ବୁଧବାର ତେଲଙ୍ଗାନାର ୱାରଙ୍ଗଲ ସିଟିରେ ଏପରି ଘଟଣା ଘଟିଛି। ପ୍ରଥମେ ଗର୍ଭବତୀ ଓ ତାଙ୍କର ଦୁଇ ଝିଅ ଦୁର୍ଭାଗ୍ୟବଶତଃ ସୁଇମିଂ ପୁଲରେ ବୁଡ଼ି ପ୍ରାଣ ହରାଇଥିବା ଆଶଙ୍କା କରାଯାଉଥିଲା। କିନ୍ତୁ ତଦନ୍ତ ପରେ ମହିଳାଙ୍କ ସ୍ୱାମୀ ହିଁ ୩ ଜଣଙ୍କୁ ପାଣିରେ ବୁଡ଼ାଇ ହତ୍ୟା କରିଥିବା ସ୍ପଷ୍ଟ ହୋଇଛି। ଅଭିଯୁକ୍ତ ହେଉଛନ୍ତି ଆଝାରୁଦ୍ଦିନ।
ୱାରଙ୍ଗଲ-ଖାମ୍ମାମ ଜାତୀୟ ରାଜପଥରେ ଆଝାରୁଦ୍ଦିନ ମାଲିକାନାରେ ଗୋଟିଏ ସୁଇମିଂ ପୁଲ ରହିଥିଲା। ଏହାକୁ ଭଡ଼ାରେ ଦିଆଯାଇଥିଲା। ବୁଧବାର ରାତିରେ ଆଝାରୁଦ୍ଦିନଙ୍କ ଗର୍ଭବତୀ ପତ୍ନୀ ଫରହାତ ଓ ତାଙ୍କର ୨ ଝିଅ ଏବଂ ଅନ୍ୟ ପରିବାର ସଦସ୍ୟମାନଙ୍କ ସହ ସୁଇମିଂ ପୁଲ ନିକଟକୁ ଯାଇଥିଲେ। ହେଲେ ଏହାର କିଛି ମିନିଟ ପରେ ସୁଇମିଂ ପୁଲରୁ ୩ ଜଣଙ୍କୁ ଭାସମାନ ଅବସ୍ଥାରେ ଦେଖିବାକୁ ମିଳିଥିଲା। ତୁରନ୍ତ ସେଠାରେ ରହୁଥିବା ଲୋକ ଓ ସମ୍ପର୍କୀମାନେ ୩ ଜଣଙ୍କୁ ଉଦ୍ଧାର କରି ଏମଜିଏମ ହସ୍ପିଟାଲକୁ ନେଇ ଯାଇଥିଲେ। କିନ୍ତୁ ସେଠାରେ ଡାକ୍ତର ସମସ୍ତଙ୍କୁ ମୃତ ଘୋଷଣା କରିଥିଲେ।
ମୃତକ ଥିଲେ ୨୬ ବର୍ଷୀୟ ଫରହାତ ଓ ତାଙ୍କର ଦୁଇ ଝିଅ ୮ ବର୍ଷୀୟ ଉମେରା ଓ ୬ ବର୍ଷୀୟ ଆୟେଶା। ଫରହାତଙ୍କ ସ୍ୱାମୀ ଆଝାରୁଦ୍ଦିନ ପୁଲିସ୍କୁ କହିଥିଲେ ଯେ ତାଙ୍କ ପତ୍ନୀ ଓ ୨ ଝିଅଙ୍କ ଗୋଡ଼ ଖସି ଯିବାରୁ ସୁଇମିଂ ପୁଲରେ ଖସି ପଡ଼ିଥିଲେ ଓ ପାଣିରେ ବୁଡ଼ି ସେମାନଙ୍କ ମୃତ୍ୟୁ ହୋଇଛି। ଆଝାରୁଦ୍ଦିନ ଓ ଫରହାତ ପ୍ରେମ ବିବାହ କରିଥିଲେ ଓ ସେମାନଙ୍କର ୨ଟି ଝିଅ ରହିଥିଲେ। ଫରହାତ ଏବେ ପୁଣି ଗର୍ଭବତୀ ହୋଇଥିଲେ। ବେଆଇନ ଭାବେ ଭୃଣ ଚିହ୍ନଟ କରି ତାଙ୍କ ପେଟରେ ପୁଣି ଗୋଟିଏ କନ୍ୟା ସନ୍ତାନ ରହିଥିବା ଆଝାରୁଦ୍ଦିନ ଜାଣିବାକୁ ପାଇଥିଲେ। ଯାହା କି ଏହି କାଣ୍ଡର ପ୍ରମୁଖ କାରଣ ବୋଲି ପୁଲିସ କହିଛି । ଆଝାରୁଦ୍ଦିନ ଗୋଟିଏ ପୁଅ ଚାହୁଁଥିବା ବେଳେ ଫରହାତଙ୍କୁ ପେଟରେ ବଢ଼ୁଥିବା ଭୃଣକୁ ନଷ୍ଟ କରିବାକୁ କହିଥିଲେ। ହେଲେ ସେ ଏଥିରେ ରାଜି ହୋଇ ନ ଥିଲେ।
ଏହାକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଶେଷରେ ଫରହାତ ଓ ୨ ଝିଅଙ୍କୁ ସବୁ ଦିନ ପାଇଁ ଶେଷ କରି ଦେବାକୁ ଆଝାରୁଦ୍ଦିନ ନିଷ୍ପତ୍ତି ନେଇଥିଲେ। ଯୋଜନା ଅନୁସାରେ ସେ ପତ୍ନୀ ଓ ଦୁଇ ଝିଅଙ୍କ ବୁଧବାର ସୁଇମିଂ ପୁଲ ନିକଟକୁ ନେଇ ପାଣି ଭିତରକୁ ଠେଲି ଦେଇଥିଲେ।
ତଦନ୍ତ ବେଳେ ଆଝାରୁଦ୍ଦିନଙ୍କ କଥାରେ ତାଳମେଳ ରହି ନ ଥିଲା। ତାଙ୍କ ଭୂମିକା ସନ୍ଦେହ ଘେରକୁ ଆସିବାରୁ ପୁଲିସ୍ ତାଙ୍କୁ ଗିରଫ କରିବାକୁ ପ୍ରକ୍ରିୟା ଆରମ୍ଭ କରିଥିଲା। ଏହା ଦେଖି ଆଝାରୁଦ୍ଦିନ ଫେରାର ହୋଇ ଯାଇଛନ୍ତି। ପୁଲିସ ଏବେ ତାଙ୍କ ନାଁରେ ଗୋଟିଏ ହତ୍ୟା ମାମଲା ରୁଜୁ କରିଛି।