ଭାରତୀୟ ରାଜନୀତିରେ କିଛି ନେତା ନିଜ ଦଳର ପର୍ଯ୍ୟାୟ ପାଲଟି ଯାଆନ୍ତି। ସେମାନଙ୍କ ସ୍ୱର ହିଁ ଦଳର ସ୍ୱର ହୋଇଯାଏ, ସେମାନଙ୍କ ନାମରେ ଦଳର ପରିଚୟ ସୃଷ୍ଟି ହୁଏ, କିନ୍ତୁ କ୍ଷମତାର ଖେଳ ଅତ୍ୟନ୍ତ ନିଷ୍ଠୁର। ଦିନେ ହଠାତ୍ ସେମାନଙ୍କୁ କଣଠେସା କରିଦିଆଯାଏ। ଏହି କାହାଣୀଗୁଡ଼ିକ କେବଳ ବ୍ୟକ୍ତିଗତ ନୁହେଁ, ବରଂ ମେଣ୍ଟ, ପରିବାର, ଗୋଷ୍ଠୀ କନ୍ଦଳ ଏବଂ 'ନୂଆ ଚେହେରା'ର ଭୋକର କାହାଣୀ। ରାଘବ ଚଢ଼ା, ଆରସିପି ସିଂହ ହୁଅନ୍ତୁ କିମ୍ବା ରାଜ ଠାକରେ.. ଏହି ନେତାମାନେ ମଧ୍ୟ କେବେ ଦଳର 'ଅମୂଲ୍ୟ ରତ୍ନ' ଥିଲେ ,ଆଜି କିନ୍ତୁ ଅଲୋଡ଼ା। ଆସନ୍ତୁ ବୁଝିବା କିପରି ଏମାନେ ଦଳ ପାଇଁ ' ଅଲୋଡା ସାମାନ' ପାଲଟିଗଲେ...
ରାଘବ ଚଢ଼ା - ଆପ୍:
ରାଘବ ଚଢ଼ା ଆମ ଆଦମୀ ପାର୍ଟିର ସବୁଠାରୁ ଚମକଦାର ଚେହେରାମାନଙ୍କ ମଧ୍ୟରୁ ଜଣେ ଥିଲେ। ୨୦୨୨ରେ ସେ ପଞ୍ଜାବରୁ ରାଜ୍ୟସଭା ସାଂସଦ ହେଲେ, ଦଳର ଜାତୀୟ ପ୍ରବକ୍ତା ହେଲେ, ବଜେଟ୍ ଉପରେ ତୀକ୍ଷ୍ଣ ପ୍ରଶ୍ନ ପଚାରିଲେ ଏବଂ କେଜ୍ରିୱାଲଙ୍କ 'ଅରବିନ୍ଦ କେଜ୍ରିୱାଲ' ଇମେଜ୍କୁ ଜାତୀୟ ସ୍ତରରେ ପହଞ୍ଚାଇଲେ। କିନ୍ତୁ ୨ ଏପ୍ରିଲ ୨୦୨୬ରେ ଆପ୍ ହଠାତ୍ ଏକ ଚମକାଇଲା ଭଳି ନିଷ୍ପତ୍ତି ନେଲା। ରାଘବ ଚଢ଼ାଙ୍କୁ ରାଜ୍ୟସଭାରେ ଡେପୁଟି ଲିଡର ପଦରୁ ହଟାଇ ଦେଲା। ତାଙ୍କ ସ୍ଥାନ ଅଶୋକ ମିତ୍ତଲଙ୍କୁ ଦିଆଗଲା। ଦଳ ରାଜ୍ୟସଭା ସଚିବାଳୟକୁ ଚିଠି ଲେଖି କହିଲା ଯେ ଏବେ ଚଢ଼ାଙ୍କୁ ଦଳୀୟ କୋଟାରୁ କହିବା ପାଇଁ ସମୟ ଦିଆନଯାଉ।
