ଭୁୁବନେଶ୍ୱର: ସରିଲା ବିଧାନସଭାର ବଜେଟ୍ ଅଧିବେଶନ । ଅନିର୍ଦ୍ଧିଷ୍ଟକାଳ ପାଇଁ ମୁଲତବୀ ହେଲା ଗୃହକାର୍ଯ୍ୟ । ମାର୍ଚ୍ଚ ୨ରୁ ଆରମ୍ଭ ହୋଇଥିଲା ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ । ୫ଟି କାର୍ଯ୍ୟ ଦିବସ ପୂର୍ବରୁ ସରିଲା ଗୃହ କାର୍ଯ୍ୟ । ଏପ୍ରିଲ ୮ ପର୍ଯ୍ୟନ୍ତ ଗୃହ କାର୍ଯ୍ୟ ଚାଲିବା ପାଇଁ ତାରିଖ ଧାର୍ଯ୍ୟ ହୋଇଥିଲା । ମଙ୍ଗଳବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ବିଧାନସଭାରେ ଗୃହ କାର୍ଯ୍ୟ ଚାଲିଥିଲା ।
ସୂଚନାଯୋଗ୍ୟ, ଫେବୃଆରୀ ୧୭ରେ ଆରମ୍ଭ ହୋଇଥିଲା ପ୍ରଥମ ପର୍ଯ୍ୟାୟ ବଜେଟ୍ ଅଧିବେଶନ । ଫେବୃଆରୀ ୨୦ରେ ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆର୍ଥିକ ବର୍ଷ ୨୦୨୬-୨୭ ପାଇଁ ବଜେଟ୍ ଆଗତ କରିଥିଲେ । ବଜେଟ୍ ଅଧିବେଶନରେ ବିଧାୟକ, ମନ୍ତ୍ରୀ, ବାଚସ୍ପତି ଓ ଉପବାଚସ୍ପତିଙ୍କ ଦରମା, ଭତ୍ତା ଓ ପେନସନ ସଂଶୋଧନ ବିଲ୍ ୨୦୨୫ ପ୍ରତ୍ୟାହୃତ ହୋଇଛି । ଏହା ବାଦ୍ ଶେଷ ଦିନରେ ୪ ଘଣ୍ଟା ଧରି ସରଗରମ ଆଲୋଚନା ପରେ ଓଡିଶାର ସରକାରୀ ବିଶ୍ୱ ବିଦ୍ୟାଳୟ ଶିକ୍ଷକ ନିଯୁକ୍ତି ବିଲ୍ ଗୃହୀତ ହୋଇଛି ।
ଏହି ବିଲ ଟିକୁ ସିଲେକ୍ଟ କମିଟି ପଠାଇବାକୁ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଅରୁଣ କୁମାର ସାହୁ, ଅଶୋକ ଦାସ, ଧ୍ରୁବ ଚରଣ ସାହୁ, ଗଣେଶ୍ୱର ବେହେରା ଦାବି କରିଥିଲେ ହେଁ ଏହାକୁ ତୁରନ୍ତ ଲାଗୁ କରିବା ନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଯୁକ୍ତି ବାଢିଥିଲେ। ଏହାପରେ ବାଚସ୍ପତି ସୁରମା ପାଢ଼ୀ ବିଲ୍ ଉପରେ ଆଲୋଚନା ଆରମ୍ଭ କରିଥିଲେ। ଏହା ବାଦ୍ ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଧେୟକ ମଧ୍ୟ ଗୃହୀତ ହୋଇଛି ।
Also Read:ସରିଲା ଡେଡ୍ ଲାଇନ୍ : ମାଓ ମୁକ୍ତ ରାୟଗଡ଼ା