷେପ ବିଷୟରେ ଆଲୋଚନା କରିଥିଲେ। ନାଗରିକମାନଙ୍କୁ ଏହି ବିପଦରୁ ସୁରକ୍ଷା ଦେବା ପାଇଁ ସମସ୍ତ ପ୍ରୟାସ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଗୁଜବ ପ୍ରସାରକୁ ରୋକିବା ପାଇଁ ସମୟସୀମା ମଧ୍ୟରେ ଏବଂ ସୁଲଭ ଉପାୟରେ ଜନସାଧାରଣଙ୍କ ନିକଟରେ ସଠିକ୍ ସୂଚନାଦ ଦେବା ଉପରେ ଗୁରୁତ୍ୱାରୋପ କରିଥିଲେ।
ପ୍ରଚୁର କୋଇଲା ମହଜୁଦ
ବୈଠକରେ ସୂଚନା ଦିଆଯାଇଥିଲା ଯେ ପର୍ଯ୍ୟାପ୍ତ କୋଇଲା ମହଜୁଦ ଅଛି, ଯାହା ଆଗାମୀ ମାସଗୁଡ଼ିକରେ ବିଦ୍ୟୁତ ଆବଶ୍ୟକତାକୁ ପର୍ଯ୍ୟାପ୍ତ ଭାବରେ ପୂରଣ କରିବ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଗୃହମନ୍ତ୍ରୀ ଅମିତ ଶାହ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର, ଶିବରାଜ ସିଂହ ଚୌହାନ, ମନୋହର ଲାଲ ଖଟ୍ଟର, ଅଶ୍ୱିନୀ ବୈଷ୍ଣବ, ସର୍ବାନନ୍ଦ ସୋନୋୱାଲ, ଜେପି ନଡ୍ଡା, ହରଦୀପ ସିଂହ ପୁରୀ, ପ୍ରହଲ୍ଲାଦ ଜୋଶୀ, ପୀୟୁଷ ଗୋୟଲ ଏବଂ ରାମ ମୋହନ ନାଇଡୁ ବୈଠକରେ ଉପସ୍ଥିତ ଥିଲେ। ଆଜିର ବୈଠକରେ ପୂର୍ବ ବୈଠକରେ (୨୨ ମାର୍ଚ୍ଚରେ ଅନୁଷ୍ଠିତ) ନିଆଯାଇଥିବା ନିଷ୍ପତ୍ତିଗୁଡ଼ିକର ସମୀକ୍ଷା କରାଯାଇଥିଲା।