କେନ୍ଦ୍ରାପଡ଼ା: ଆଜିବି ସମାଜରେ ଜାତିଆଣ ଭେଦଭାବ ବଞ୍ଚିରହିଛି । ଠାକୁର ଘରେ ପଶିଯିବାରୁ ଜଣେ ଦଳିତ ବୃଦ୍ଧା ମହିଳାଙ୍କୁ ଆକ୍ରମଣ କରାଯାଇଛି । ସେ ପୁଣି ଜଣେ ମାନସିକ ବିକାର ଗ୍ରସ୍ତ ରୋଗୀ । କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଖଣତା ଗ୍ରାମରେ ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ବୃଦ୍ଧାଙ୍କ ପୁଅ ପ୍ରଫୁଲ୍ଲ ସେଠୀ ଏ ନେଇ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ କରିଛନ୍ତି ।
ଘଟଣାଟି ଗତ ଗୁରୁବାର ଘଟିଛି । ଖଣତା ଗ୍ରାମରେ ବୃଦ୍ଧା ସତ୍ୟଭାମା ସେଠୀ ଜଣେ ଅନୁସୂଚିତ ଜାତିର ମହିଳା ଏବଂ ମାନସିକ ବିକାରଗ୍ରସ୍ତ । ଗୁରୁବାର ଦିନ ସେ ଦୋକାନକୁ ଯାଇ ରାସ୍ତା ଭୁଲି ଯାଇଥିଲେ । ଆଉ ଭୁଲରେ ଗ୍ରାମର ମହେଶ୍ୱର ଲେଙ୍କାଙ୍କ ଠାକୁର ଘରେ ପଶି ଯାଇଥିଲେ । ଏହା ପରେ ମହେଶ୍ୱରଙ୍କ ପରିବାର ଲୋକେ ତାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ । ଏମିତିକି ତାଙ୍କୁ କିଛି ସମୟ ବାନ୍ଧି ଅଟକ ରଖିଥିଲେ । ପରେ ତାଙ୍କୁ ଛାଡ଼ିବାରୁ ସ୍ଥାନୀୟ ଲୋକେ ସତ୍ୟଭାମାଙ୍କୁ ପ୍ରଥମେ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସତ୍ୟଭାମାଙ୍କ ପୁଅ ପ୍ରଫୁଲ୍ଲ ଘଟଣା ସମ୍ପର୍କରେ ଜାଣିବା ପରେ ଥାନାର ଦ୍ୱାରସ୍ଥ ଅଭିଯୋଗ କରିଥିଲେ । କିନ୍ତୁ ସେଦିନ ଥାନା ଅଧିକାରୀ ଛୁଟିରେ ଥିବାରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା । ଶୁକ୍ରବାର ସନ୍ଧ୍ୟାରେ ମହେଶ୍ୱର ଲେଙ୍କାଙ୍କ ପରିବାର ସଦସ୍ୟଙ୍କୁ ଥାନାକୁ ପଚରାଉଚରା କରିଥିବାର ସୂଚନା ଦେଇଛନ୍ତି ପଟ୍ଟାମୁଣ୍ଡାଇ ଏସ୍ଡିପିଓ ସୁକାନ୍ତ ପାତ୍ର ।