କଟକ: ବିହାରରୁ ଆସି ଓଡ଼ିଶାରେ କିପରି ଲୁଟ୍ କରୁଥିଲେ ଫେରାର କଏଦୀ ରାଜା ସାହାଣୀ ଏବଂ ମଧୁକାନ୍ତ ରାଣା ତାହାର ଗୁମର ଖୋଲିଛି କମିଶନରେଟ୍ ପୋଲିସ । ନିର୍ଜନ ଓ ନିକାଞ୍ଚନ ସ୍ଥାନରେ ଥିବା ଗହଣା ଦୋକାନକୁ ଟାର୍ଗେଟ୍ କରୁଥିଲେ । ଆଉ ମଉକା ଦେଖି ଖସିଯାଉଥିଲେ । ଏ ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୋଲିସ କମିଶନର ଏସ୍. ଦେବଦତ୍ତ ସିଂ ।
ରାଜା ସାହାଣୀକୁ ଉତ୍ତରାଖଣ୍ଡରୁ ଗିରଫ କରାଯିବା ପରେ ଟ୍ରାଞ୍ଜିଟ୍ ରିମାଣ୍ଡରେ ଓଡ଼ିଶା ଅଣାଯାଇଛି । ଏହା ପରେ ଡିସିପି ସାମ୍ବାଦିକ ସମ୍ମିଳନୀରେ ସବିଶେଷ ତଥ୍ୟ ପ୍ରଦାନ କରିଛନ୍ତି । ଅକ୍ଟୋବର ମାସରେ ରାଜା ଚୌଦ୍ୱାର ଜେଲରୁ ଫେରାର ହୋଇଯାଇଥିଲା । ରାଜାକୁ ଧରିବାକୁ କମିଶନରେଟ୍ ପୋଲିସ ଟିମ୍ ଗଠନ କରିଥିଲା । ଫେରାର ସମୟରେ ସିସିଟିଭି ଫୁଟେଜକୁ ଆଧାର କରି ଫୁଟ୍ ପ୍ରିଣ୍ଟ୍ ପ୍ରସ୍ତୁତ କରାଯାଇଥିଲା । ସେପଟେ ରାଜା ବିଭିନ୍ନ ରାଜ୍ୟରେ ଆତ୍ମ ଗୋପନ କରିଥିଲା । ଡିସେମ୍ବର ମାସରେ କର୍ଣ୍ଣାଟକ ମହିଶୂର ପୁଣି ଏକ ଚୋରି କରିଥିଲା । ଏହା ପରେ ଆନ୍ଧ୍ର ପ୍ରଦେଶର ବିଶାଖାପାଟଣା ମଧ୍ୟ ଏକ ଚୋରି ଉଦ୍ୟମ କରି ବିଫଳ ହୋଇଥିଲା । ସେହିପରି ରାଜା ନାଁରେ ମୋଟ ୨୮ଟି ଅପରାଧିକ ମାମଲା ରହିଛି ।
ସେପଟେ ଏହି ଲୁଟ୍ ରେ ଏକ ବଡ଼ ଗ୍ୟାଙ୍ଗ ରହିଛି । ପ୍ରାୟ ୨୦୦୦ ଜଣ ଏଥିରେ ସାମିଲ ରହିଥିବା ସୂଚନା ମିଳିଛି । ଯାହାର ମାଷ୍ଟରମାଇଣ୍ଡ ନେପାଳରେ ରହି ସବୁ କିଛି ନିୟନ୍ତ୍ରଣ କରୁଛି । କମିଶନରଙ୍କ ସୂଚନା ମୁତାବକ ସେମାନେ ଟେକ୍ନିକାଲ ଏକ୍ସପର୍ଟ ସହିତ ଚୋରି କରୁଥିଲେ । ସାଧାରଣତଃ ସେମାନେ ନିର୍ଜନ ସ୍ଥାନରେ ଥିବା ସୁନା ଦୋକାନକୁ ଟାର୍ଗେଟ୍ କରୁଥିଲେ । ଏମିତିକି ପୋଲିସ ଷ୍ଟେସନ ନ ଥିବା ସ୍ଥାନରେ ଦୋକାନକୁ ଅଧିକ ଟାର୍ଗେଟ୍ କରୁଥିଲେ । ଚୋରି ପୂର୍ବରୁ ପ୍ରଥମେ ରେକି କରୁଥିଲେ । ଦୋକାନରେ ସମସ୍ତ ତଥ୍ୟ ହାସଲ କରୁଥିଲେ । ଦୋକାନରେ କେତେ କର୍ମଚାରୀ, ବ୍ୟବସାୟ, କେତେବେଳେ ସୁନା ବାହାରକୁ ନିଆଯାଏ ଏବଂ ବନ୍ଦ ଓ ଖୋଲା କେତେବେଳେ ହୁଏ ତାହା ଉପରେ ସମ୍ପୂର୍ଣ୍ଣ ତଥ୍ୟ ସଂଗ୍ରହ କରୁଥିଲେ । ଏହା ପରେ ଚୋରି କରିବାକୁ ଯୋଜନା କରୁଥିଲେ । ଚୋରି ସମୟରେ ଗାଡ଼ିରେ ଜଣେ ଟେକ୍ନିକାଲ ଏକ୍ସପର୍ଟ ରହୁଥିଲେ ଏବଂ ଯିଏ ଜାମର୍ ପରିଚାଳିତ କରନ୍ତି । ଚୋରି କରିବା ପରେ ଜାମର୍ ବ୍ୟବହାର କରି ଫେରାର ହୋଇଯାଆନ୍ତି । ଫଳରେ ପୋଲିସ ତାଙ୍କୁ ଟ୍ରାକ୍ କରିବା କଷ୍ଟକର ହୋଇପଡ଼େ ।
ଆଜି ରାଜା ସାହାଣୀକୁ କୋର୍ଟରେ ହାଜର କରାଯିବ । ଏହା ପରେ ପୋଲିସ ରିମାଣ୍ଡରେ ନେବାକୁ କୋର୍ଟଙ୍କ ନିକଟରେ ଆବେଦନ କରାଯିବ ।