ରାଜନୈତିକ ବିଶେଷଜ୍ଞଙ୍କ ମତରେ ୨୦୨୫ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆପର ପରାଜୟ ପରେ ଚଢ଼ା ଚୁପ୍ ହୋଇଯାଇଥିଲେ। ସେ କେଜ୍ରିୱାଲଙ୍କ କାର୍ଯ୍ୟକ୍ରମରୁ ଦୂରେଇ ରହିଲେ ଏବଂ ଦଳର କୋର୍ ଏଜେଣ୍ଡା ସହ ଦୂରତା ବଢ଼ିଲା। ଦଳୀୟ ସୂତ୍ର ଏହାକୁ 'ଅନୁଶାସନହୀନତା' ବୋଲି କହିଥିଲେ। ୨୪ ଘଣ୍ଟା ପୂର୍ବ ପର୍ଯ୍ୟନ୍ତ ଯିଏ ଦଳର ଚେହେରା ଥିଲେ, ପରଦିନ ସେ ସାଇଡ୍ଲାଇନ୍ ହୋଇଗଲେ।
ଆରସିପି ସିଂହ - ଜେଡିୟୁ:
ଆରସିପି ସିଂହ ନୀତିଶ କୁମାରଙ୍କ ସବୁଠାରୁ ଭରସାଯୋଗ୍ୟ ସହଯୋଗୀ ଥିଲେ। ୨୦୨୦ରେ ସେ ଜେଡିୟୁର ଜାତୀୟ ଅଧ୍ୟକ୍ଷ ହେଲେ, ୨୦୨୧ରେ କେନ୍ଦ୍ରୀୟ ଇସ୍ପାତ ମନ୍ତ୍ରୀ ହେଲେ। ସେ ନୀତିଶଙ୍କ 'ରାଇଟ୍ ହ୍ୟାଣ୍ଡ' ବୋଲି କୁହାଯାଉଥିଲା। କିନ୍ତୁ ୨୦୨୨ରେ ନୀତିଶ ତାଙ୍କୁ ରାଜ୍ୟସଭା ଟିକେଟ୍ ଦେବାକୁ ମନା କରିଦେଲେ। ପରେ ତାଙ୍କ ଉପରେ ଦୁର୍ନୀତି ଅଭିଯୋଗ ଆସିଲା। ୬ ଅଗଷ୍ଟ ୨୦୨୨ରେ ସେ ଦଳ ଛାଡ଼ିଲେ। ସେ କହିଥିଲେ, 'ନୀତିଶ କୁମାରଙ୍କ ସହ ୩୦ ବର୍ଷର ସମ୍ପର୍କ ଥିଲା, କିନ୍ତୁ ଏବେ ଶେଷ।' ଆଜି ସେ ଜେଡିୟୁରୁ ବାହାରେ ଅଛନ୍ତି।
ଗୁଲାମ ନବୀ ଆଜାଦ - କଂଗ୍ରେସ:
ଗୁଲାମ ନବୀ ଆଜାଦ କଂଗ୍ରେସର ସବୁଠାରୁ ବଡ଼ ଚେହେରାମାନଙ୍କ ମଧ୍ୟରୁ ଜଣେ ଥିଲେ। ସ୍ୱାସ୍ଥ୍ୟ ମନ୍ତ୍ରୀ ଏବଂ କଂଗ୍ରେସ ସାଧାରଣ ସମ୍ପାଦକ ରହିଥିଲେ। ୨୦୨୨ରେ ରାହୁଲ ଗାନ୍ଧୀଙ୍କ କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇ ଏବଂ ଦଳରେ ସ୍ୱାଧିନତାର ଅଭାବ ଦର୍ଶାଇ ସେ ଇସ୍ତଫା ଦେଇଥିଲେ। ସେ ସୋନିଆ ଗାନ୍ଧୀଙ୍କୁ ଲେଖିଥିଲେ ଯେ ରାହୁଲ ଗାନ୍ଧୀ ଦଳର ବ୍ୟବସ୍ଥାକୁ ନଷ୍ଟ କରିଦେଲେ। ପରେ ସେ ନିଜର ଦଳ ଡିପିଏପି ଗଠନ କଲେ, କିନ୍ତୁ କଂଗ୍ରେସରେ ଯିଏ 'ପର୍ଯ୍ୟାୟ' ଥିଲେ, ସେ ଆଜି ସାଇଡ୍ଲାଇନ୍।
ରାଜ ଠାକରେ - ଶିବସେନା:
