ଭୁବନେଶ୍ୱର: ମାସେ କାଳ ଧରି ବିଧାନସଭା ଚାଲିଥିବା । ଟିକେ ସମୟ ବିତାଇବାକୁ ସମସ୍ତ ବିଧାୟକ ଦିଲ୍ଲୀ ବୁଲିବାକୁ ଯାଇଥିଲୁ ବୋଲି ଫେରିବା ପରେ କହିଛନ୍ତି କଂଗ୍ରେସ ବିଧାୟକ ମଙ୍ଗୁ ଖିଲ୍ଲ । ତେବେ ବିଧାୟକ ଦଳ ପରିବର୍ତ୍ତନ ଆଲୋଚନା ଗୁଜବ ଥିବା କହିଛନ୍ତି କଂଗ୍ରେସ ବିଧାୟକ ।
ରାଜ୍ୟ କଂଗ୍ରେସର ୬ ଜଣ ବିଧାୟକ ବଜେଟ୍ ଅଧିବେଶନ ଶେଷ ହେବା କ୍ଷଣି ତୁରନ୍ତ ଦିଲ୍ଲୀ ଗସ୍ତ କରିଛନ୍ତି । ଯାହାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । କଂଗ୍ରେସ ବିଧାୟକ ଦଳ ନେତାଙ୍କୁ ପରିବର୍ତ୍ତନ କରିବାକୁ ଯୋଜନା ପ୍ରସ୍ତୁତ କରୁଥିବା ଆଲୋଚନା ହେଉଛି । ତେବେ ଦିଲ୍ଲୀରୁ ଫେରିବା ପରେ ଏହି ଆଲୋଚନାରେ ଜବନୀକା ଟାଣିଛନ୍ତି ବିଧାୟକ ମଙ୍ଗୁ ଖିଲ୍ଲ । ସେ କହିଛନ୍ତି ଯେ ମାସେ କାଳ ଧରି ବିଧାନସଭା ଅଧିବେଶନ ଚାଲିଥିଲା । ସମସ୍ତେ ଟିକେ ବିରକ୍ତ ହୋଇଯାଇଥିଲେ । ଅଧିବେଶନ ଶେଷ ହେବା ପରେ ସମସ୍ତେ ନିଜ ନିଜ ନିର୍ବାଚନ ମଣ୍ଡଳୀକୁ ଯାଇ କାର୍ଯ୍ୟରେ ଲାଗିବେ । ସେଥିପାଇଁ ଏହା ପୂର୍ବରୁ ନୂଆ ଓ ପୁରଣା ବିଧାୟକମାନେ ମିଶିକି ଟିକେ ମନୋରଞ୍ଜନ ପାଇଁ ଦିଲ୍ଲୀ ବୁଲିବାକୁ ଯାଇଥିଲୁ । ଦିଲ୍ଲୀରେ ବିଷୟରେ ଅଧିକ ଜାଣିନଥିବାରୁ ବୁଲିବାକୁ ଯାଇଥିଲି ।
କିନ୍ତୁ ଓଡ଼ିଶା ଯେଉଁ ଖବର ପ୍ରସାରିତ ହୋଇଛି ତାହା ସମ୍ପୂର୍ଣ୍ଣ ଗୁଜବ । ବିଧାୟକ ଦଳ ନେତା ପରିବର୍ତ୍ତନ ପ୍ରସଙ୍ଗରେ କୌଣସି ଆଲୋଚନା ହୋଇନାହିଁ । ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମଙ୍କ ପ୍ରଦର୍ଶନ ବିଧାନସଭାରେ ଭଲ ରହିଛି, ଆମେ ମଧ୍ୟ ତାଙ୍କୁ ସହଯୋଗ କରୁଛୁ। ବିଧାୟକ ଦଳ ନେତା ପରିବର୍ତ୍ତନ ହେବ କି ନାହିଁ ତାହାର ନିଷ୍ପତ୍ତି ମୁଁ ନେଇପାରିବି ନାହିଁ । ତେବେ ଦିଲ୍ଲୀ ଗସ୍ତ ବେଳେ ଦଳର ମୁଖ୍ୟ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଭେଟିଥିବା କହିଛନ୍ତି । ରାଜ୍ୟସଭା ନିର୍ବାଚନ ସମ୍ପର୍କରେ ଆଲୋଚନା ହୋଇଥିଲା । ଏହା ସହିତ ସଂଗଠନ ସୁଦୃଢ଼ କରିବା ଉପରେ ଆଲୋଚନା ହୋଇଥିଲା । । ଆଗାମୀ ୨୦୨୯ ନିର୍ବାଚନକୁ ଦୃଷ୍ଟିରେ ରଖି ସମସ୍ତେ ଏକଜୁଟ, ଶୃଙ୍ଖଳିତ ଓ ସଂଗଠିତ ରହିବାକୁ ମୁଖିଆ ଖଡ଼ଗେ ପରାମର୍ଶ ଦେଇଥିବା କହିଛନ୍ତି ମଙ୍ଗୁ ଖିଲ୍ଲ ।