ଭୁବନେଶ୍ୱର: ରାଜ୍ୟରେ ପ୍ରାଥମିକ ଶିକ୍ଷାକୁ ଆରୋ ଶକ୍ତିଶାଳୀ କରିବା ପାଇଁ ବଡ଼ ପଦକ୍ଷେପ ନେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏବେ ଶିଶୁ ବାଟିକାରୁ ପ୍ରାଥମିକ ଶିକ୍ଷା ପର୍ଯ୍ୟନ୍ତ ସମସ୍ତ ବ୍ୟବସ୍ଥା ଗୋଟିଏ ଛାତ ତଳେ ରହିବ। ଏହା ସହିତ ସମସ୍ତ ଅଙ୍ଗନବାଡି କେନ୍ଦ୍ରକୁ ଶିଶୁ ବାଟିକା ସହ ଯୋଡ଼ାଯିବାର ଯୋଜନା ରହିଛି।
ଖଡ଼ିଛୁଆଁ ଉତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଆଜି ଏହି ବଡ଼ ଘୋଷଣା କରିଛନ୍ତି। ଏହି ପଦକ୍ଷେପ ଓଡ଼ିଶାର ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ନୂତନ ଦିଗ ଦେବ। ଭୁବନେଶ୍ୱରର ରାଜ ଭବନ ସ୍କୁଲ ପରିସରରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ସେ ପିଲାଙ୍କ ସହ ମିଶି ଖଡ଼ି ଛୁଆଇଁଥିଲେ ଏବଂ ସ୍ନେହର ସହିତ ପାଠ ପଢ଼ାଇଥିଲେ।
ସରକାର ପକ୍ଷରୁ ପ୍ରତ୍ୟେକ ଗାଁରେ ମଡେଲ ସ୍କୁଲ୍ ସ୍ଥାପନ କରାଯିବାକୁ ମଧ୍ୟ ଘୋଷଣା ହୋଇଛି। ପ୍ରାୟ ୬ କୋଟି ଟଙ୍କା ବ୍ୟୟରେ ନୂତନ ସ୍କୁଲ୍ ନିର୍ମାଣ ହେବ। ଏହା ସହିତ ୫ ଏକର ଜମିରେ ଗୋଦାବରୀଶ ମିଶ୍ର ପ୍ରାଥମିକ ବିଦ୍ୟାଳୟ ଗଢ଼ିଉଠିବ, ଯାହା ଶିକ୍ଷାର ନୂତନ ମାନକ ସୃଷ୍ଟି କରିବ।
ମୁଖ୍ୟମନ୍ତ୍ରୀ ବିଦ୍ୟାଳୟରେ ଶତପ୍ରତିଶତ ନାମଲେଖାକୁ ଗୁରୁତ୍ୱ ଦେଇଛନ୍ତି। ଏହାକୁ ସଫଳ କରିବା ପାଇଁ ପ୍ରାୟ ୫ ଲକ୍ଷ ନିମନ୍ତ୍ରଣ ପତ୍ର ବଣ୍ଟନ କରାଯାଇଛି, ଯାହା ମାଧ୍ୟମରେ ସମସ୍ତ ଶିଶୁଙ୍କୁ ସ୍କୁଲ୍ରେ ଭର୍ତ୍ତି କରାଯିବ।
ଏପଟେ ପାଠ୍ୟପୁସ୍ତକ ବଣ୍ଟନ ନେଇ ମଧ୍ୟ ବଡ଼ ସୂଚନା ଆସିଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ କହିବା ଅନୁଯାୟୀ, ନୂତନ ଜାତୀୟ ଶିକ୍ଷା ନୀତି ଅନୁସାରେ ନୂଆ ବହି ପ୍ରସ୍ତୁତ ହେଉଛି। ବର୍ତ୍ତମାନ ସୁଦ୍ଧା ପ୍ରାୟ ୫୦ ପ୍ରତିଶତ ଛାତ୍ରଛାତ୍ରୀଙ୍କୁ ବହି ମିଳିଛି ଏବଂ ଶେଷ ବହି ଖୁବଶୀଘ୍ର ଖରାଛୁଟି ମଧ୍ୟରେ ବଣ୍ଟନ କରାଯିବ।