ନୂଆଦିଲ୍ଲୀ: ଜୟନଗର-ପୁରୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ ହୋଇଛି । ଅଚାନକ ନିଆଁ ବାହାରିବା ଫଳରେ ଭୟରେ ଯାତ୍ରୀମାନେ ଏଣେତେଣ ଦୌଡ଼ିଛନ୍ତି । ବିଦ୍ୟୁତ ସର୍ଟ ସର୍କିଟରୁ ଧୂଆଁ ବାହାରିଥିବା ଅନୁମାନ କରାଯାଉଥିବା ବେଳେ ରେଳ ଅଧିକାରୀମାନେ ଯାଞ୍ଚ କରୁଛନ୍ତି ।
ଶନିବାର ଜାମତାରାରୁ ଛାଡ଼ିଥିବା ଜୟନଗର-ପୁରୀ ଏକ୍ସପ୍ରେସ ପ୍ରାୟ ଏକ କିଲୋମିଟର୍ ଦୂର ଯିବା ପରେ ସାହାନା ଗ୍ରାମ ନିକଟରେ ଟ୍ରେନର ଜେନେରାଲ କୋଚ୍ ରେ ହଠାତ୍ ଧୂଆଁ ବାହାରିଥିଲା । ଯାତ୍ରୀମାନେ ତୁରନ୍ତ ଟ୍ରେନକୁ ଅଟକାଇ ଏଣେତେଣେ ଦୌଡ଼ିବା ଆରମ୍ଭ କରିଥିଲେ । କିଛି ସମୟ ପାଇଁ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା । ତେବେ ତୁରନ୍ତ ଖବର ପାଇ ଘଟଣାସ୍ଥଳରେ ରେଳ ଅଧିକାରୀ ଏବଂ ଅଗ୍ନିଶମ ବାହିନୀ ପହଁଚିଥିଲେ । ଅଧିକାରୀମାନେ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲେ ।
ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ଯାତ୍ରୀମାନଙ୍କ ମଧ୍ୟରେ କୌଣସି କ୍ଷତି ହୋଇନାହିଁ । ଟ୍ରେନଟି ପ୍ରାୟ ଅଧ ଘଣ୍ଟା ପାଇଁ ସାହାନା ଗାଁ ନିକଟରେ ଅଟକି ରହିଥିଲା। ତେବେ ରେଳ ବିଭାଗ ପକ୍ଷରୁ ଯାଞ୍ଚ ଜାରି ରହିଛି ।