ନୂଆଦିଲ୍ଲୀ: ରାଜ୍ୟସଭାର ସର୍ବକନିଷ୍ଠ ସଦସ୍ୟ ରାଘବ ଚଢ଼ାଙ୍କ ଉପରେ ଆମ୍ ଆଦମୀ ପାର୍ଟୀ ଖପ୍ପା । ଗୁରୁବାର ରାଘବଙ୍କୁ ରାଜ୍ୟସଭାର ଉପନେତା ପଦରୁ ହଟାଇବାକୁ ଆପ୍ ଦଳ ସଚିବାଳୟକୁ ଚିଠି ଲେଖିଛି । ଚଢ଼ାଙ୍କ ସ୍ଥାନରେ ପଞ୍ଜାବର ସାଂସଦ ଅଶୋକ ମିତ୍ତଲଙ୍କୁ ଦଳ ଉପନେତା ଭାବେ ଚୟନ କରିଛି । ଖାଲି ସେତିକି ନୁହେଁ, ଦଳୀୟ ଚିଠିରେ ଏହା ମଧ୍ୟ ଉଲ୍ଲେଖ ରହିଛି ଯେ ରାଘବ ଚଢାଙ୍କୁ ଆପ୍ ଦଳର କୋଟା ଅନୁଯାୟୀ କହିବା ପାଇଁ ସମୟ ନ ଦିଆଯାଉ ।
ରାଘବ ଗତ କିଛି ମାସ ହେବ ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମ ଏବଂ ବୈଠକର ଲଗାତର ଅନୁପସ୍ଥିତ ରହୁଥିବାରୁ ତାଙ୍କୁ ଉପେର ଏହା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । କାର୍ଯ୍ୟାନୁଷ୍ଠାନ ନେଇ ଆପ୍ ଦଳ ପକ୍ଷରୁ କୁହାଯାଇଛି, ତାଙ୍କ ବିରୁଦ୍ଧରେ କୌଣସି ବିବାଦ ନାହିଁ ଏବଂ ଏମିତି ଦଳ ବିରୋଧୀ କାର୍ଯ୍ୟର ମଧ୍ୟ ଅଭିଯୋଗ ନାହିଁ । ଅବକାରୀ ନୀତି ଘୋଟାଲା ମାଲାରେ ଯେତେବେଳେ ଦଳର ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ନିର୍ଦ୍ଦୋଷରେ ମୁକ୍ତ ହେଲେ ସେତେବେଳେ ଚଢ଼ା କୌଣସି ଦଳୀୟ କାର୍ଯ୍ୟକ୍ରମରେ ସାମିଲ ହୋଇ ନ ଥିଲେ । ଏମିତିକି ପାର୍ଟୀ ଅଫିସ୍ ଏବଂ ସାମ୍ବାଦିକ ସମ୍ମିଳନୀରେ ସାମିଲ ହୋଇନଥିବା ଦେଖାଯାଇଥିଲା । ତେବେ ଗତ କିଛି ଦିନ ହେବ ଏହା ଚର୍ଚ୍ଚା ହେଉଛି ଯେ ରାଘବ ଚଢ଼ା ବିଜେପି ସହିତ ଧିରେ ଧିରେ ସୁସମ୍ପର୍କ ସ୍ଥାପନ କରୁଛନ୍ତି । କିନ୍ତୁ ଆପ୍ ସାଂସଦ ସଞ୍ଜୟ ସିଂହ ଏହି ଚର୍ଚ୍ଚାକୁ ଖଣ୍ଡନ କରିଥିଲେ । ଏହା ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି ସଞ୍ଜୟ କହିଥିଲେ ।
ବର୍ତ୍ତମାନ ରାଜ୍ୟସଭାରେ ଆପ୍ ଦଳର ୧୦ ଜଣ ସାଂସଦ ରହିଛନ୍ତି । ପଞ୍ଜାବରୁ ୭ ଜଣ ଏବଂ ଦିଲ୍ଲୀର ୩ ଜଣ ସଦସ୍ୟ ଅଛନ୍ତି । ରାଘବ ଚଢ଼ା ରାଜ୍ୟସଭାର ସର୍ବକନିଷ୍ଠ ସଦସ୍ୟ ଅଟନ୍ତି । ରାଘବ ଚଢ଼ା ଆପ୍ ଦଳର କାର୍ଯ୍ୟକାରିଣୀ ସଦସ୍ୟ ସହିତ ମୁଖପାତ୍ର ଅଟନ୍ତି । ସେ ଜଣେ ଚାଟାର୍ଡ ଆକାଉଣ୍ଟାଣ୍ଟ୍ । ୨୦୨୨ରୁ ପଞ୍ଜାବ ରାଜ୍ୟସଭା ଆସନରୁ ନିର୍ବାଚିତ ହୋଇଥିଲେ । ଡିସେମ୍ବର, ୨୦୨୩ରେ ସଞ୍ଜୟ ସିଂହ ଜେଲରେ ଥିବାବେଳେ ରାଘବଙ୍କୁ ଉପନେତାଭାବେ ଦଳ ନିଯୁକ୍ତ କରିଥିଲା । ସାଧାରଣ ଜନତାଙ୍କ ସମସ୍ୟା ସହିତ ଜଡ଼ିତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ରାଜ୍ୟସଭାରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ଲୋକଙ୍କ ପ୍ରଶଂସାର ପାତ୍ର ହୋଇଛନ୍ତି ।