ରାଜ ଠାକରେ ଶିବସେନାର ସବୁଠାରୁ ଆକ୍ରମଣାତ୍ମକ ଚେହେରା ଥିଲେ। କିନ୍ତୁ ୨୦୦୩ରେ ଉଦ୍ଧବ ଠାକରେଙ୍କୁ କାର୍ଯ୍ୟକାରୀ ଅଧ୍ୟକ୍ଷ କରାଯିବା ପରେ ରାଜ ଅପମାନିତ ଅନୁଭବ କଲେ। ୨୭ ନଭେମ୍ବର ୨୦୦୫ରେ ସେ ଶିବସେନା ଛାଡ଼ିଲେ। ପରେ ସେ ଏମଏନଏସ ଗଠନ କଲେ। ୨୦ ବର୍ଷ ପରେ ବି ସେ ଶିବସେନାରୁ 'ସାଇଡ୍ଲାଇନ୍' ଚେହେରା ହୋଇ ରହିଛନ୍ତି।
ଆଜମ ଖାନ – ସମାଜବାଦୀ ପାର୍ଟି
ଆଜମ ଖାନ ସମାଜବାଦୀ ପାର୍ଟିର ସବୁଠାରୁ ଶକ୍ତିଶାଳୀ ଚେହେରା ଥିଲେ। କିନ୍ତୁ ୨୦୨୦ ପରଠାରୁ ଅନେକ ମାମଲାରେ ଜେଲ ଯିବା ପରେ ଦଳରେ ତାଙ୍କର ସକ୍ରିୟତା କମିଗଲା। ନଭେମ୍ବର ୨୦୨୫ରେ ୭ ବର୍ଷର ସଜା ହେବା ପରେ ସେ ରାଜନୈତିକ ଗତିବିଧିରୁ ଦୂରେଇ ଗଲେ। ଏକଦା ରାମପୁରର 'ବାଦଶାହ' ଥିବା ଏହି ନେତା ଗୋଟିଏ ଝଟକାରେ ସବୁକିଛି ହରାଇଥିଲେ।
ଓ. ପନ୍ନୀରସେଲଭମ୍ - ଏଆଇଏଡିଏମକେ:
ଓ. ପନ୍ନୀରସେଲଭମ୍ (ଓପିଏସ୍) ଜୟଲଳିତାଙ୍କ ସବୁଠାରୁ ନିକଟତର ଥିଲେ। ୨୦୧୬ରେ ଜୟଲଳିତାଙ୍କ ମୃତ୍ୟୁ ପରେ ସେ ମୁଖ୍ୟମନ୍ତ୍ରୀ ହେଲେ, କିନ୍ତୁ ପରେ ପରିସ୍ଥିତି ଏପରି ହେଲା ଯେ ୨୦୨୬ରେ ଇପିଏସ ତାଙ୍କୁ ଦଳକୁ ଫେରିବାକୁ ମନା କରିଦେଲେ। ସେ ଏଆଇଏଡିଏମକେର 'ସଚ୍ଚୋଟ ଚେହେରା' ଥିଲେ, କିନ୍ତୁ ଆଜି ଦଳ ତାଙ୍କୁ ସାଇଡ୍ ଲାଇନ କରିଦେଇଛି।
ଏହି କାହାଣୀଗୁଡ଼ିକ କହୁଛି ଯେ ରାଜନୀତିରେ ଦଳର 'ପର୍ଯ୍ୟାୟ' ବନିବା ସହଜ ନୁହେଁ, କିନ୍ତୁ ସାଇଡ୍ଲାଇନ୍ ହେବା ବହୁତ ସହଜ। ଆଜି ଯିଏ ଚେହେରା, କାଲି ସିଏ 'ପୁରୁଣା' ହୋଇଯାଏ। ଏହି ନେତାମାନେ ମନେ ପକାଇ ଦିଅନ୍ତି ଯେ ଦଳ ସବୁବେଳେ 'ବ୍ୟକ୍ତି' ଠାରୁ ଉପରେ, କିନ୍ତୁ କେବେ କେବେ ବ୍ୟକ୍ତିକୁ ହିଁ ବଳି ଦିଆଯାଏ।