ଭୁବନେଶ୍ୱର: ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ପ୍ରତି ସାଂସଦ ନିଶିକାନ୍ତ ଦୁବେ ଦେଇଥିବା ମନ୍ତବ୍ୟକୁ ଚାରିଆଡ଼ୁ ସମାଲୋଚନା କରାଯାଇଛି । ଖୋଦ ରାଜ୍ୟ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମଧ୍ୟ ଏହାକୁ ନିନ୍ଦା କରିଛନ୍ତି । ଏପରି ମନ୍ତବ୍ୟ ନକରାତ୍ମକ ଏବଂ କୌଣସି ମତେ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି ମନ୍ତ୍ରୀ ।
ଆଜି ଗୃହରେ ବିଜୁ ବାବୁଙ୍କ ପ୍ରତି ନିଶିକାନ୍ତ ଦୁବେଙ୍କ ମନ୍ତବ୍ୟକୁ ନେଇ ଝଡ଼ ସୃଷ୍ଟି ହୋଇଥିଲା । ଉଭୟ ବିରୋଧୀ ବିଜେଡ଼ି ଓ କଂଗ୍ରେସ ସଦସ୍ୟମାନେ ନାରାବାଜି କରିଥିଲେ । ଫଳରେ ଗୃହକୁ ମୁଲତବୀ ରଖାଯାଇଥିଲା ।
ତେବେ ନିଶିକାନ୍ତଙ୍କ ମନ୍ତବ୍ୟକୁ ଆଇନ ମନ୍ତ୍ରୀ ମଧ୍ୟ ନିନ୍ଦା କରିଛନ୍ତି । ମନ୍ତ୍ରୀ କହିଛନ୍ତି ଯେ ସାଂସଦ ନିଶିକାନ୍ତ ଦୁବେ ଓଡ଼ିଶାର ବିଶିଷ୍ଟ ଜନନାୟକ ବିଜୁ ପଟ୍ଟାନାୟକଙ୍କ ବିଷୟରେ ଯେଉଁ ନକରାତ୍ମକ ଟିପ୍ପଣୀ ଦେଇଛନ୍ତି ତାହା ସରକାରଙ୍କ ସଜ୍ଞାନକୁ ଆସିଛି । ସାଂସଦ ନିଶିକାନ୍ତ ଦୁବେଙ୍କ ଏହା ବ୍ୟକ୍ତିଗତ ମତ। ଏଭଳି ଏକ ମନ୍ତବ୍ୟ ଅପରିଣାମଦର୍ଶୀ ମନ୍ତବ୍ୟ । ଏଭଳି ମନ୍ତବ୍ୟ କୌଣସି ଗ୍ରହଣୀୟ ନୁହେଁ । ଏହା ମୁଖ୍ୟମନ୍ତ୍ରୀଙ୍କ ସମେତ ଆମ ସମସ୍ତଙ୍କୁ ବ୍ୟଥିତ କରିଛି । ଏହା ପରେ ଯେପରି ଆଉ କୌଣସି ବ୍ୟକ୍ତି ଏପରି ଅଗ୍ରହଣୀୟ ମନ୍ତବ୍ୟ ପୁନରାବୃତ୍ତି ନ କରନ୍ତି ସେଥିପାଇଁ ମନ୍ତ୍ରୀ ସମସ୍ତଙ୍କୁ ଅନୁରୋଧ କରିଛନ୍ତି । ଏହା ଉପରେ କୌଣସି ରାଜନୀତି କରିବା ଦ୍ୱାରା ବିଜୁ ବାବୁଙ୍କ ସମ୍ମାନକୁ ଆଘାତ ଦେବ । ତେଣୁ ପ୍ରସଙ୍ଗ ଉପରେ କୌଣସି ଆଲୋଚନା ନ କରିବାକୁ ମନ୍ତ୍ରୀ ବିନୀତ ଅନୁରୋଧ କରିଛନ୍ତି ।