ଜଗତସିଂହପୁରରେ ଚାକିରି ଦେବା ନାଁରେ ଚାଲୁଥିବା ବଡ଼ ଠକେଇକୁ ପୋଲିସ ପର୍ଦ୍ଦାଫାଶ କରିଛି। ଏହି ଘଟଣାରେ ପୋଲିସ ୫ ଜଣଙ୍କୁ ଗିରଫ କରିଥିବା ବେଳେ, ୩୦ରୁ ଅଧିକ ଯୁବକଙ୍କୁ ଉଦ୍ଧାର କରିଛି। ଏହି ଠକେଇର ମାଷ୍ଟରମାଇଣ୍ଡ ଥିଲା ଏରସମା ଅଞ୍ଚଳର କୁଞ୍ଜକୋଠିର ମଦନ ଘଡ଼େଇ।
ସୂଚନା ଅନୁସାରେ, ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ହାଟବଜାର ନିକଟରେ ଥିବା ଏକ ଘରରେ ଏହି ଠକେଇ ଚାଲୁଥିଲା। ଚାକିରି ଦେବାର ଲୋଭ ଦେଖାଇ ଯୁବକମାନଙ୍କୁ ଏଠାକୁ ଆଣାଯାଉଥିଲା ଏବଂ ସେମାନଙ୍କୁ ଅଟକ ରଖାଯାଉଥିଲା। ପୋଲିସ ଚଢ଼ାଉ କରି ସେଠାରୁ ପ୍ରାୟ ୩୦ ଯୁବକଙ୍କୁ ଉଦ୍ଧାର କରିଛି। ଉଦ୍ଧାର ହୋଇଥିବା ଯୁବକମାନଙ୍କ ମଧ୍ୟରୁ ଅଧିକାଂଶ ରାଜ୍ୟ ବାହାରର ଥିବା ଜଣାପଡ଼ିଛି। ପ୍ରତ୍ୟେକଙ୍କୁ ଚାକିରି ଦେବା ନାଁରେ ପ୍ରାୟ ୨୦ ହଜାର ଟଙ୍କା ନିଆଯାଇଥିବା ସୂଚନା ମିଳିଛି।
ପୋଲିସର କହିବା ଅନୁଯାୟୀ, ଏହି ଠକେଇ ମଲ୍ଟି ଲେବଲ୍ ମାର୍କେଟିଂ (MLM) ସ୍କିମ୍ ଆଡ଼ରେ ଚାଲୁଥିଲା। ଯୁବକମାନଙ୍କୁ ଭଲ ଚାକିରି ଓ ଉଚ୍ଚ ଆୟର ଲୋଭ ଦେଖାଇ ଟଙ୍କା ଆଦାୟ କରାଯାଉଥିଲା। ଏବେ ଏହି ଠକେଇ ଘଟଣାର ପର୍ଦ୍ଦାଫାଶ ହୋଇଛି। ପୋଲିସ ଘଟଣାର ତଦନ୍ତ ଜାରି ରଖିଛି। ଏଥିରେ ଆଉ କେଉଁମାନେ ସବୁ ଜଡିତ ଅଛନ୍ତି କି ନାହିଁ, ସେନେଇ ଖୋଳତାଡ଼ ଚାଲିଛି।