ଭୁବନେଶ୍ୱର: ରାଜ୍ୟ ପର୍ଯ୍ୟଟନକୁ ବିଶ୍ୱ ସ୍ତରରେ ପହଁଚାଇବାକୁ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି । “ଥିଙ୍କ୍ ଇଣ୍ଡିଆ, ଥିଙ୍କ୍ ଓଡ଼ିଶା” ଆଧାରରେ ବିଦେଶୀ ପ୍ରଥମ ପସନ୍ଦ କରିବେ ଓଡ଼ିଶାକୁ । ସେଥିପାଇଁ ଆଜି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ବସିଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରେ ବିସ୍ତୃତ ଆଲୋଚନା ହୋଇଛି ।
ପର୍ଯ୍ୟଟନକୁ ବିଶ୍ୱ ସ୍ତରରେ ପ୍ରଥମ ପସନ୍ଦ କରିବାକୁ ଆଜିର ବୈଠକରେ ଗୁରୁତ୍ୱ ଦିଆଯାଇଛି । ବିଶେଷ କରି ପର୍ଯ୍ୟଟନ ବିଭାଗ ସହିତ ଅନ୍ୟ ସମସ୍ତ ବିଭାଗକୁ ଯୋଡ଼ିବାକୁ ପ୍ରୟାସ କରାଯାଇଛି । ସେଥିପାଇଁ “ଥିଙ୍କ୍ ଇଣ୍ଡିଆ, ଥିଙ୍କ୍ ଓଡ଼ିଶା”କୁ ଗୁରୁତ୍ୱ ଦିଆଯାଇଛି । ଅର୍ଥାତ୍ ଦେଶ ବାହାର ଲୋକ ଭାରତ ଆସିବାକୁ ଯୋଜନା କଲେ ସେମାନଙ୍କ ପ୍ରଥମ ପସନ୍ଦ ଓଡ଼ିଶା ହେବା ଉଚିତ୍ । ତାହା ଉପରେ ଗୁରୁତ୍ୱ ଦିଆଯାଉଛି ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ।
ଉଲ୍ଲେଖ ଯୋଗ୍ୟ, ଗତ ପାଞ୍ଚ ବର୍ଷ ମଧ୍ୟରେ ରାଜ୍ୟରେ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଭୁବନେଶ୍ୱର ଏବଂ ଦୁବାଇ, ବ୍ୟାଙ୍କକ୍, ସିଙ୍ଗାପୁର ମଧ୍ୟରେ ସିଧାସଳଖ ବିମାନ ସେବା ଆରମ୍ଭ ହେବା ପରେ ରାଜ୍ୟ ପର୍ଯ୍ୟଟନ ଶିଳ୍ପରେ ବିଦେଶୀ ପର୍ଯ୍ୟଟକଙ୍କ ଆଗମନରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିଛି । ଗତ ଡିସେମ୍ବରରେ ବିଧାନସଭାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ରଖିଥିବା ଲିଖିତ ଉତ୍ତର ଅନୁଯାୟୀ, ୨୦୨୦ ରୁ ୨୦୨୪ ଆର୍ଥିକ ବର୍ଷ ମଧ୍ୟରେ ୧ ଲକ୍ଷ ୩୩ ହଜାର ୧୬୧ ବିଦେଶୀ ପର୍ଯ୍ୟଟକ ଓଡ଼ିଶା ଆସିଥିଲେ। ୨୦୨୦ରେ ୧୦,୨୦୬ ଜଣ, ୨୦୨୧ ମସିହାରେ ୨,୨୬୯ ଜଣ, ୨୦୨୨ ମସିହାରେ ୨୨,୧୭୨ ଜଣ, ୨୦୨୩ ମସିହାରେ ୪୫,୧୭୩ ଜଣ ଏବଂ ୨୦୨୪ରେ ୫୩,୩୯୨ ଜଣ ବିଦେଶୀ ପର୍ଯ୍ୟଟକ ଓଡ଼ିଶା ଆସିଛନ୍ତି ।