ଭୁବନେଶ୍ୱର: ଆଗାମୀ ୫ ଦିନ ଓଡ଼ିଶାରେ ପାଗ ପରିସ୍ଥିତି ରହିବ ଅସ୍ଥିର। ବଜ୍ରପାତ ସହ ଝଡ଼ବର୍ଷା ନେଇ ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ‘ୟେଲୋ ଆଲର୍ଟ’ ଜାରି କରାଯାଇଛି। ରାଜ୍ୟର ବିଭିନ୍ନ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି।
ଆସନ୍ତାକାଲି ଏପ୍ରିଲ ୫ ସକାଳ ପର୍ଯ୍ୟନ୍ତ, ଗଞ୍ଜାମ, ଗଜପତି, ରାୟଗଡ଼ା, କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାରେ ୪୦ରୁ ୫୦ କି.ମି. ବେଗରେ ପବନ ହେବ ସହ ବଜ୍ରପାତ ହେବା ଆଶଙ୍କା ରହିଛି। ଅନ୍ୟ ଜିଲ୍ଲାଗୁଡ଼ିକରେ ୩୦ରୁ ୪୦ କି.ମି. ବେଗରେ ପବନ ବହିପାରେ। ଏହା ସହ ସମୁଦ୍ରତଟୀୟ ଅଞ୍ଚଳ ଯଥା ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ତାତି ସାଙ୍ଗକୁ ଆର୍ଦ୍ରତା ବଢ଼ିବ।
ସେହିପରି ଦ୍ୱିତୀୟ ଓ ତୃତୀୟ ଦିନରେ ମଧ୍ୟ ଏପରି ପରିସ୍ଥିତି ଜାରି ରହିବ। ସୁନ୍ଦରଗଡ଼, ମୟୁରଭଞ୍ଜ, କେଉଁଝର, ପୁରୀ, ଖୋର୍ଦ୍ଧା, ନୟାଗଡ଼ ସହ ଅନ୍ୟ ଅଞ୍ଚଳରେ ବଜ୍ରପାତ ସହ ବର୍ଷା ହେବା ଆଶଙ୍କା କରାଯାଇଛି। ତୃତୀୟ ଦିନରେ ଉତ୍ତର ଓ ଉପକୂଳ ଜିଲ୍ଲାଗୁଡ଼ିକ ଯଥା ଯାଜପୁର, କଟକ, ବାଲେଶ୍ୱର, ଭଦ୍ରକ ଇତ୍ୟାଦିରେ ମଧ୍ୟ ଏହାର ପ୍ରଭାବ ପଡ଼ିବ।
ଚତୁର୍ଥ ଓ ପଞ୍ଚମ ଦିନରେ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ପୁଣି ଝଡ଼ବର୍ଷା ଓ ବଜ୍ରପାତ ଜାରି ରହିବ। କେତେକ ସ୍ଥାନରେ ୫୦ କି.ମି. ବେଗରେ ପବନ ବହିପାରେ। ପାଣିପାଗ ବିଭାଗ ପକ୍ଷରୁ ଲୋକମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ବଜ୍ରପାତ ସମୟରେ ଖୋଲା ଜାଗାରେ ନ ରହିବା, ଗଛ ତଳେ ଆଶ୍ରୟ ନ ନେବା ଓ ଆବଶ୍ୟକ ନହେଲେ ବାହାରକୁ ନ ବାହାରିବାକୁ କୁହାଯାଇଛି।