ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟି ଟିଏମସିକୁ ଦେଇଛି ବଡ ଝଟକା । କେବେ ତୃଣମୂଳ କଂଗ୍ରେସରେ ଥିବା ପ୍ରସିଦ୍ଧ ଟେନିସ ଖେଳାଳି ଲିଆଣ୍ଡର ପେସ ଏବେ ଭାରତୀୟ ଜନତା ପାର୍ଟିରେ ସାମିଲ୍ ହୋଇଛନ୍ତି । ଦିଲ୍ଲୀରେ କେନ୍ଦ୍ର ମନ୍ତ୍ରୀ କିରଣ ରିଜିଜୁ ଏବଂ ସୁକାନ୍ତ ମଜୁମଦାରଙ୍କ ଉପସ୍ଥିତିରେ ଲିଆଣ୍ଡର ପେସ ବିଜେପିରେ ସାମିଲ ହୋଇଛନ୍ତି । ଏବେ ସେ ବିଧାନସଭା ନିର୍ବାଚନରେ ବିଜେପି ପାଇଁ ପ୍ରଚାର କରିବେ ।
ଭାରତୀୟ ଜନତା ପାର୍ଟିର ସଦସ୍ୟତା ଗ୍ରହଣ କରିବା ପରେ ଲିଆଣ୍ଡର ପେସ କହିଛନ୍ତି, ଏହା ମୋ ଜୀବନର ବଡ ଦିନ । ମୁଁ ପିଏମ ମୋଦୀ, ଅମିତ ଶାହ ଓ ନିତୀନ ନବୀନଙ୍କୁ ଧନ୍ୟବାଦ ଦେଉଛି । ବିଜେପିର ସଦସ୍ୟତା କାଗଜ ମାତ୍ର କାଗଜ ନୁହେଁ ବରଂ ମୋ ପାଇଁ ଏକ ସମ୍ମାନର ବିଷୟ । ଏହି ସମୟରେ ପେସ ନିଜ ପିରବାର ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ । ସେ କହିଛନ୍ତି, ଏ ପର୍ଯ୍ୟନ୍ତ ସେ ମାତା-ପିତା ଓ ପରିବାରର ନାଁ ବଡ କରିବା ପାଇଁ କାମ କରୁଥିଲେ । ମାତ୍ର ଏବେ ତାଙ୍କୁ ଦେଶର ସେବା କରିବା ପାଇଁ ସୁଯୋଗ ମିଳିଛି ।
ସୂଚନାଯୋଗ୍ୟ, ପୂର୍ବତନ ଟେନିସ ଖେଳାଳି ଲିଆଣ୍ଡର ପେସ ଏହା ପୂର୍ବରୁ ମାର୍ଚ୍ଚ ୨୪ରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କୁ କୋଲକାତାରେ ଭେଟିଥିଲେ । ନୀତିନ ନବୀନଙ୍କୁ ଭେଟିବା ପରେ ପାର୍ଟିରେ ସାମିଲ ହେବାର ରଣନୀତି ପ୍ରସ୍ତୁତ ହୋଇଥିଲା । ମଙ୍ଗଳବାର ଲିଆଣ୍ଡର ପେସ ଦିଲ୍ଲୀ ପହଞ୍ଚିଥିଲେ ଏବଂ ବିଜେପିରେ ସାମିଲ୍ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପାଇଁ ଏହା ବଡ ଝଟକା ବୋଲି କୁହାଯାଉଛି । ଏ ପର୍ଯ୍ୟନ୍ତ ତାଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇ ନାହିଁ । ନିର୍ବାଚନ ପୂର୍ବରୁ ବିଜେପି ପାଇଁ ଏହା ବଡ ଫାଇଦା ସାବ୍ୟସ୍ତ ହୋଇପାରେ । ପେସ୍ ବର୍ତ୍ତମାନ ନିର୍ବାଚନରେ ବିଜେପି ପାଇଁ ପ୍ରଚାର କରିବେ ।